ଲେଖିକା ବିଶ୍ୱଜିତା ପଣ୍ଡାଙ୍କ ମନଛୁଆଁ ଗପ ଭୟ, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ଭୁବନେଶ୍ୱର ଏନ୍ଏନ।  ଯୁଗବଦଳି ଯାଇଛି। ଦିନ ଥିଲା ମାଟି ଚୁଲିରେ ରୋଷେଇ ହେଉଥିଲା। ହିଟର ତା’ପରକୁ ଗ୍ୟାସ୍ ଚୁଲା,ଇଣ୍ଡକ୍ସନ୍। ଦିନ ଥିଲା ସେ କାଳର ଅରଟ,ତନ୍ତ କାମ ଓ ଖଦି ବସ୍ତ୍ରର ଚାହିଦା।ବର୍ତ୍ତମାନର ସମୟ ଆପଣ ମାନେ ତ ଜାଣି ପାରୁଥିବେ।ସମୟ ସହ ତାଳ ମିଶାଇ ଆଗକୁ ଚାଲିବା ପାଇଁ ପଡୁଛି।କିନ୍ତୁ ପ୍ରଶ୍ନ ହେଉଛି ଯେଉଁ ମାନେ ଏଥିରେ ଅସମର୍ଥ ,ପୁରୁଣା କାଳର ରୀତିକୁ ଜାବୁଡି ଧରି ବସିଛନ୍ତି ତାଙ୍କ ବିଶ୍ୱାସ ଆଗରେ ଆଜିର ସମାଜ କେତେ ପ୍ରଭାବିତ ? ଆସନ୍ତୁ ଜାଣିବା ସ୍ୱାତୀର କାହାଣୀ।
ସମ୍ଭାବନା ଓ ଝିଅ ସ୍ୱାତୀକୁ ନେଇ ହସଖୁସିର ସଂସାର ସଂଗ୍ରାମ ବାବୁଙ୍କର।ବ୍ୟବସାୟ ବି ଭଲ ଚାଲିଛି। ସଂଭ୍ରାନ୍ତ ପରିବାର ହିସାବରେ ବେଶ୍ ପରିଚିତ ସମାଜରେ। ଗୋଟିଏ ବୋଲି ଝିଅ ସ୍ୱାତୀ ,ଦେଖିବାକୁ ବହୁତ ସୁନ୍ଦର। କୋଟିଏରେ ଗୋଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମ୍ଭାବନାଙ୍କ ଇଚ୍ଛା ଝିଅର ବାହାଘର ଜଲଦି ହେଇଯାଉ।ଡର ଲାଗୁଛି, ଯୁଗ ଯେମିତି ପ୍ରତ୍ୟେକ ଦିନ ଖବର କାଗଜରେ ନଜରକୁ ଆସୁଛି କେଉଁଠି ଦୁଷ୍କର୍ମ ତ କେଉଁଠି ଝିଅ ଉପରେ ଏସିଡ୍ ଫିଙ୍ଗା। ସୁରକ୍ଷିତ ନାହାଁନ୍ତି ନାରୀ ମାନେ। ସ୍ୱାତୀକୁ ୧୮ବର୍ଷ ହେଲାଣି। ପାଠ ପଢୁଛି ସେ। ନୂଆ ନୂଆ କଲେଜ ଯାଇଛି। ବାହାଘର ମାନେ ସେ ବୁଝିଛି ନୂଆ ସାଙ୍ଗଟେ ମିଳିବ, ଯାହାକୁ ସେ ସବୁକଥା କହି ପାରିବ। ଏଣେ ଘରେ ଭଲ ପ୍ରସ୍ତାବଟିଏ ଆସିଛି ସ୍ୱାତୀ ପାଇଁ।

