ଲେଖିକା ଶୁଭଶ୍ରୀ ମହାପାତ୍ରଙ୍କ ମନଛୁଆଁ ଗପ, ଶାବନା ଝିଅ..

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଆରେ ତୋ ଭଜନ ସେତିକି ଥାଉ, ସାଙ୍ଗ ମାନଙ୍କ ମେଳରେ ଥାଇ ଜଗା ବଡ଼ ପାଟିରେ କହିଲା ଅର୍କେଷ୍ଟ୍ରା ବାଲାକୁ। ରାତି ପ୍ରାୟ ନଅ ଟା ପାଖା ପାଖି ହେବ। ମୁଖ୍ୟ ରାସ୍ତାରେ ଚହଳ କମି ନ ଥିଲେ ମଧ୍ୟ ଯେହେତୁ ବାହା ଘର ପ୍ରସେଶନ ଯାଉଛି ତେଣୁ ଲୋକମାନେ ନିଜ ସୁବିଧାରେ ବାଟ କାଟି ପଳାଉଥାନ୍ତି।
ରଙ୍ଗବତୀ ଗୀତ ତାଳରେ ଗୋଡ଼ ପକାଇବା ଆରମ୍ଭ କଲା ପପ୍ପୁ ତା ସାଙ୍ଗକୁ ଯୋଗ ଦେଲା ମଣ୍ଟୁ, ଗୀତର ଶେଷ ଆଡ଼କୁ ଯୋଗ ଦେଲା ଜଗା। ଛୋଟ ଛୁଆମାନେ ନିଜ ଭିତରେ ବିନା ତାଳରେ ନାଚୁ ଥିଲେ। ସେତେବେଳକୁ ଜଗାର ସାଙ୍ଗମାନଙ୍କ ଉପରେ ବିଦେଶୀ ମଦ ନିଜ ପ୍ରଭାବ ବିସ୍ତାର କରି ସାରିଲାଣି।
ନାଗୀନ ଗୀତ ବେଳକୁ ବର ବସି ଥିବା ଗାଡ଼ିକୁ ଅଟକାଇ ରାସ୍ତା ଉପରେ ସର୍ପ ନୃତ୍ୟ ଚାଲିଲା।
ସେତେବେଳକୁ ବୋଧହୁଏ ଜଗାର ହୋସ୍ ନାହିଁ। ବ୍ୟାଣ୍ଡ ପାର୍ଟିର ଗାୟିକାଙ୍କ ଠାରୁ microphone ଛଡାଇ ଆଣି ନିଜେ ଘୋଷଣା କଲା ଧୁମ୍ ମଚାଲେ ଧୁମ୍…..।
ଗୀତ ଅଧା ହେଲା ବେଳକୁ ଝିଅ ଘର ଆଉ ପ୍ରାୟ ୫୦୦ ମିଟର। ଜଗା ବର ଗାଡ଼ିକୁ ଅଟକାଇ ଗାଡି ସାମ୍ନାରେ ନାଚି ଥିବା ବେଳେ ବାଜା ୱାଲା ଠାରୁ ଝୁମୁକାକୁ ଝିଙ୍କି ଆଣୁ ଆଣୁ ନିଶାରେ ନିଜକୁ ଆୟତ କରି ପାରି ପିଟି ହେଇ ଗଲା ସୁସଜ୍ଜିତ ଲାଇଟକୁ ମୁଣ୍ଡେଇ ଥିବା ଝିଅଟି ଦେହରେ।
ଶସ୍ତା ଶାଢ଼ୀ ପିନ୍ଧା ସେ ସାବନା ଝିଅଟି ଜଗାର ଆଘାତରେ ଚହଲି ଗଲା ବୋଧହୁଏ କିନ୍ତୁ ନିରୁତ୍ତର ରହିଲା।
ତା ପରେ ଯେତେ ଚେଷ୍ଟା କଲେ ମଧ୍ୟ ଆଉ ନାଚି ପାରିଲା ନାହିଁ ଜଗା,ସାଙ୍ଗମାନେ ଯେତେ ଭିଡ଼ିଲେ ମଧ୍ୟ ସେହି ସାବନା ଝିଅଟିର ଗନ୍ଧରେ ଅନ୍ୟ ମନସ୍କ ହୋଇ ଯାଇଥିଲା ଜଗା, ମୁଣ୍ଡରୁ ନିଶା ଖସି ଯାଇଥିଲେ ମଧ୍ୟ ଦେହ କିନ୍ତୁ ତା ଆୟତ୍ତରେ ନଥିଲା। ସତେ ଯେମତି ସେ ଝଅଟିର ଘୃଣା ମିଶା ଚାହାଣି ତାକୁ ବାରମ୍ବାର କ୍ଷତାକ୍ତ କରୁଥିଲା।
ରାସ୍ତା କଡ଼କୁ ଦୋୖଡି ଯାଇ ଗାଡି ଡିକିରୁ ଆଉ ଗୋଟେ ମଦ ବୋତଲ କାଢି ଏକା ଏକା ପିଇଦେଲା। କନ୍ୟା ଘର ପାଖାପାଖି ହେଇ ଯିବାରୁ ପ୍ର ସେଶନରେ କିଏ ବର ପକ୍ଷ କିଏ କନ୍ୟା ପକ୍ଷ ଜାଣି ହୋଉ ନଥିଲା।
