ନବନୀତା ବ୍ୟୁରୋ। କ୍ରିକେଟର ମନୀଷ ପାଣ୍ଡେଙ୍କ ନୂଆ ଇନିଂସ୍। ସୋମବାର ଭାରତୀୟ ବ୍ୟାଟସ ମ୍ୟାନ ମନୀଷ ପାଣ୍ଡେ ତାମିଲ ଅଭିନେତ୍ରୀ ଅଶ୍ରିତା ସେଟ୍ଟିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ଷ୍ଟାରଙ୍କ ଫଟୋ ସୋଶଲ୍ ମିଡ଼ିଆରେ ଜୋରସୋର ଭାଇରାଲ୍ ହେଉଛି। ପ୍ରାୟ ଗୋଟିଏ ମାସ ପୂର୍ବରୁ ମନୀଷ ଓ ଅଶ୍ରିତାଙ୍କ ବିବାହ ନେଇ ଚର୍ଚ୍ଚା ହେଉଥିଲା। ଘର ଲୋକ ଏହାକୁ ସମ୍ମତି ଜଣାଇବା ସହ ବିବାହ ପାଇଁ ତାରିଖ ବି ଫିକ୍ସ କରିଥିଲେ। ଏବଂ ଡିସେମ୍ବର ୨ରେ ମୁମ୍ବାଇରେ ମନୀଷ ପାଣ୍ଡେ ଓ ଅଶ୍ରିତା ସେଟ୍ଟି ସାତ ଫେରା ନେଇ ପବିତ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଏହି ସୁନ୍ଦର ଯୋଡିର ଫଟୋ ସୋଶଲ ମିଡ଼ିଆରେ ଭାଇରାଲ୍ ହେଉଛି। ସୂଚନା ଅନୁସାରେ ରବିବାର ସେ କର୍ଣ୍ଣାଟକ ଟିମର ଅଧିନାୟକ କରି ଟ୍ରଫି ଜିତାଇଛନ୍ତି। ଓ ସୋମବାର ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହା ବ୍ୟତୀତ ଆସନ୍ତା ୪ କିମ୍ବା ୫ ତାରିଖରେ ଟି ୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପାଇଁ ହାଇଦରାବାଦ ଗସ୍ତ କରିବେ। ୬ ତାରିଖରେ ମ୍ୟାଚ୍ ଖେଳାଯିବ।

୩୦ ବର୍ଷୀୟ ମନୀଷ ପାଣ୍ଡେ ୨୦୧୫ ମସିହାରେ ଭାରତୀୟ ଟିମରେ ଡେବ୍ୟୁ କରିଥିଲେ। ଏହା ପରେ ସେ ୨୩ ଦିନିକିଆ ଓ ୩୨ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ଖେଳିଛନ୍ତି। ୨୩ ଦିନିକିଆରେ ସେ ୪୪୦ ରନ୍ କରିଛନ୍ତି। ସେ ମଧ୍ୟରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧ ଶତକ ରହିଛି। ସେହିପରି ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚରେ ୫୮୭ ରନ୍ ସଂଗ୍ରହ କରିଛନ୍ତି। ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ମନୀଷ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ବି ଦୁଇଟି ଅର୍ଦ୍ଧ ଶତକ କରିଛନ୍ତି।