ଅନିମେଶ। ସଂଯୁକ୍ତା ଓ ଅଭିଜିତ୍ ବାବୁଙ୍କର ଏକମାତ୍ର ପୁଅ।ଅନିମେଶ ଚେନ୍ନାଇରେ ସଫ୍ଟୱେର ଇଞ୍ଜିନିୟର ଅଛି।ସେଠାରେ ସେ ପ୍ରାଚୀ ନାମ୍ନୀ ଜଣେ ଯୁବତୀଙ୍କୁ ଭଲ ପାଉଥିଲା ଓ ପରିବାରକୁ ଜଣାଇଥିଲା। କିନ୍ତୁ ଅନ୍ୟ ଜାତିର ବୋଲି ବାପା, ମା ମନା କରି ଦେଇଥିଲେ। ମା’ଙ୍କର ପସନ୍ଦ ସ୍ୱାତୀ। ଓଡ଼ିଆ ଘରର ଝିଅ।ଭାରୀ ସଂସ୍କାରୀ। ମା’ଙ୍କର ଜିଦ୍ ଯଦି ସ୍ୱାତୀ ସହ ବାହାଘର ପାଇଁ ଅନିମେଶ ମନା କରେ, ସେ ଜୀବନ ହାରି ଦେବେ। ନିଜର ଅନିଚ୍ଛା ସତ୍ତ୍ବେ ବାପା ,ମା ଙ୍କ ଖୁସି ପାଇଁ ରାଜି ହୋଇଗଲା ଅନିମେଶ। ବାହାଘର ସୁରୁଖୁରୁରେ ସଂପନ୍ନ ହେଲା।ସ୍ୱାତୀ ନିଜ ଘର ଛାଡ଼ି ଶାଶୁଘରକୁ ଆସିଲା। ସଂଯୁକ୍ତା ଦେବୀ ସ୍ୱାତୀକୁ ନିଜ ଝିଅ ପରି ସ୍ନେହ କରୁଥିଲେ। ସ୍ୱାତୀ ଏବେବି ଛୋଟ ପିଲା ପରି ଥିଲା। ବିବାହର ଉପଯୁକ୍ତ ବୟସ ହୋଇନଥିଲା ତା’ର।ହସଖୁସି, ସାଙ୍ଗସାଥି ସବୁ ଛାଡି ନୂଆ ଦୁନିଆକୁ ଆସିଲା। ହଠାତ୍ ତା ଜୀବନରେ ସବୁ ଘଟିଗଲା। ସ୍ୱାତୀ ଅନିମେଶ ସହ କଥା ହେଉଥିଲେ ମଧ୍ୟ ସଂପୂର୍ଣ୍ଣ ଭାବରେ ଗ୍ରହଣ କରିପାରିନଥିଲା କମ ସମୟରେ। ଏକାଠି ରହିବାକୁ ଡ଼ର ଲାଗୁଥିଲା। ତେଣୁ ସେ ସଂଯୁକ୍ତା ଦେବୀଙ୍କ ପାଖରେ ଶୋଉଥିଲା ରାତିରେ। ୫ଦିନ ପରେ ଅନିମେଶ ସ୍ୱାତୀକୁ ସାଙ୍ଗରେ ଧରି ଚେନ୍ନାଇ ଯିବାର ଥିଲା। ସମ୍ଭାବନା ଝିଅକୁ ଫୋନରେ ବୁଝେଇ ସୁଝେଇ ରାଜି କରିଦେଲେ ଯିବା ପାଇଁ।ଶେଷରେ ଦୁହେଁ ଚେନ୍ନାଇ ଗଲେ।
ଅନିମେଶ ସ୍ୱାତୀର ପରିସ୍ଥିତି ବୁଝି ପାରି ସାଙ୍ଗ ପରି ମିଶୁଥିଲେ ତା ସହ। ସ୍ୱାତୀ ମଧ୍ୟ ସହଜ ଅନୁଭବ କରିବାକୁ ଲାଗିଥିଲା।ଅନିମେଶ ଅଫିସ୍ ଯିବା ପରେ ସ୍ୱାତୀ ଘରେ ଏକା। ପ୍ରଥମ ଥର ପାଇଁ ସେ ଏତେ ବଡ ସହରକୁ ଯାଇଛି ,ଯେଉଁଠି ଲୋକେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଅନ୍ତିନି। ଇଂରାଜୀ ଓ ତାମିଲରେ କହିଲେ ହିଁ ବୁଝିବେ। ଅନିମେଶର ଫେରିବା ବାଟକୁ ଚାହିଁ ବସିଥାଏ ସ୍ୱାତୀ। ଅଫିସରୁ ଫେରିଲେ ଅନିମେଶ ଫ୍ରେଶ ହୋଇ ଦି ଜଣ ଖାଇ ସାରିଲେ। ଦିନ ପରେ ଦିନ ବିତିଗଲା କିନ୍ତୁ ସ୍ୱାତୀ ଯେହେତୁ ଅଜ୍ଞ ଥିଲା କିଛି ସଂସାରର ନିୟମ ବିଷୟରେ ,ତା