‘ବନ୍ଦେ ଉତ୍କଳ ଜନନୀ’ ଗାନ ବେଳେ କାହିଁକି ଛିଡା ହେଲେନି ଲକ୍ଷ୍ମଣ ମେହେର

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ l ରାଷ୍ଟ୍ରୀୟ ସଙ୍ଗୀତ ଭଳି ରାଜ୍ୟ ସଙ୍ଗୀତ ଗାନ ବେଳେ ସମସ୍ତେ ଛିଡା ହୋଇ ସମ୍ମାନ ଜଣାଇଥାନ୍ତି I ମର୍ଯ୍ୟାଦାପୂର୍ଣ୍ଣ ରାଜ୍ୟ ସଙ୍ଗୀତକୁ ସମସ୍ତେ ସମ୍ମାନ ଜଣାଇବା କଥା ମଧ୍ଯ l ପଶ୍ଚିମ ଓଡିଶାରେ କିନ୍ତୁ ତାର ବିପରୀତ I ସମ୍ବଲପୁରର ବରିଷ୍ଠ ବିଜେପି ନେତା ପରେ ବଲାଙ୍ଗିରର ଜଣେ ବରିଷ୍ଠ ବିଜେଡି ନେତା ବି ରାଜ୍ୟ ସଙ୍ଗୀତ ଗାନ ବେଳେ ନିଜ ଆସନରେ ବସି ରହିଥିବା ଦେଖିବାକୁ ମିଳିଛି I ବଲାଙ୍ଗିର ଦେଓଗାଁ ବ୍ଲକରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଚୌକିରେ ବସିଥିଲେ I ଅନ୍ୟପଟେ ବିଜେଡ଼ି ସମର୍ଥିତ ବ୍ଲକ ଅଧକ୍ଷ ଦୟାନିଧି ଖମାରୀ, ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସହ ଅନ୍ୟ ବିଜେଡ଼ି କର୍ମୀ ଛିଡା ହୋଇ ରାଜ୍ୟ ସଙ୍ଗୀତକୁ ସମ୍ମାନ ଜଣାଇଥିଲେ I

ତେବେ ରାଜ୍ୟ ସଙ୍ଗୀତ ଗାନ ବେଳେ କାହିଁକି ଛିଡା ହେଲେନି ବିଜେଡି ନେତା ଲକ୍ଷ୍ମଣ ମେହେର୍ I ଚର୍ଚ୍ଚା ହେଉଛି ଯେ, ସେ ଏହାକୁ ବିରୋଧ କରି ନିଜ ଆସନରେ ବସିଥିଲେ I ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଜଣାଇ କଥାଟାକୁ ଏଡ଼ାଇ ଦେଇ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ଲକ୍ଷ୍ମଣ l ସେ କହିଛନ୍ତି ମୋ ଶରୀର ସମ୍ପୂର୍ଣ୍ଣ ଅସୁସ୍ଥ ଥିଲା I ଦିଲ୍ଲୀରୁ ଫେରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବି ଦେହ ଅସୁସ୍ଥ ଯୋଗୁଁ ଉଠିବା ପାଇଁ ସକ୍ଷମ ନଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I ବିରୋଧ ନୁହେଁ, ଉତ୍କଳ ଜନନୀକୁ ସମ୍ମାନ ଅଛି, ସମସ୍ତଙ୍କୁ ସମ୍ମାନ ଥିବା ସେ କହିଛନ୍ତି I ଆଂଚଳିକ ଫିଲିଙ୍ଗ ନଥବାରୁ ଏହାକୁ ଅଯଥାରେ ଇସ୍ୟୁ ନ କରିବାକୁ ସେ କହିଛନ୍ତି I ହେଲେ ଏଠି ପ୍ରଶ୍ନ ଉଠୁଛି, ଯଦି ଶରୀର ସମ୍ପୂର୍ଣ୍ଣ ଅସୁସ୍ଥ ଥିଲା, ତାହେଲେ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ କାହିଁକି?

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଦେଓଗାଁ ବ୍ଲକରେ ଅନ୍ତୋଦୟ ଗୃହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିବା ବେଳେ ପ୍ରତି ପଞ୍ଚାୟତରୁ କିଛି କିଛି ହିତାଧିକାରୀଙ୍କୁ ପକ୍କା ଘର ତିଆରି କରିବା ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା I ଏଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାଠାରେ ଉପସ୍ଥିତ ରହି ରାଜ୍ୟରେ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ତିଆରି ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ l ହେଲେ କାର୍ଯ୍ୟକ୍ରମ ଆରମ୍ଭରୁ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା I ମୁଖ୍ୟମନ୍ତ୍ରୀ ଛିଡା ହୋଇ ରାଜ୍ୟ ସଙ୍ଗୀତକୁ ସମ୍ମାନ ଜଣାଇଥିଲେ I

ଏପଟେ ଦେଓଗାଁ ବ୍ଲକରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଗୀତ ଗାନ ବେଳେ ଦେଓଗାଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣ ମେହେର ନିଜ ଆସନରେ ବସି ରହିଥିଲେ I କିନ୍ତୁ ବିଜେଡ଼ି ସମର୍ଥିତ ବ୍ଲକ ଅଧକ୍ଷ ଦୟାନିଧି ଖମାରୀ, ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସହ ଅନ୍ୟ ବିଜେଡ଼ି କର୍ମୀ ଛିଡା ହୋଇ ରାଜ୍ୟ ସଙ୍ଗୀତକୁ ସମ୍ମାନ ଜଣାଇଥିଲେ I ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବସିଥିବା ଥିବା ବେଳେ ବର୍ତ୍ତମାନର ଅଧ୍ୟକ୍ଷ ଛିଡା ହେବା ଗୋଟିଏ ଅଲଗା ସନ୍ଦେଶ ଦେଉଛି ନିଶ୍ଚିତ I କିନ୍ତୁ ଗୋଟିଏ ଦଳର ନେତା ବିପରୀତ ଭାବେ ଉଭା ହୋଇଥିବାରୁ ଦେଓଗାଁରେ ସବୁ ଠିକଠାକ୍ ଚାଲୁନଥିବା ଏଥିରୁ ବାରି ହୋଇ ପଡୁଛି I