ରାଜନୀତି କରିବେ ଗହଣା ବ୍ୟବସାୟୀ, ବିଧାୟକ ପାଇଁ ସାଜିବେ କଣ୍ଟା !

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ଏନ୍ଏନ୍ ବ୍ୟୁରୋ I ଏବେ ରାଜନୀତି ଏକ ବ୍ୟବସାୟରେ ପରିଣତ ହୋଇଗଲାଣି I ମାଲ୍ ଫେକୋ , ତମାସା ଦେଖୋ I ଆଜିକାର ସ୍ଥିତିରେ ରାଜନୀତି ଆଉ ସେବା ମନୋବୃତିରେ ଚାଲୁ ନାହିଁ I ଆଧିକାଂଶ ନେତା ବ୍ୟବସାୟ ପାଇଁ ଏବେ ରାଜନୀତିକୁ ପ୍ରବେଶ କରୁଛନ୍ତି I ବିନା ପଇସାରେ ତ ନେତା ହେବା ଅସମ୍ଭବ I କାହିଁକିନା ଟ୍ରେଣ୍ଡ ବଦଳି ଗଲାଣି I ଯୁଆଡେ ବର୍ଷା, ସିଆଡେ ଛତା I ଟିକଟ ଲବି ଠାରୁ ଆରମ୍ଭ କରି ଲୋକଙ୍କୁ ସପକ୍ଷରେ ଆଣିବା ଯାଏ ସବୁଥିରେ ସେହି ଟଙ୍କା ଏକା ଭରସା I ସେଇଥିପାଇଁ ତ ଆର୍ଥିକ ସ୍ଥିତି ସୁଦୃଢ ନଥିବା ଯୋଗ୍ୟ ବ୍ୟକ୍ତିଟିଏ ରାଜନୀତିରେ ତିଷ୍ଠି ପାରୁନି I ଏହାର ସୁଯୋଗ ନେଇ ଶିଳ୍ପପତି, ପ୍ରତିଷ୍ଠିତ ବେପାରୀ, ଗହଣା ବ୍ୟବସାୟୀ ଭଳି ଅନେକ ଲୋକ ରାଜନୀତି ଆଡକୁ ମୁହାଁଉଛନ୍ତି I ଏକମାତ୍ର ଲକ୍ଷ୍ୟ, ରାଜନୀତିକୁ ଢ଼ାଲ କରି ବ୍ୟବସାୟକୁ ସୁରକ୍ଷା ଦେବା I ନଚେତ୍ ରାଜନୀତି ନେତାଙ୍କୁ ଚାନ୍ଦା ଦେଇ ସୁରକ୍ଷିତ ବେପାର କରିବା I ତେଣୁ ସେହି ମୋଟା ରକମର ଚାନ୍ଦାରୁ ବର୍ତ୍ତିବା ପାଇଁ ପଲିଟିକ୍ସକୁ ଆସୁଛନ୍ତି ବିଜିନେସମ୍ଯାନ I

ସେହିଭଳି ଜଣେ ଗହଣା ବ୍ୟବସାୟୀଙ୍କ ପଲିଟିକାଲ ଲିଙ୍କ୍ ନେଇ ଏବେ ବଲାଙ୍ଗିର ଜିଲ୍ଲାରେ ଜୋରସୋର୍ ଚର୍ଚ୍ଚା I ବିଭିନ୍ନ ନେତା, ମନ୍ତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ଏହି ଗହଣା ବ୍ୟବସାୟୀ ଏବେ ନେତା ହେବାକୁ ମନ ବୋଲାଇଲେଣି I ଏପରିକି ସମାବେଶ ସହ ନିର୍ବାଚନ ସମୟରେ ଲକ୍ଷ ଲକ୍ଷ ଟଙ୍କା ପ୍ରାର୍ଥୀଙ୍କ ପଛରେ ଖଟାଇବା ଅପେକ୍ଷା ନିଜେ ରାଜନୀତିକୁ ଆସିବା ଭଲ ବୋଲି ଭାବିଲେଣି I ଏଇଥିପାଇଁ ତ ବଲାଙ୍ଗିର ଜିଲ୍ଲା ରାଜନୀତିରେ ଏଣ୍ଟ୍ରି ମାରିବାକୁ ଯୋଜନା ଚଳାଇଛନ୍ତି ଗହଣା ବ୍ୟବସାୟୀ I ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମିଟିଂ ଆୟୋଜନ କରାଇବା ସହ ସଭା ସମିତିରେ ଯୋଗ ଦେବା ଅଧିକ ଖୋରାକ୍ ଯୋଗାଉଛି I ବିଶେଷ କରି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଅଧିକ ଫୋକସ୍ କରୁଥିବାରୁ ଚର୍ଚ୍ଚା ଜୋର୍ ଧରିଛି I ଧାର୍ମିକ, ସାଂସ୍କୁତିକ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ସହାୟତା ବି କରି ଆସୁଛନ୍ତି I ତେବେ ବିଭିନ୍ନ ଜାଗାରେ ଅୟୋଜିତ ମିଟିଂରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବା ନେଇ ରାଜନୀତିକ ମହଲରେ ହଟଚମଟ ସ୍ରୁଷ୍ଟି କରିଛି I

ଅନ୍ୟପଟେ ଜିଲ୍ଲାର ପ୍ରତିଷ୍ଠିତ ସୁନା ବେପାରୀ ରାଜନୀତି ପ୍ରବେଶ ଚର୍ଚ୍ଚା ପରେ ପାଟଣାଗଡ଼ ବିଧାୟକଙ୍କ ଚିନ୍ତା ବଢି ଗଲାଣି I ନିର୍ବାଚନ ଜିଣିବା ପରେ ସରୋଜ ମେହେର ବିବାଦରେ ରହି ଆସିଛନ୍ତି I ଜେଇଙ୍କୁ କାନ ଧରି ଉଠବସ୍ ଠାରୁ ଆରମ୍ଭ କରି ଭଗବାନ ପର୍ଶୁରାମଙ୍କୁ ଅସମ୍ମାନ ଯାଏ ବିବାଦ ଘେରରେ ଅଛନ୍ତି I ଏପରିକି ନିର୍ବାଚନ ମଣ୍ଡଳୀରେ ମନମାନି ଚଳାଇଥିବାରୁ ଦଳର ଅନେକ ନେତା କର୍ମୀ ଦଳ ଛାଡୁଥିବା ନଜିର୍ ରହିଛି I ତେଣୁ ଅନ୍ୟ କାହାକୁ ମୈଦାନକୁ ଓହ୍ଲାଇବାକୁ ଦଳ ଯୋଜନା କରୁଥିବା ଜଣାପଡ଼ିଛି I କିନ୍ତୁ ଏଭଳି ସମୟରେ ଗହଣା ବ୍ୟବସାୟୀଙ୍କ ଆବିର୍ଭାବ ରାଜନୀତି ପାଣିକୁ ଗୋଳିଆ କରି ଦେଇଛି I ଦଳର ପ୍ରଭାବଶାଳୀ ନେତା ଓ ମନ୍ତ୍ରୀଙ୍କ ସହ ଭଲ ସମ୍ପର୍କ ରହିଛି ଏହି ଗହଣା ବ୍ୟବସାୟୀର I ଏପରିକି ଗତ 2019 ନିର୍ବାଚନରେ ଟିକେଟ ପାଇଁ ଜୋରଦାର୍ ଲବି ବି କରିଥିଲେ I ତେଣୁ ଗୋଟିଏ ଚର୍ଚ୍ଚା, ବିଧାୟକଙ୍କ ପାଇଁ କଣ୍ଟା ସାଜିବେ ଗହଣା ବ୍ୟବସାୟୀ!

Leave a Reply