ପାଇଁ ବାହାଘର ନୂଆ ସାଙ୍ଗଟେ ମିଳିଯିବା ଥିଲା , ସେ ସାଙ୍ଗ ହିଁ ଭାବୁଥିଲା ଅନିମେଶକୁ। ନିଜକୁ ଛୁଇଁବାକୁ ଦେଇନଥିଲା। ଅନିମେଶର ଇଚ୍ଛା ଥିଲା ତା ବୟସର ଝିଅ ସହ ବିବାହ କରିବା, ଯିଏ ତାକୁ ବୁଝି ପାରୁଥିବ। ପ୍ରାଚୀକୁ ସେ ବହୁତ ଭଲ ପାଉଥିଲା କିନ୍ତୁ ପରିସ୍ଥିତି ପାଇଁ ତା’କୁ ସ୍ୱାତୀକୁ ବିବାହ କରିବାକୁ ପଡ଼ିଲା। ଯିଏ ତା ଠାରୁ ବୟସରେ ୧୦ ବର୍ଷ ସାନ। ଅନିମେଶର ବ୍ୟବହାର ପରିବର୍ତ୍ତନ ହେବାକୁ ଲାଗିଲା।ସେ ସ୍ୱାତୀକୁ ବୁଝାଇବା ପରିବର୍ତ୍ତେ ଗାଳି କରିବାକୁ ଲାଗିଲା। ମଦ୍ୟପାନ କରି ବିଳମ୍ବିତ ରାତିରେ ଘରକୁ ଫେରିବା ନିୟମିତ ଅଭ୍ୟାସ ପାଲଟି ଯାଇଥିଲା ଅନିମେଶର। ପ୍ରତିବାଦ କଲେ ସ୍ୱାତୀକୁ ମିଳୁଥିଲା ବେଲ୍ଟ ମାଡ, କେବେ ବାଡିରେ ତ କେବେ ପାଖରେ ଯେଉଁ ଜିନିଷ ମିଳୁଥିଲା ଫୋପାଡ଼ି ଦେଉଥିଲା ସ୍ୱାତୀ ଉପରକୁ। ଭୁଲ୍ କ’ଣ ସ୍ୱାତୀ ବୁଝି ପାରୁନଥିଲା। ସମସ୍ତେ ଘରେ ଅନିମେଶକୁ ଭଲ ଭାବନ୍ତି, ଭଲ ପାଆନ୍ତି। ସ୍ୱାତୀ କଥାକୁ କେହି ବିଶ୍ୱାସ କରିବେନି ଭାବି ସେ ଘରେ କିଛି ଜଣାଉନଥିଲା।ଫୋନ୍ ବି ଛଡାଇ ନେଲା ଅନିମେଶ ସ୍ୱାତୀ ପାଖରୁ। ଯୋଗାଯୋଗ ପାଇଁ କିଛି ମାଧ୍ୟମ ନାହିଁ ଆଉ। ଜୋରଜବରଦସ୍ତ ସ୍ୱାତୀର ନିକଟତର ହେବା ପାଇଁ ଚେଷ୍ଟା କରି ବିଫଳ ହେବାରୁ ଅତ୍ୟାଚାର ସ୍ୱାତୀ ଉପରେ। ଏମିତି କି ଅଫିସ ଯିବା ବେଳେ ଘର ବାହାର ପଟରୁ ତାଲା ପକାଇ ଦେଇ ଯାଉଥିଲା।

ଦିନେ ରାତିରେ ଶୋଇଥିବା ସମୟରେ ସ୍ୱାତୀ ସାହାସ ଜୁଟାଇ ସାଙ୍ଗରେ କିଛି ଟଙ୍କା ଧରି ବାହାରକୁ ବାହାରି ଆସିଲା। ଅନ୍ଧାର ଶୁନଶାନ୍ ରାତିରେ ଚାଲି ଚାଲି ଟିକେ ଆଗକୁ ଯିବାପରେ ଗୋଟିଏ ଅଟୋ ଆସୁଥିବାର ଦେଖିଲା। ହାତ ଦେଖାଇ ଅଟୋକୁ ଅଟକାଇ ଷ୍ଟେସନ ଯିବା ପାଇଁ କହିଲା। ଟିକେ ଟିକେ ଇଂରାଜୀରେ କହିବା ସେ ଶିଖି ଯାଇଥିଲା। ଡରିଡ଼ରି ଭଗବାନଙ୍କୁ ସୁମରଣା କରି ଯାଉଥାଏ ସେ। ଷ୍ଟେସନରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ କୌଣସୀ ପ୍ରକାରରେ ଅନିମେଶ ଜାଣିପାରି ସେ ଆସି ଷ୍ଟେସନରେ ପହଞ୍ଚି ଯାଇଛି। କ’ଣ କରିବ ମୁଣ୍ଡରେ କିଛି ପଶୁନି। ଭୟରେ ଥରିଲାଣି ଯଦି ଅନିମେଶ ସହ ଘରକୁ ଯିବ ତାପରେ ବେଲ୍ଟ ମାଡ। ନା ମୁଁ ଯିବିନି। ଜୋରରେ ଚିତ୍କାର କଲା ସ୍ୱାତୀ Help Help Help !! ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ପୋଲିସ ଷ୍ଟେସନ ନେଇଗଲା ଓ ଦୁହିଁଙ୍କ ପରିବାରରେ ଖବର ଦେଲା।ଅନିମେଶକୁ ଡର ବି ଲାଗୁନଥାଏ। ସେ ପୋଲିସକୁ କ’ଣ ସବୁ ତାମିଲରେ କହୁଥାଏ ସ୍ୱାତୀ ବୁଝି ପାରୁନଥିଲା।ହାବଭାବରୁ ଲାଗୁଥିଲା ଯେପରି ସ୍ୱାତୀର ଦୋଷ ଦେଉଛି। ଅନୁମାନ ଠିକ୍ ଥିଲା ତାର ଅନିମେଶ ପୋଲିସକୁ କହୁଥିଲା ସ୍ୱାତୀର ଅନ୍ୟ ପୁରୁଷ ସହ ସଂପର୍କ ଅଛି ଓ ସେ ଘର ଛାଡି ରାତିରେ ପଳାଉଥିଲା। ବିଚାରୀ ସ୍ୱାତୀ। ପୋଲିସ ଯାହା ପଚାରିଲେ ସେ ନିରୁତ୍ତର।ଚୁପଚାପ୍ ବସିଥାଏ। ସଠିକ ଭାବରେ କହିବା ସେ ଜାଣିନି ତାମିଲ୍ ଅବା ଇଂରାଜୀରେ।ଖାଲି କାନ୍ଦୁଛି। କ’ଣ କରିବ ଭାବି ଭାବି ସେ ଜଣେ ମହିଳା ପୋଲିସଙ୍କୁ ଦେହର ଚିହ୍ନ ଦେଖାଇଲା। ପୋଲିସର ଯାଞ୍ଚ ପରେ ସେମାନେ ବିଶ୍ୱାସ କଲେ ଓ ଜାଣି ପାରିଲେ ଅନିମେଶର କର୍ତ୍ତୁତ୍ୱ। ସକାଳୁ ଦି ଜଣଙ୍କ ପରିବାର ଆସି ପହଞ୍ଚିଲେ ସବୁ କଥା ଜାଣି ପାରିଲେ। କୋର୍ଟ ପର୍ଯ୍ୟନ୍ତ କଥା ଗଲା। ୩ବର୍ଷ ଯାଏ Divorce ପାଇଁ case ଚାଲିଲା।

ଏବେ ଦୁହେଁ ଅଲଗା। ପୁଣି ଥରେ ଅନିମେଶ ବିବାହ କରି ଖୁସିରେ ଅଛି। କିନ୍ତୁ ସ୍ୱାତୀ ,ଜୀବନରେ ଘଟିଥିବା ପ୍ରତ୍ୟେକ ଜିନିଷକୁ ଭୁଲିପାରିନାହିଁ। ତା ମନ ଭିତରେ ଭୟ କାୟା ବିସ୍ତାର କରି ସାରିଛି। ଏଥିପାଇଁ ଦାୟୀ କିଏ ? ଦୋଷ କାହାର। ତା ଭାଗ୍ୟ ,ପରିସ୍ଥିତି ନା ଆଉ କାହାର। ଖୁସ୍ ମିଜାଜର ଝିଅଟା ଆଜି ଚୁପଚାପ୍ ପାଲଟି ଯାଇଛି।

Leave a Reply