ଶେଷ ନାଚଟା ଛକରେ ହେବ କହି ରାସ୍ତା ଉପରକୁ ଚାଲି ଆସିଥାଏ ଜଗା, ସମସ୍ତେ ନାଚୁଛନ୍ତି,କିନ୍ତୁ ନାଚି ପାରି ନାହିଁ କେବଳ ଜଗା, କେମିତି ଏକ ଦୁର୍ବଳତାରେ ଭାଙ୍ଗି ପଡୁଛି। ନା ଆଉ ହବନି, ନିଶାଟା ଖସି ଗଲେ ପ୍ରସେଶନଟା ବେକାର, ଆଉ ୧୦୦ ମିଟର ଗଲେ ଜିବନଟା ବେକାର ହେଇ ଯିବ ଭାବୁ ଭାବୁ ଅଣାୟତ୍ତ ହେଇ ଟଳି ଟଳି ପଡ଼ିଗଲା ସେହି ଝିଅଟି ଉପରେ।
ଭାରସାମ୍ୟ ହରାଇ ରାସ୍ତା କଡକୁ ପଡି ଗଲା ସେହି ଝିଅଟି।
ହୋ ହାଲ୍ଲା ଭିତରେ ଚାରି ଆଡେ ଅନ୍ଧାର, ନାନା ପ୍ରକାର ଗାଳି ତଥା ଗୋଇଠା ମାଡ଼ରେ କେହି ଜାଣି ପାରୁ ନଥାନ୍ତି କାହାକୁ ମାରି ଚାଲିଛନ୍ତି।
ପ୍ରାୟ ୧୫ ଦିନ ପରେ ନର୍ସିଂହୋମରୁ ସାନ ଭାଇ କାନ୍ଧରେ ହାତ ରଖି ଛୋଟେଇ ଛୋଟେ଼ଇ ବାହାରୁଚି ଜଗା। ପ୍ରସେଶନ୍ ସାଥି କେହି ଜଣେ ବି ପାଖରେ ନାହାନ୍ତି। ମୁଣ୍ଡଟା ଟିକେ ବୁଲେଇଲା ଭଳି ଲାଗୁଛି। ହାତରେ ଠାରି ଦେବାରୁ ସାନ ଭାଇ ପାଖରେ ଥିବା ଚେୟାର ଉପରେ ବସେଇ ଦେଇ ମେଡ଼ିସିନ୍ କିଣିବା ପାଇଁ ଚାଲି ଗଲା। ଚମକି ପଡିଲା ଜଗା, ପୁଣି ସେଇ ବାସ୍ନା, ମୁହୂର୍ତ୍ତକ ମଧ୍ୟରେ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ଉଚ୍ଚାଟ ହୋଇ ଉଠିଲା ସେଇ ବାସ୍ନାରେ। କ୍ଲାନ୍ତ ଅବସାନ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ଛୁଇଁ ଗଲା ସେଇ ବାସ୍ନା। ବସିବା ଜାଗାରୁ ଛୋଟେଇ ଛୋଟେଇ ଦୌଡିବା ଆରମ୍ଭ କଲା ନର୍ସିଂ ହୋମର ପାଚେରି ଆଡ଼କୁ।
ଥମ୍ କରି ଠିଆ ହୋଇ ଗଲା, ସେଇ ଶାଢ଼ୀ, ସେମିତି ତେଲ ମଖା ହେଇ ଥିବା ଚୁଟିର ବେଣୀ। ତା ହେଲେ ଇଏ କଣ ସେଇ ସବନା ରଙ୍ଗର ଝିଅ ଯାହାର ବାସ୍ନାରେ ଏବେ ବି ତାର ନାକ ରୁନ୍ଧି ହୋଇଯାଉଛି।
ଲୁଗାର କାନିକୁ ପାଟିରେ ପୁରାଇ ନିଶବ୍ଦ କୋହରେ ଲୁହ ଝରେଇ ଚାଲିଛି ଝିଅଟି। ସତେ ଯେମିତି ଜଗାର ଏହି ଅବସ୍ଥା ପାଇଁ ସେ ନିଜକୁ ଦାୟୀ କରୁଛି।
ଚାରୋଟି ଆଖି କେତେ ଯୁଗରୁ ବାକି ଥିବା କଥା ସବୁ ଗପି ଚାଲିଛନ୍ତି, କିନ୍ତୁ କେହି କାହା କଥା ଶୁଣି ପାରୁ ନାହାନ୍ତି। ଜଗାର ଏଭଳି ଅଵସ୍ଥାରେ ଦୌଡ଼ି ଦୋୖଡି ଆସିବାର ଦେଖି ନର୍ସ ଓ ତାର ସାନ ଭାଇ ତାକୁ ଧରି ନେଇ ଗଲେ।
ନର୍ସ ଜଣକ କହିଲେ ଏଇ ଝିଅଟି ସବୁ ଦିନ ସକାଳେ ମନ୍ଦିରରୁ ପାଦୁକ ଆଣି ଆସେ ଆପଣଙ୍କ ପାଇଁ, ହେଲେ ଡାକ୍ତରଙ୍କ ଅନୁମତି ନ ଥିବାରୁ ମୁଁ ଆଣି ଆପଣଙ୍କୁ ଦେଉଥିଲି।
କି ସମ୍ପର୍କ ତା ସାଙ୍ଗରେ ଆପଣଙ୍କର?
ନର୍ସକୁ ଉତ୍ତର ଦେବା ପାଇଁ ପଛକୁ ମୁଁହ ବୁଲାଇ ଦେଖେ ତ ସେଇ ଝଅଟି ସେ ଜାଗାରେ ନାହିଁ। ଅଛି କେବଳ ତାର ବାସ୍ନା, ଯାହା ଧିରେ ଧିରେ ସଂଚରି ଯାଉଛି ନର୍ସିଂ ହୋମ୍ ପରିସରରେ ଆଉ ତା ହୃଦୟ ରେ।…

Leave a Reply