ନବନୀତା ବ୍ୟୁରୋ। ଏହାରି ଭିତରେ କେତେ ଦିନ ବିତିଗଲାଣି ,କେତେ ଜଲଦି ଜଲଦି ସମୟ ଚାଲୁଛି। ଏହା ହିଁ ତ ସତ “ସମୟର ଚକ୍ର ଘୂରି ଚାଲେ” । ମୋହନ୍ ବାବୁ ଆଜି ପୁରୁଣା ଘଣ୍ଟାଟିକୁ ସଜାଡୁଛନ୍ତି। ଘଣ୍ଟାକଣ୍ଟା,ମିନିଟ୍ କଣ୍ଟାକୁ ଦେଖି ସମୟର ଚକ୍ର ବିଷୟରେ ଭାବୁଛନ୍ତି। ପେଶାରେ ସେ ଜଣେ ଅବସରପ୍ରାପ୍ତ ଯନ୍ତ୍ରୀ। ଗୋଟିଏ ଝିଅ ତାଙ୍କର, ତା’ର ବିଭାଘର ସରିଲାଣି। ଏଣିକି ସବୁ ଜଞ୍ଜାଳରୁ ମୁକ୍ତି ସେ। ପତ୍ନୀ (ନୀତୁ)ଙ୍କ ସହ ଭୂବନେଶ୍ୱର ସ୍ଥିତ ବାସଭବନରେ ରହୁଛନ୍ତି।
ନୀତୁ ଡାକ ପକାଇଲେଣି ସେପଟେ। ଶୁଣୁଛ ,ଖାଇବ ଆସ। ସେତେବେଳୁ ବସିଛ ପୁରୁଣା କାନ୍ଥଘଣ୍ଟାକୁ ଧରିକି। କ’ଣ ଦରକାର କହିଲ ? ନୂଆ ଘଣ୍ଟା ତ ଅଛି ,ଦେହ ଆଗ ନା ଜିନିଷ ଟା। ସ୍ମିତହାସ୍ୟ କରି ମୋହନ୍ ବାବୁ ଉତ୍ତର ଦେଲେ, ତୁମକୁ ବୁଝେଇ ହେବନି। ତଥାପି ଶୁଣ କହୁଛି।
ପିଲାଦିନର ଅଭୁଲା ସ୍କୃତି ,ମନକୁ ଯେତିକି ଆନ୍ଦୋଳିତ କରେ ସେତିକି କଷ୍ଟ ମଧ୍ୟ ଦିଏ। ଦିନ ଥିଲା ଘରେ ଖାଇବାକୁ ନଥିଲା ଆମର। ଗାଁରେ ମୋତେ ଓ ବୋଉକୁ ଛାଡି ବାପା ସହରରେ ରହି ରିକ୍ସା ଚଲାଉଥିଲେ। ବାପାଙ୍କର ରୋଜଗାର କମ୍ ବୋଲି ବୋଉକୁ ହୀନସ୍ତା ହେବାକୁ ପଡେ ;ଜେଜେ ମା,ବଡବୋଉ ଏମାନେ ବି ଘରର ସବୁ କାମ ବୋଉ ଦ୍ୱାରା କରାନ୍ତି। ବଡ ପରିବାର ,
ସମସ୍ତଙ୍କ ପାଇଁ ବୋଉ ଚୁଲିରେ ପତୁରୀ ଜାଳିକି ରୋଷେଇ କରୁଥିଲା। ଘରର ମୁରବୀ ଓ ଅନ୍ୟ ମାନେ ଖାଇ ସାରିବା ପରେ ବୋଉ ମୋ ପାଖକୁ ଆସି ମୋ କଥା ବୁଝେ, ୟା ଭିତରେ ସେ ନିଜ ଖାଇବା କଥା ଭୁଲି ଯାଏ। ଦିନକୁ ଦିନ ଅତ୍ୟାଚାର ବଢି ଚାଲିଲା। ମୁଁ ସେତେବେଳେ ଛୋଟ ହେଇଥାଏ ,ସବୁ ଦେଖୁଥାଏ କିଛି କରିପାରୁନଥାଏ। କିଛି ଦିନ ପରେ ଆମେ ବାପାଙ୍କ ସହ ଆସି ସହରରେ ରହିଲୁ।
ଛୋଟ ଘରଟିଏ। ଗାଁ ପରିବେଶରୁ ବହୁତ ନିଆରା। ଶାନ୍ତ,ସରଳ ଗାଁ ପରିବେଶ ତ ଏଠି ସହରର ଚଳଚଞ୍ଚଳ, କୋଳାହଳର ଦୃଶ୍ୟ। ଘର ମାଲିକ ଦୟା କରି ଘରଭଡା ଛାଡ଼ କରିଥିଲେ। ମୋର ବି ସରକାରୀ ସ୍କୁଲରେ ନାମ ଲେଖାଇ ଦେଲେ।
ଏଠି ବି ଆମର ଦଶା କହିଲେ ନସରେ। ଖରା,ବର୍ଷା ,ଶୀତ ,ଶାରୀରିକ କଷ୍ଟକୁ ପାଥେୟ ନକରି ବାପା ସବୁଦିନ ଯାଆନ୍ତି କାମ କରିବାକୁ। ଦିନେ ଦିନେ ବେଳାଏ ଖାଇଲେ ,ବେଳାଏ ଉପାସ ରହିବାକୁ ପଢ଼ୁଥିଲା କାରଣ ଯେତିକି ଦିନକୁ ରୋଜଗାର ହୁଏ, ସେ ଦିନ ହିଁ ସରିଯାଉଥିଲା, ଯାହା ଟିକକ ସଞ୍ଚିକି ରଖିଥିଲେ ମୋ ବହି ,ଖାତା ପାଠପଢା ଖର୍ଚ୍ଚରେ ପଳଉଥିଲା।
