ନବନୀତା ବ୍ୟୁରୋ। ଅପରାହ୍ନରେ ଘର ବାଡିରେ କିଛି ଲୋକଙ୍କ ଭିଡ ଜମିଯାଏ। ଵାପା ବସିଵା ସ୍ଥାନରୁ ଉଠି ଦୌଡି ଯାଇ ଦେଖିଲେ ଏକ ବିରାଟ ଅଦ୍ଭୁତ ଭୟଙ୍କର ସର୍ପଟିକୁ ଲୋକ ଗୋଡାଉଛନ୍ତି। ମୋ ମନରେ କୌତୁହଳ ସୃଷ୍ଟି ହେଲା ମୁ ଵି ଵାପାଙ୍କ ପଛେ ପଛେ ଧାଇଁଲି। ଵାପା ବାଟ ଓଗାଳି ମତେ ଭିଡକୁ ଯିବାକୁ ମନାକଲେ। ଜମା ମାନିଲିନି। ଵାପା କହିଲେ-ପାଗିଳି ତୁ ଯା ଏଠି ବଡ ଲୋକଙ୍କ କାମ ତୋର ଏଠି ରହିବା ଆବଶ୍ୟକ ନାହିଁ। କିଛି ନ ମାନି ଜିଦ୍ ଧରିବାରୁ ଵାପା ଗୋଟେ ଶକ୍ତ ଚାପୁଡ଼ା ପକାଇଲେ। କାନମୁଣ୍ଡା ଭାଁ ଭାଁ ଶୁଭିଲା। ଆଖିରୁ ଥପ୍ ଥପ୍ ଲୁହ ନିଗିଡ଼ି ପଡିଲା। ମୋ ଜିଦକୁ ପୁରା କରିବାକୁ ଯାଇ ନିଜ ସୁଖକୁ ଭୁଲିଯାନ୍ତି,ସଵୁଵେଳେ ଚୁପଚାପ ଗମ୍ଭୀର ଥିବା ବାପା ଆଜି ବଡ ପାଟିକରି ଗାଳି ଦେଲେ ଏତେ ଲୋକଙ୍କ ସାମ୍ନାରେ। ପୁଣି ଜୀବନରେ କେଵେ ଥରୁଟିଏ ଵି ମୋ ଉପରକୁ ଉଠି ନ ଥିବା ହାତ ଆଜି ପଡିଶା ଲୋକଙ୍କ ଆଗରେ ମାଡ ମାରିଥିବାରୁ ଖୁବ୍ ଅଭିମାନ କଲି। ଦିନସାରା ଉପାସରେ ଗୋଟେ ଘର କୋଣରେ ବସି ରହିଲି।
ରାତ୍ରିରେ କବାଟ ଖୋଲି ଦେଖିଲି ଵାପା ପୁରା ଉଦାସୀନ ମନରେ ବସିଛନ୍ତି। ମାଙ୍କୁ କାରଣ ପଚାରିଵାରୁ ମା କହିଲେ- ତୁ ତ ଅଭିମାନ କରି ନଖାଇ ନପିଇ ଘର ଭିତରେ ରହିଲୁ। ସେଇ ପରଠାରୁ ବାପା ବି କିଛି ନଖାଇ ବସି ରହିଛନ୍ତି ଏମିତି। ଏତେ ଲୋକଙ୍କ ସାମ୍ନାରେ ବଢିଲା ଝିଅକୁ ହାତ ଉଠାଇ ଭୁଲ୍ କରିଛନ୍ତି କହି ଗୁମ୍ ମାରି ରହିଛନ୍ତି। ଵାପାଙ୍କ ପାଖକୁ ଯାଇ କୁଣ୍ଢାଇ ଧରି ଖୁବ୍ କାନ୍ଦିଲି ଆଉ ଅନୁତାପ ଵି କଲି। ସେଦିନ ଜାଣିଲି ବାପାଙ୍କ ହୃଦୟ ଯେତେ ପଥର ହେଉନା କାହିଁକି ସନ୍ତାନ ପାଇଁ ସଵୁଵେଳେ ଜଳ ପରି ଶୀତଳ ହୋଇଥାଏ। ବାପା ଛୁଆଙ୍କୁ ଯେପରି ସ୍ନେହ କରିପାରନ୍ତି ଠିକ୍ ସେମିତି ଅନୁଶାସନରେ ବାନ୍ଧି ରଖି ତାଙ୍କୁ ସଵୁ ବିପଦରୁ ରକ୍ଷା କରନ୍ତି। ବଡ ଝିଅଟା ଘର ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ସାପ ଦେଖିବାର ସଉକ କରୁକରୁ ଭୁଲି ଯାଇଥିଲା ବଡ ପିତୃ ସମାନ ଲୋକଙ୍କ କଥାକୁ କିପରି ସମ୍ମାନ କରାଯାଏ। ସତରେ ସେଥିପାଇଁ ତ ବା-ବାୟୁ,ପା-ପାଣି,ପବନ,ଆକାଶ ସହ ତୁଳନା କରାଯାଇଛି ଵାପାଙ୍କୁ। ସଵୁ ପରେ ବି ଆଖିରେ ଆଖିଏ ସ୍ଵପ୍ନ, ଛାତିରେ ଛାତିଏ ଯନ୍ତ୍ରଣା ଲୁଚାଇ ପିଲାର ସୁଖ ପାଇଁ ନିଜକୁ ଭୁଲିଯାଉଥିବା ମଣିଷଟି ହେଉଛି ବାପା।
