ବଲାଙ୍ଗିର, ନବନୀତା ବ୍ୟୁରୋ I ଓଡ଼ିଆ ଭାଷାରେ ନାମ ଫଳକ ପାଇଁ ସଚେତନତା ପଦଯାତ୍ରା I ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ସଚେତନତା ପଦଯାତ୍ରା ଶୁଭାରମ୍ଭ ହୋଇଛି I ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ଅତିଥି ଭାବେ ଯୋଗ ଦେଇ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ I ପଦଯାତ୍ରା ଜିଲ୍ଲା ସଦର ମହାକୁମା ସ୍ଥିତ ଡିଭିଜିଓନାଲ ଶ୍ରମ ଆୟୁକ୍ତଙ୍କ ଅଫିସରୁ ଭାଗିରଥି ଛକ, ପିପି ଏକାଡ଼େମୀ ଛକ, ବିକ୍ରମ ଛକ, ପାଟଣା ଛକ, କଚେରୀ ଛକ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଦେଇ ପୁଣି ଡିଭିଜିଓନାଲ ଶ୍ରମ ଆୟୁକ୍ତଙ୍କ ଅଫିସ ଯାଏଁ ଯାଇଥିଲା I
ପଦଯାତ୍ରା ମାଧ୍ୟମରେ ଦୋକାନ ବଜାର, ଶିଳ୍ପ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ତଥା ଜିଲ୍ଲାରେ ପ୍ରତିଷ୍ଠିତ ହୋଇଥିବା କୌଣସି ସଂସ୍ଥା ନିଜର ନାମଫଳକକୁ ଓଡ଼ିଆରେ ଲେଖିବା ପାଇଁ ପ୍ରଶାସନ ପକ୍ଷରୁ ସଂସ୍ଥାର ମାଲିକ, କର୍ତ୍ତୃପକ୍ଷ ତଥା ଜନସାଧାରଣଙ୍କୁ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଉତ୍ସାହିତ କରାଯାଇଥିଲା I ଶତାଧିକ ଲୋକ ବିଭିନ୍ନ ସଂସ୍ଥା ଏଥିରେ ସହଯୋଗ କରିଥିଲେ I ଓଡ଼ିଆ ଆମ ଭାଷା, ଆମ ରାଜ୍ୟ ଭାଷା ଭିତ୍ତିକ ରାଜ୍ୟ, ଓଡ଼ିଆ ଭାଷାକୁ ନେଇ ସଚେତନତା ଅଭାବ ଓ ନିଜ ଭାଷା ପ୍ରତି ଆଗ୍ରହ ନଥିବାରୁ ଆଜି ବି ଅଧିକାଂଶ ଦୋକାନ ବଜାରରେ ଲାଗିଥିବା ନାମ ଫଳକରେ ଓଡ଼ିଆ ଭାଷାର ବ୍ୟବହାର ହେଉନାହିଁ । ଆମ ଭାଷାର ମର୍ଯ୍ୟାଦା ଓ ସମ୍ମାନ ବୃଦ୍ଧି ପାଇଁ ସାରା ରାଜ୍ୟରେ ଓଡ଼ିଆ ପକ୍ଷ-୨୦୨୫ର ଚତୁର୍ଥ ଦିବସରେ ଓଡ଼ିଆରେ ନାମ ଫଳକ ଅଭିଯାନ ଆୟୋଜିତ ହୋଇଛି । ଏଥିରେ ଜିଲ୍ଲା ଶ୍ରମ ବିଭାଗ ଏବଂ ବଲାଙ୍ଗିର ପୌର ପରିଷଦର ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ I