ନବନୀତା ବ୍ୟୁରୋ। ମାଣିକପୁର ଗାଁ ଦାଣ୍ଡରେ କାଳବୈଶାଖୀ ଝାଞ୍ଜିର ରାଜୁତି। ଗାଁ ଦାଣ୍ଡ ଶୂନଶାନ, ନିରବ, ନିସ୍ତବ୍ଧ। କାଉ କୋଇଲିର ରାବ ନାହିଁ। କୁସୁମୁ ନଈର ତତଲା ବାଲି ଉପରେ ବୁହା ଟ୍ରକ କି ଟ୍ରାକଟର ଗୁଡ଼ାଙ୍କର ଗର୍ଜନ ବି ଶୁଭୁନି। ନଈ ବନ୍ଧକୁ ଲାଗି ଦେବକୀ ବୁଢ଼ୀର ନୁଆଁଣିଆ ଚାଳଘର କବାଟ ଫାଙ୍କରେ ଦେବକୀ ଦେଖୁଚି ଏଇ କିଛିଦିନ ହେଲା ବନ୍ଧ ଉପରେ ଥିବା ତ୍ରିନାଥ ମନ୍ଦିର ଚାନ୍ଦିନୀର ବରଗଛ ଛାଇରେ ଆଡ୍ଡା ଜମାଉଥିବା ତାସ ଖେଳାଳି ଟୋକାମାନଙ୍କର ଭିଡ ନାହିଁ। ସାତ ଆଠଦିନ ତଳେ ଆଶା ଦିଦି ଆଉ ସରପଂଚ ବାବୁ ଆସିଥିଲେ। ଦେଵକୀର ଦେହ ମୁଣ୍ଡ କଥା ପଚାରିଥିଲେ। ଆଶା ଦିଦି ଔଷଧ ପତ୍ର ଦେଇ କେମିତି ଖାଇବାକୁ ହେବ କହିଦେଇ ଗଲେ। ସରପଂଚ ବାବୁ ତା ହାତରେ ଭତ୍ତା ଟଙ୍କା ଧରେଇ ଦେଇ ଗଲେ। ଏଇ କିଛିଦିନ ହେଲା ଦେବକୀ ବିଛଣା ଧରିଛି। ଦେହ ଭଲ ରହୁନି। ମଝିରେ ମଝିରେ ଜ୍ୱର ହଉଚି। ଖାଇବାକୁ ଇଛା ହଉନି। କେତେକ କହୁଛନ୍ତି – “ବୁଢ଼ୀ ଆଉ ନୁହଁ। ପୁଅଟା ପାଖରେ ଥାନ୍ତା ଭଲା।”
କାହ୍ଣୁଆ, ଦେବକୀର ଏକ ଏକୋଇର ବଳା ବିସିକେଶନ। ସାତ ଆଠମାସର ହେଇଥିଲା ବାପା ଛେଉଣ୍ଡ ହେଇଗଲା। ବାପ ଘରଠୁ ଆରମ୍ଭ କରି ଶାଶୂଘର ଗାଁ ପର୍ଯ୍ୟନ୍ତ ସମସ୍ତେ ଦେବକୀ କୁ କହିଲେ ତୁ ଆଉ କୋଉଠି ଆଶ୍ରା ନେଇଯା। ସେ ରୋକ ଠୋକ ମନା କରିଦେଲା। ଆଇଥିଲି ସଵାରୀ ଚଢି, ଯିବିତ କୋକେଇରେ! ଗରିବ ସ୍ୱାମୀର ସେଇ ଭଙ୍ଗା କୁଡ଼ିଆରେ କର୍ମ ଆଦରି ପଡିରହିଲା। ପର ଘରେ ମୁଲ ଲାଗି ପୁଅକୁ ପାଳିଲା। କାହ୍ଣୁଆ ବଡ ହେଲା। ଗାଁର କିଛି ଲୋକ ଦାଦନ ଖଟିବାକୁ ବିଦେଶ ଗଲେ। କାହ୍ଣୁଆ ବି ସେମାନଙ୍କ ସାଙ୍ଗରେ ଗଲା। ଭଲ ରୋଜଗାର କଲା। ବିଧବା ମା’ ର ସବୁକଥା ବୁଝିଲା।
