ପୂର୍ବତଟ ରେଳପଥରୁ ଚାଲିବ ୫ଟି ଅତିରିକ୍ତ ଅନ୍ତରାଜ୍ୟ ଟ୍ରେନ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ରେଳ ଯାତ୍ରୀ ପାଇଁ ଖୁସି ଖବର। ପୂର୍ବତଟ ରେଳପଥ ପକ୍ଷରୁ ଆହୁରି ୫ଟି ଅନ୍ତରାଜ୍ୟ ଟ୍ରେନ ଚଳାଚଳ କରିବ। ଏନେଇ ଵିଜ୍ଞପ୍ତି ପ୍ରକାଶ କରିଛି ପୂର୍ବତଟ ରେଳବାଇ। ଦୁର୍ଗ ଓ ଅହମଦାବାଦକୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ ଚାଲିବ। ସେହିପରି ରାୟଗଡ଼ା ମାର୍ଗ ଦେଇ ବିଶାଖାପାଟଣା ଓ କୋର୍ବା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚାଲିବ। ଏଥିସହ ପୂର୍ବତଟ ରେଳପଥ ମଧ୍ୟ ଦେଇ ହାଓଡ଼ା ଓ ତିରୁଚିରାପଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚାଲିବ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେପ୍ଟେମ୍ବର ୧୨ରୁ ଚାଲିବ ଏହି ସ୍ୱତନ୍ତ୍ର ଟ୍ରେନ। ଏଥିପାଇଁ ସେପ୍ଟେମ୍ବର ୧୦ରୁ ବୁକିଂ କରାଯିବ।