ସ୍କୁଲରେ ପଢ଼ିଲା ସମୟରେ ସାଙ୍ଗସାଥିଙ୍କୁ ଦେଖି କେତେ ଜିଦି କରୁଥିଲି ମୁଁ। ନୂଆ ସାର୍ଟ ପିନ୍ଧିବି,ନୂଆ ଜୋତା ପିନ୍ଧିବି।ଘରେ ଅଝଟ ହେଉଥିଲି। ମୋର ଅଳି ପୂରଣ କରିବା ପାଇଁ ରାତି ଦିନ ଏକ କରି ଦେଇଥିଲେ ବାପା। ରାତିରେ ଷ୍ଟେସନ ପାଖରେ ରିକ୍ସା ରଖି ବସୁଥିଲେ ରୋଜଗାର ଆଶାରେ। ତାଙ୍କ ଜୀବନରେ ନିଜର ଖୁସି କିଛି ବି ନଥିଲା। ଥିଲା ଖାଲି ସଂଘର୍ଷ ହିଁ ସଂଘର୍ଷ।
ତୁମେ ଜାଣିଛ ନୀତୁ, ମୁଁ ସତରେ ବହୁତ ଆଘାତ ଦେଇଛି ବାପା,ବୋଉଙ୍କୁ। ଥରେ ସ୍କୁଲରେ ଖାଇବା ପାଇଁ ଘରୁ ୫୦ ପଇସା ଲୁଚେଇ କି ନେଇ ଯାଇଥିଲି ।ସେ ସମୟରେ ୫୦ ପଇସାରେ ଦହିବରା ମିଳୁଥିଲା। ଘରକୁ ଆସି ଚୁପ୍ ଚାପ୍ ବସିଯାଇଥିଲି କିଛି ନଜାଣିଲା ପରି। ବୋଉ ପଇସା ଖୋଜିବା ବେଳେ ମୋତେ ହସ ଲାଗୁଥିଲା ,ସେ ଦିନ ରାତିରେ ଶୋଇପାରି ନଥିଲି ମୁଁ ,ସକାଳୁ ବୋଉକୁ ସତ କଥା କହି ଦେଇଥିଲି। ବୋଉ ମୋ ପିଠିରେ ହାତ ଥାପୁଡେଇ ଦେଇ କହିଥିଲା ଆଉ ଏମିତି କେବେ କରିବୁନି।
ଯେତେବେଳେ କଲେଜରେ ପଢ଼ିଲି ,ବୁଝି ପାରିଲି ଧୀରେ ଧୀରେ ପଇସାର ମୂଲ୍ୟ କ’ଣ। ଉଚ୍ଚ ଆଶା ରଖି ମନ ଦେଇ ପରିଶ୍ରମ କରି ପାଠ ପଢ଼ିଲି ,ଶେଷରେ ଚାକିରୀ ଟିଏ ମିଳିଲା। ପ୍ରଥମେ ବାପାଙ୍କୁ ଆସି ଜଣାଇଲି। ମୋ କଥା ଶୁଣି ବାପାଙ୍କ ଆଖିରୁ ଅଶ୍ରୁ ଝରିବାକୁ ଲାଗିଲା। ସେ ଲୁହ ଥିଲା ଖୁସିର। ଭଗବାନଙ୍କ କୃପାରୁ ଏତେ ଦିନର କଠୋର ତପସ୍ୟା ତାଙ୍କର ସାର୍ଥକ ହୋଇଗଲା।କହିଲେ ,ବାପାରେ ଆଜି ତୁ ମୋର ନାଁ ରଖିଦେଲୁ।
ଜୀବନ ,ମରଣର କାଳଚକ୍ରରେ ସମସ୍ତଙ୍କୁ ଗତି କରିବାକୁ ପଡେ ,ଏଥିରୁ କେହି ଛାଡ଼ ପାଇନାହାନ୍ତି। ଆଜି ବାପା,ବୋଉ ନାହାଁନ୍ତି ସତ କିନ୍ତୁ ତାଙ୍କର ଦେଇଥିବା ଆଦର୍ଶ ,ଶିକ୍ଷା ,ସଂସ୍କାର ଚିର ଦିନ ପାଇଁ ମୋ ସହ ରହିବ। ତାଙ୍କର ତ୍ୟାଗ ,ତାଙ୍କ ଋଣ ଆମେ କେବେ ବି ଶୁଝି ପାରିବାନି। ଜିନିଷ ପୁରୁଣା ହେଲେ କ’ଣ ହେଲା ,ଖରାପ ହେଲେ ଯଦି ସଜାଡି ହୋଇ ପାରିବ ନଫୋପାଡି ତିଆରି କରିଦେବା ଉଚିତ୍। କେତେ ସ୍କୃତି ଯୋଡ଼ି ହୋଇ ରହିଛି ଆମର ପ୍ରତ୍ୟେକ ଜିନିଷ ସହ। ଏଇ ଦେଖୁନ କାନ୍ଥଘଣ୍ଟା ପାଖରୁ ଆମେ କେତେ ବାଟ ପଳେଇଲେ କଥାରେ।
ନୀତୁ ମୋହନ୍ ବାବୁଙ୍କ ଠାରୁ ସବୁ ଶୁଣି କାନ୍ଦି ପକାଇଲେଣି ,ଭାବ ବିହ୍ୱଳ ହୋଇ କହିଲେ ,ମୁଁ ତୁମକୁ ବାଧା ଦେବିନି ,ତମେ କାମ କର। ପାଖକୁ ଖାଇବା ନେଇ ଆସୁଛି ,ଆଜି ମୁଁ ନିଜ ହାତରେ ତମକୁ ଖୁଆଇ ଦେବି।