ମଝିରେ ମଝିରେ କାହ୍ଣୁଆ ଗାଁକୁ ଆସେ। ମା’ ପାଇଁ ଲୁଗାପଟା ଭଲମନ୍ଦ କଥା ନେଇକି ଆସେ। ପୁଣି ଗଲା ବେଳେ ପଇସାପତ୍ର ବି ଦେଇଯାଏ। ଦେବକୀର ଗୋଟିଏ ଆଶା କେଉଁଦିନ ଘରକୁ ବୋହୂଟିଏ ଆଣିବ। ପୁଅ ବୋହୂଙ୍କ କୋଳରେ ନାତି କି ନାତୁଣୀଟିଏ ଦେଖି ସେ ଆଖି ବୁଝିବ। ଏଇ ସନ ବୈଶାଖ ମାସରେ ବୁଢ଼ୀ ପୁଅର ବାହାଘର କରିଥାନ୍ତା। ସଦେଇପୁର ଗାଁର ନବ ପ୍ରଧାନ ଝିଅର ପ୍ରସ୍ତାବ ନେଇ ନାହାକେ ଆସିଥିଲେ। ଫୋଟୋ ଦେଖି ଦେବକୀ ପସନ୍ଦ କରିଚି। ହେଲେ କାହ୍ଣୁଆ ଆଜି ଯାଏଁ ଆସିଲାନି। କୁଆଡେ ଗଲା ସେ? ଗାଁ ମୁଣ୍ଡ ଚାନ୍ଦିନୀ ଉପରେ ଯୋଉ ଟୋକା ମାନେ ତାସ ଖେଳନ୍ତି ତାଙ୍କରି ଭିତରୁ କାହାକୁ କାହ୍ଣୁଆ ଫୋନ କରି ସବୁବେଳେ ଖବର ପଠାଏ, ବିଧବା ମା କଥା ପଚାରି ବୁଝେ। ହେଲେ ତା ଫୋନ ଲାଗୁନି କି ସେ ବି ଫୋନ କରୁନି। ତାହାଲେ କାହ୍ଣୁଆ ଗଲା କୁଆଡେ?
ଦେବକୀ ଧୀରେ ଧୀରେ ବିଛଣାରୁ ଉଠିଲା ଦର ଆଉଜା କବାଟ ଖୋଲି ନଈବନ୍ଧକୁ ଦେଖିଲା। ନଈବନ୍ଧରେ ପୁଲିସ ଗାଡି। ଦି ଚାରିଜଣ ପୁଲିସ ବରଗଛ ଚାନ୍ଦିନୀରେ ବସିଥିବା ଟୋକା ଗୁଡାକୁ ଗୋଡେଇ ଗୋଡେଇ ପିଟୁଚି। ଟଙ୍କା ଭିତରୁ ବିକଳରେ ଜଣେ ବୁଢ଼ୀ ଘରକୁ ପଶିଗଲା। ‘ଆରେ ମାଧିଆ କ’ଣ ହେଲା କିରେ?’ ଦେବକୀ ପଚାରିଲା ତାକୁ ଘର ଭିତରକୁ ଭିଡି ନେଇ, କବାଟ ବନ୍ଦ କରି ମାଧିଆ କହିଲା – “ମାଉସୀ! ପଦାକୁ ଯାଆନି। ତାଲାବନ୍ଦ ହେଇଚି ପରା। ସମସ୍ତେ ଘରେ ରହିବେ। ପଦାକୁ ବାହାରିଲେ ପୁଲିସ ବାନ୍ଧି ନେବ ।”
‘ତାଲାବନ୍ଦ କ’ଣ ବା?’ – ଦେବକୀ ପଚାରିଲା। ମାଧିଆ କହିଲା – “ତୁ ଜାଣିନୁ କୁ ମାଉସୀ? ଚାଇନାରେ ଗୋଟାଏ ରୋଗ ହେଲା। ତା ନାଁ କରୋନା। ସେଇ ରୋଗ ଏବେ ସାରା ପୃଥିବୀରେ ବ୍ୟାପିଯାଇଚି। ଏଇଟା ଗୋଟାଏ ନୂଆ ମହାମାରୀ। ଲକ୍ଷ ଲକ୍ଷ ଲୋକ ମଲେଣି! ଆହୁରି କେତେ ମାରିବେ ତାହା କହି ହେବନି! ସେହି ମହାମାରୀ ଆମ ଦେଶରେ ବ୍ୟାପିଯାଇଚି। ଡାକ୍ତରମାନେ କହୁଛନ୍ତି ଏ ରୋଗ କୁଆଡେ ଜଣକୁ ଦିହରୁ ଆଉ ଜଣକ ଦିହକୁ ବ୍ୟାପିଯାଏ। ଯଦି ଜଣକୁ ଠାରୁ ଆଉ ଜଣେ ଛଅ ସତ ଫୁଟ ଦୂରରେ ରହିବ ତାହାଲେ ସହଜରେ ଏ ରୋଗ ଆକ୍ରମଣ କରିବ ନାହିଁ। ସେଥିପାଇଁ ସରକାର ଏବେ ତାଲାବନ୍ଦ ଘୋଷଣା କରିଛନ୍ତି। ବଜାର, ହାଟ, ଗାଡି, ଯାତ୍ରା, ସିନେମାଠୁ ଆରମ୍ଭ କରି କଳ କାରଖାନା, ରେଳଗାଡି, ବସ, ଅଟୋ ସବୁ ବନ୍ଦ। ପ୍ରଧାନମନ୍ତ୍ରୀ ବା ନିଜେ କହିଛନ୍ତି ଯିଏ ଯୋଉଠି ଅଛ ସେଠି ରୁହ। କେହି ଘରୁ ବାହାରନ୍ତୁ ନାହିଁ ।”
ଦେବକୀ ଦେଖୁଚି କାହ୍ଣୁଆ କୋଉଠି ଗୋଟେ ଜାଗାରେ ଶହ ଶହ ମୁଲିଆଙ୍କ ଭିଡରେ ଥାଇ ଚିତ୍କାର କରୁଚି – “ଆମ ଘରକୁ ପଠେଇ ଦିଅ, ନହଲେ ଖାଇବାକୁ ଦିଅ ।” ଦେବକୀ କାନ୍ଦି ପକାଇଲା, କହିଲା – “ତାହାଲେ ମୋ କାହ୍ଣୁଆ? ସେ କ’ଣ ଆଉ ଘରକୁ ଫେରିବନି? ମୋ ପୁଅଟା କ’ଣ ଭୋକ ଉପାସରେ ମରିଯିବ?”
ମାଧିଆ କହିଲା – “ନାହିଁ ନାହିଁ … ଆମ ମୁଖ୍ୟମନ୍ତ୍ରୀ ସବୁ ରାଜ୍ୟର ସରକାରଙ୍କୁ ଚିଠି ଲେଖିଛନ୍ତି। ଯୋଉଠି ଯୋଉ ଓଡ଼ିଆ ଶ୍ରମିକମାନେ ଅଟକି ଯାଇଛନ୍ତି, ତାଙ୍କୁ ଖାଇବାକୁ ଦିଅ। ତୁ ଚିନ୍ତା କରନା ମାଉସୀ, ତୋ ପୁଅର କିଛି ହେବନି। ଆମେ ତାକୁ ଫୋନ କରିଥିଲୁ। ସେ କହିଲା – “ମୋ ବୋଉକୁ କହିଦେବ ମୋ ପାଇଁ ବ୍ୟସ୍ତ ହବନି। ମୁଁ ଯେମିତି ହେଲେ ଘରେ ପହଂଚି ଯିବି ।” ତା’ ପରେ ଫୋନ କାଟି ଦେଲା। ତିନି ଚାରି ଦିନ ହେଲା ଆଉ ସେ ଫୋନ କରୁନି କି ଆମେ ଫୋନ କଲେ ମଧ୍ୟ ତା ଫୋନ ସୁଇଚ ଅଫ କହୁଚି ।”
ବାହାରେ ପୋଲିସ ସାଇରନ! ପୋଲିସ ଭ୍ୟାନ ବନ୍ଧ ଉପରେ ଆଗକୁ ଚାଲିଗଲା। ମାଧିଆ କହିଲା – “ମାଉସୀ! ପୋଲିସ ଚାଲି ଗଲେଣି। ମୁଁ ଘରକୁ ଯାଉଚି। ତୁ କବାଟ ଖୋଲି ପଦାକୁ ମୋଟେ ଯିବୁନି। ତୁ ପରା ତାଲାବନ୍ଦର ଦେବକୀ! ମଥୁରା ବନ୍ଦୀ ଶାଳାରେ ଦେବକୀ କୃଷ୍ଣଙ୍କ ବାଟକୁ ଚାହିଁ ଚାହିଁ କାନ୍ଦୁଥିଲା ପରି ତୁ ଏଠି କାହ୍ଣୁଆର ଫେରିବା ବାଟକୁ ଚାହିଁ ବନ୍ଦୀ ହେଇ ରହିଚୂ! ତୁ ପରା ତାଲାବନ୍ଦର ଦେବକୀ ।” ଧଡ଼କିନା କବାଟକୁ ଆଉଜାଇ ଦେଇ ମାଧିଆ ଚାଲିଗଲା। ଦେବକୀ ସଥକିନା ବିଛଣାରେ ବସି ପଡିଲା। ତାକୁ ଲାଗିଲା ତା ମୁଣ୍ଡରୁ ଚାଳଟା ଯେମିତି ଘିରି ଘିରି ହେଇ ବୁଲୁଚି। କେତେବେଳେ ତାକୁ ନିଦ ହେଇଯାଇଚି। ସେ ଜାଣିଚି ମଣିଷର ଆଶା, ଆଶଙ୍କା କୁଆଡେ ତାକୁ ସ୍ୱପ୍ନରେ ଦେଖାଯାଏ, ଏ କଥା ମନସ୍ତତ୍ଵବିତମାନେ କୁହନ୍ତି। ଦେବକୀ ବି ସ୍ୱପ୍ନ ଦେଖୁଚି। ପୁରାଣ ପଣ୍ଡା ଚୌଗାଦୀରେ ବସି ମାଣିକା ଶୁଣାଉଛନ୍ତି। ଘୋର କାଳିକାଳ। ମହାମାରୀ, ଅକାଳ ମହକ ସାରା ପୃଥିବୀକୁ ବ୍ୟାପିଯାଉଚି। କିଳିକିଳା ରଡି ଛାଡି ଭୈରବ ଡାକୁଚି। ଗୋଟାଏ ଭୟଙ୍କର ଅଦ୍ଭୁତ ଜୀବ ମଣିଷ ଗୁଡ଼ାଙ୍କୁ ଜିଅନ୍ତା ଚୋବାଇ ଯାଉଚି।
ତା ପର ମୁହୂର୍ତ୍ତରେ ଦେବକୀ ଦେଖୁଚି – ମହାଭାରତ ଯୁଦ୍ଧ ସରି ଯାଇଚି। ରକ୍ତାତ କୁରୁକ୍ଷେତ୍ରରେ କୁଢ଼ କୁଢ଼ ଶବ ଉପରେ ଚିଲ, ଶାଗୁଣା, ଶ୍ଵାନ ଶୃଗାଳଙ୍କ ଚିତ୍କାର। ଗାନ୍ଧାରୀ ଆଖିରୁ ଅନ୍ଧ ପୁଟୁଳି ଖୋଲିଦେଇ ତାର ଶହେ ପୁଅଙ୍କୁ ଖୋଜୁଚି! ହଜାର ହଜାର ଶବ ଲେଉଟାଇ ଦେଖୁଚି କାହାକୁ ପାଉନି। କୃଷ୍ଣ ହସୁଛନ୍ତି। ଗାନ୍ଧାରୀଙ୍କ ଆଖି ଆଗରେ ଶହେ ପୁଅରୁ ବଂଚି ରହିଥିବା ଗୋଟିଏ ପୁଅ ହୁ ହୁ ହେଇ ଜଳିଯାଉଚି। କୃଷ୍ଣ ହସୁଛନ୍ତି, କହୁଛନ୍ତି – ମୁଁ ହିଁ ସୃଷ୍ଟି, ମୁଁ ହିଁ ସ୍ମୃତି, ମୁଁ ହିଁ ସଂହାର. . . . ହଠାତ ଦେବକୀର ନିଦ ଭାଙ୍ଗିଗଲା ବାହାରେ ପାହାନ୍ତା ପ୍ରହରର ନୀରବତା। ଦେବକୀ କବାଟ ଖୋଲିଲା। ତା ଆଗରେ କିଏ? କାହ୍ଣୁଆ? କାହ୍ଣୁଆ? ନା! କେହି ନାହାନ୍ତି। ଦୀର୍ଘ ଶ୍ୱାସ ଛାଡି ଦେବକୀ ପିଣ୍ଡା ଉପରେ ବସି ପଡିଲା।
ଲକ୍ଷ୍ମୀସାଗର, ଭୁବନେଶ୍ୱର
ମୋ: ୯୪୩୭୩୦୩୧୫୫
( ବି.ଦ୍ର.: ଏଇ କାହାଣୀର ବର୍ଣିତ ସ୍ଥାନ, କାଳ, ପାତ୍ର ସମସ୍ତ କଳ୍ପିତ ସାମ୍ପ୍ରତିକ ପରିସ୍ଥିତିରେ ସମାଜର କରୁଣ ଚିତ୍ରକୁ କହିବା ଏବଂ ସାମ୍ପ୍ରଦାୟିକ ସଦ୍ଭାବନା ଜାଗ୍ରତ କରିବାକୁ ଏଇ କାହାଣୀ ଲେଖିବାକୁ ମୁଁ ପ୍ରୟାସ କରିଛି I ଯଦି କୌଣସି ଚରିତ୍ର ସହିତ ମୃତ କିମ୍ବା ଜୀବିତ କୌଣସି ବ୍ୟକ୍ତିଙ୍କର ସାମଞ୍ଜସ ଥାଏ ତେବେ ଏହା ଏକ ସଂଯୋଗ ବୋଲି ଭାବିବାକୁ ମୋର ବିନମ୍ର ନିବେଦନ।)