ପୂର୍ବତଟ ରେଳପଥ ପକ୍ଷରୁ ଵିଜ୍ଞପ୍ତି ପ୍ରକାଶ ପାଇଥିବା ଟ୍ରେନ ଗୁଡିକ ହେଲା: ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ଦୈନିକ ସ୍ୱତନ୍ତ୍ର ଟ୍ରେନ ନମ୍ବର (୦୮୪୨୫/୦୮୪୨୬) ଆସନ୍ତା ୧୨ରୁ ଚାଲିବ। ଏହା ୧୨ ତାରିଖଠାରୁ ଭୁବନେଶ୍ୱରରୁ ସନ୍ଧ୍ୟା ୭.୫୫ମିରେ ଛାଡିବ ଏବଂ ସେପ୍ଟେମ୍ବର ୧୩ ତାରିଖ ଠାରୁ ଅପରାହ୍ନ ୪.୧୦ମିରେ ଦୁର୍ଗଠାରୁ ଛାଡିବ। ହେଲେ ଟ୍ରେନ୍ ଭୁବନେଶ୍ୱର ଓ ଦୁର୍ଗ ମଧ୍ୟରେ କଟକ, ଢେଙ୍କାନାଳ, ତାଳଚେର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଜି, ଖରିଆର ରୋଡ଼, ବାଗବାହାର, ମହାସମୁନ୍ଦ, ରାଇପୁର ଓ ଭିଲାଇ ପାୱାର ହାଉସଠାରେ ଉଭୟ ଦିଗରୁ ରହଣି କରିବ।
ସେହିପରି ରାୟଗଡା ମାର୍ଗ ଦେଇ ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ (୦୮୫୧୮/୦୮୫୧୭) ଚଳିତ ମାସ ୧୨ ତାରିଖଠାରୁ ବିଶାଖାପାଟଣାରୁ ସନ୍ଧ୍ୟା ୮. ୦୫ମିରେ ଛାଡିବ ଏବଂ ସେପ୍ଟେମ୍ବର ମାସ ୧୩ ତାରିଖ ଠାରୁ କୋର୍ବାରୁ ଅପରାହ୍ନ ୪.୧୦ମିରେ ଛାଡିବ। ତେବେ ଟ୍ରେନ୍ ବିଶାଖାପାଟଣା ଓ କୋର୍ବା ମଧ୍ୟରେ ବିଜୟନଗରମ, ବୋବିଲି, ପାର୍ବତୀପୁରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼, ମହାସମୁନ୍ଦ, ରାଇପୁର, ଟିଲଡା ନେଓରା, ଭଟପଡ଼ା, ବିଳାସପୁର, ଅକଲତାରା, ଯାଞ୍ଜଗିରି ନାଇଲା ଓ ଚମ୍ପାଠାରେ ଉଭୟ ଦିଗରୁ ରହଣି କରିବ।
ଏଥିସହ ଭୁବନେଶ୍ୱର – ଅହମଦାବାଦ – ଭୁବନେଶ୍ୱର
ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୮୪୦୫/୦୮୪୦୬) ଚାଲିବ। ଏହା ଆସନ୍ତା ୧୬ ତାରିଖଠାରୁ ଭୁବନେଶ୍ୱରରୁ ପ୍ରତି ବୁଧବାର ସନ୍ଧ୍ୟା ୬ ଟାରେ ଛାଡିବ ଓ ୧୮ ତାରିଖଠାରୁ ଅହମଦାବାଦ ଠାରୁ ପ୍ରତି ଶୁକ୍ରବାର ସନ୍ଧ୍ୟା ୬. ୪୦ମିରେ ଛାଡିବ। ଟ୍ରେନ୍
ଭୁବନେଶ୍ୱର ଓ ଅହମଦାବାଦ ମଧ୍ୟରେ ଢେଙ୍କାନାଳ, ତାଳଚେର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼, ମହାସମୁନ୍ଦ, ରାଇପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ୱର୍ଧା, ବଡ଼ନେରI, ଅକୋଲା, ମାଲ୍କାପୁର, ଭୁଷାବଲ ଓ ଆନନ୍ଦ ଷ୍ଟେସନ ମାନଙ୍କରେ ରହଣି କରିବ।
ତିରୁଚିରାପଲ୍ଲୀ-ହାଓଡ଼ା-ତିରୁଚିରାପଲ୍ଲୀ ଦ୍ବି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୨୬୬୪/୦୨୬୬୩) ମଧ୍ୟ ଚାଲିବ। ଚଳିତ ମାସ ୧୫ ତାରିଖଠାରୁ ତିରୁଚିରାପଲ୍ଲୀ ଠାରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଦିନ ଅପରାହ୍ନ ୪.୨୦ମିରେ ଛାଡିବ ଓ ୧୬ ତାରିଖଠାରୁ ହାଓଡ଼ାରୁ ପ୍ରତି ଗୁରୁବାର ଓ ରବିବାର ଅପରାହ୍ନ ୪.୧୦ମିରେ ଛାଡିବ। ତେବେ ଟ୍ରେନ୍ ରହଣି ସ୍ଥାନ ଗୁଡ଼ିକ ହେଲା – ତିରୁଚିରାପଲ୍ଲୀ ଓ ହାଓଡ଼ା ମଧ୍ୟରେ ବିଜୟୱାଡା, ବିଶାଖାପାଟଣା, ବିଜୟନଗରମ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ ଓ ଭଦ୍ରକ ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ।
କେବଳ ଏତିକି ନୁହେଁ, ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୨୫୦୯/୦୨୫୧୦) ଚଳିତ
ମାସ ୧୩ ତାରିଖଠାରୁ ଗୌହାଟୀରୁ ପ୍ରତି ରବି, ସୋମ, ମଙ୍ଗଳ ଦିନରେ ସକାଳ ୬.୨୦ମିରେ ଛାଡିବ ଏବଂ ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ବାଙ୍ଗାଲୋର କେଣ୍ଟରୁ ପ୍ରତି ବୁଧ, ଗୁରୁ ଓ ଶୁକ୍ରବାର ଦିନ ମାନଙ୍କରେ ରାତ୍ର ୧୧. ୪୦ମିରେ ଛାଡିବ। ହେଲେ ଟ୍ରେନଟି ଗୌହାଟୀ ଓ ବାଙ୍ଗାଲୋର ମଧ୍ୟରେ ରଙ୍ଗିଆ, ନ୍ୟୁ ଜଲପାଈଗୁଡ଼ି, ମାଲଦା ଟାଉନ, ହାଓଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା, ବିଜୟୱାଡା ସହିତ ଗୁରୁତ୍ବପୂର୍ଣ୍ଣ ଷ୍ଟେସନରେ ରହଣି କରିବ। 

ଉଭୟ ରେଳବାଇ ଯାତ୍ରୀ ସଂରକ୍ଷଣ କେନ୍ଦ୍ର ଓ ଆଇଆରସିଟିସି ୱେବ ସାଇଟ ରୁ ଟିକେଟ ଉପଲବ୍ଧ ହୋଇପାରିବ। କେବଳ ସଂରକ୍ଷିତ ଯାତ୍ରୀମାନେ ଟ୍ରେନ ରେ ଯାଇପାରିବେ। ପୂର୍ବରୁ ଚାଲୁଥିବା ନୂଆଦିଲ୍ଲୀ ରୁ ଭୁବନେଶ୍ୱର, ଭୁବନେଶ୍ୱର ରୁ ମୁମ୍ବାଇ, ଭୁବନେଶ୍ୱର ରୁ ହାଓଡ଼ା/ସିଆଲଦା ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୂର୍ବନିର୍ଧାରିତ ସମୟାନୁସାରେ ଚଳାଚଳ କରିବ।

Leave a Reply