ମାଲେସିଆ ଗସ୍ତରେ ଓଡ଼ିଶାର କୃଷକ, ଅଧିକାରୀ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ I ମାଲେସିଆ ଗସ୍ତରେ ୨୮ ଜଣିଆ ଟିମ୍ l ୧୪ ଜଣ କୃଷକଙ୍କ ଓ ୧୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଏହି ୨୮ ଜଣିଆ ଟିମ ମାଲେସିଆ ଗସ୍ତରେ ଯାଇ କୃଷିଭିତ୍ତିକ ପ୍ରଶିକ୍ଷଣ ନେବେ । କୃଷି ଭବନ ଅଡିଟୋରିଅମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି I ଓଡ଼ିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ୱିତ ଜଳସେଚନ ପ୍ରକଳ୍ପ (OIIPCRA) ଅଧୀନରେ ୨୮ ଜଣିଆ କୃଷକ, ଅଧିକାରୀଙ୍କ ପ୍ରଶିକ୍ଷଣ ଭିତ୍ତିକ ମାଲେସିଆ ଗସ୍ତକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଲକ୍ଷ୍ନୌ ସ୍ଥିତ ବ୍ୟାଙ୍କର୍ସ ଇନଷ୍ଟିଚ୍ୟୁଟ ଅଫ୍ ରୁରାଲ ଡେଭଲପମେଣ୍ଟ (BIRD) ଏବଂ ନାବାର୍ଡର ମିଳିତ ଆୟୋଜନରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେଉଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଭୟ କୃଷକ ଓ ଅଧିକାରୀଙ୍କୁ ମାଲେସିଆ ଗସ୍ତ ନିମନ୍ତେ ଶୁଭେଚ୍ଛା ପ୍ରଦାନ କରି ପାରମ୍ପରିକ କୃଷି ସହିତ ବୈଜ୍ଞାନିକ ପଦ୍ଧତି ତଥା ଯନ୍ତ୍ରପାତିର ବ୍ୟବହାର ଇତ୍ୟାଦି ସମ୍ବନ୍ଧରେ ଶିଖିବା ପାଇଁ ଉତ୍ସାହିତ କରିଥିଲେ I ଏ ଅବସରରେ କେଭି କହିଥିଲେ ଯେ, ଆଜିର ସମୟରେ ବିଦେଶକୁ ଫଳ ଓ ପନିପରିବା ରପ୍ତାନୀରେ ଓଡ଼ିଶା ସମ୍ମାନଜନକ ସ୍ଥିତିରେ ରହିଛି l ପ୍ରଶିକ୍ଷାର୍ଥୀମାନେ ଗସ୍ତରୁ ଯାହା ଶିଖିବେ ତାହାକୁ ପ୍ରତିଦିନ ରିପୋର୍ଟ ଆକାରରେ ଲିପିବଦ୍ଧ କରି ବିଭାଗକୁ ପ୍ରଦାନ କରନ୍ତୁ । ଉନ୍ନତ କୌଶଳକୁ ଶିଖି ନିଜ ଅଂଚଳରେ ତାହାକୁ କାର୍ଯ୍ୟକାରୀ କରନ୍ତୁ I ଏହା ଆମ ଚାଷୀ ଭଉଣୀଙ୍କ ଆୟକୁ ଦୁଇଗୁଣା କରିବାରେ ସହାୟକ ହେବ ବୋଲି କେଭି କହିଛନ୍ତି I

କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପ୍ରଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନ କରିବା ସହିତ ଓଡ଼ିଶାରେ କୃଷିର କ୍ରମବିକାଶ ଉପରେ ଆଲୋକପାତ କରିଥିଲେ । ଆଜିର ସମୟରେ ଓଡ଼ିଶା ଦେଶର ୪ର୍ଥ ସର୍ବବୃହତ ରାଜ୍ୟ ଭାବେ ଏଫସିଆଇକୁ ଚାଉଳ ଯୋଗାଉଛି I ଗତବର୍ଷ ୧୪.୩ ମିଲିୟନ ଟନ ଖାଦ୍ଯଶସ୍ଯ ଉତ୍ପାଦନ ହୋଇଥିଲା I ସେହିପରି, ୧୪.୪୮ ମିଲିୟନ୍ ଟନର କେବଳ ଫଳ ଓ ପନିପରିବା (ଉଦ୍ଯାନ ଫସଲ) ଉତ୍ପାଦିତ ହୋଇଛି । ଏହା ବ୍ୟତୀତ ପୋଟଳ, ଭେଣ୍ଡି, ସଜନା ଛୁଇଁ, ଅମୃତଭଣ୍ଡା, ଆମ୍ବ ଆଦିର ରପ୍ତାନୀ ଦୁବାଇ ଓ ଅନ୍ୟାନ୍ୟ ଦେଶକୁ କରିବାରେ ସକ୍ଷମ ହୋଇଛି । କେବଳ ଅଧିକାରୀ ନୁହଁନ୍ତି, ଏଥର ଚାଷୀମାନେ ବି ବିଦେଶ ଯାତ୍ରା କରିପାରିବେ । ଏହି ପ୍ରଶିକ୍ଷଣ ସେମାନଙ୍କ ବିଦେଶ ଯାତ୍ରାର ସ୍ବପ୍ନକୁ ସାକାର କରିବା ସହିତ ଜ୍ଞାନ ଆହରଣର ଅବସର ଆଣି ପାରିଛି ।