ପୁଣି ୧୦୨ କରୋନା ଚିହ୍ନଟ, କଟକର ଜଣେ ମୃତ: ରୋଗୀ ସଂଖ୍ୟା ୯୭୮ ଓ ମୃତକ ସଂଖ୍ୟା ୫କୁ ବୃଦ୍ଧି

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ରାଜ୍ୟରେ ଥମୁନି କରୋନା କହର। ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ରୋଗୀ ସଂଖ୍ୟା। ଏପରିକି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୦୨ ରୋଗୀ ଚିହ୍ନଟ ହୋଇଛନ୍ତି। ତାସହ କଟକରେ ଜଣେ କରୋନା ମହାମାରୀରେ ପ୍ରାଣ ହରାଇଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟର ମୋଟ ରୋଗୀ ସଂଖ୍ୟା ୯୭୮କୁ ବୃଦ୍ଧି ସହ ମୃତକ ସଂଖ୍ୟା ମଧ୍ୟ ୫ କୁ ବୃଦ୍ଧି ହୋଇଛି।


ଚିହ୍ନଟ ରୋଗୀ ମାନଙ୍କ ମଧ୍ୟରେ ଯାଜପୁର ୩୧, ଜଗତସିଂହପୁର ୨୩, ଭଦ୍ରକ ୨୧, କେନ୍ଦ୍ରାପଡ଼ା ୮, କଟକ ୪, ଖୋର୍ଦ୍ଧା ୪, ପୁରୀ ୪, ଅନୁଗୋଳ ୨, ବାଲେଶ୍ଵର ୨, ସମ୍ବଲପୁର ୨ ଓ ନୟାଗଡରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ କଟକରେ ଜଣେ କରୋନା ରୋଗରେ ମୃତ୍ୟୁ ବରଣ କରିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚିହ୍ନଟ ୧୦୨ ମଧ୍ୟରେ ୯୭ ଜଣ ସଂଗରୋଧ କେନ୍ଦ୍ରରେ ଥିବା ବେଳେ ୫ ଜଣ ସ୍ଥାନୀୟ ଲୋକ ବୋଲି କୁହାଯାଉଛି। ହେଲେ ଏମସରେ ଭର୍ତ୍ତି ହୋଇଥିବା କଟକର ୭୫ ବର୍ଷୀୟ ବୃଦ୍ଧ ଗତ ୧୭ ତାରିଖ ରାତିରେ ମୃତ୍ୟୁ ଘଟିଛି।


ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏଯାଏ କରୋନାରେ ୯୭୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୯୬ ଜଣ ସକ୍ରିୟ ରହିଛନ୍ତି। ତେବେ କରୋନାରେ ଏବେ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟି ଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।