ବଲାଙ୍ଗିର, ଏନଏନ ବ୍ୟୁରୋ । କୁଟାସିଙ୍ଗା ପାୱାର ଗ୍ରୀଡ୍ ସବ ଷ୍ଟେସନ ଉଦଘାଟିତ। ଏଥିରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇ 33/11 କେ.ଭି. ପାୱାର ସବ-ଷ୍ଟେସନର ଲୋକାର୍ପଣ କରିଛନ୍ତି । ଏ ଅବସରରେ ଗ୍ରାହକମାନଙ୍କୁ ବିଦ୍ୟୁତ୍ ସେବା ଓ ଏହାର ନିୟମିତ ଶୁଳ୍କ ପ୍ରଦାନ ଉପରେ ଉପଦେଶ ଦେଇଥିଲେ କେଭି । ଏଥିସହ ସରକାରଙ୍କ ବିଦ୍ୟୁତ୍ ସେବାକୁ ସୁଦୃଢ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଘୋଷଣା କରିଥିଲେ । ତାସହ ସାଂସଦ ସଙ୍ଗୀତା ସିଂଦେଓ ବିଦ୍ୟୁତ୍ ସରବରାହ ଭିତ୍ତିଭୂମିର ଆବଶ୍ୟକତା ଏବଂ ଏହାର ଉପଯୋଗିତା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ଓଡିଏସ୍ଏସପି ଫେଜ୍-4 ସ୍କିମରେ ପ୍ରାୟ 8 କୋଟି ଟଙ୍କା ଖର୍ଚ୍ଚରେ ଏହି ସବ ଷ୍ଟେସନ ନିର୍ମାଣ କରାଯାଇଛି। ଏହି ସବ୍-ଷ୍ଟେସନ୍ ଠାରୁ 4 ଗୋଟି ଫିଡର୍ ଲାଇନ୍ ଛକୋରମାଲ, କୁଟାସିଙ୍ଗା, ଲଛିପୁର ଏବଂ ରିଜର୍ଭ ଫିଡରକୁ ସଂଯୋଗ କରାଯାଇଛି । ଏହାଦ୍ଵାରା କୁଟାସିଙ୍ଗ ପଞ୍ଚାୟତ, ମୁରୁସୁଣ୍ଡ ପଞ୍ଚାୟତ, ବକଟି ପଞ୍ଚାୟତ, ଲଛିପୁର ପଞ୍ଚାୟତର ପ୍ରାୟ 3 ହଜାର 500 ବିଦ୍ୟୁତ୍ ଗ୍ରାହକ ଉପକୃତ ହେବେ । ପୂର୍ବରୁ ଏହି ସବୁ ଅଞ୍ଚଳକୁ ୧୫ କିମି ଦୂର ସାଲେଭଟା ଗ୍ରୀଡରୁ ବିଦ୍ୟୁତ୍ ସଂଯୋଗ କରାଯାଉଥିଲା । ଏବେ କୁଟାସିଙ୍ଗା ଗ୍ରୀଡ ହେବା ଫଳରେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ପ୍ରଦାନ କରାଯାଇପାରିବ । ଏହି ଗ୍ରୀଡ୍ ସବ-ଷ୍ଟେସନ୍ ଦ୍ୱାରା ସେହି ଅଞ୍ଚଳର ପ୍ରାୟ 500 କୃଷି ଭିତ୍ତିକ ଗ୍ରାହକ ମଧ୍ୟ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ପାଇ ପାରିବେ l
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସାଂସଦ ସଙ୍ଗୀତା ସିଂଦେଓ ଉପସ୍ଥିତ ଥିଲେ । ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କମ୍ପାନୀର ଅପରେସନ୍ ବିଭାଗ ମୁଖ୍ୟ ଆଶିଷ କୁମାର ପଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।