ଲେଖକ ବିଜୟ କୁମାର ସାହୁଙ୍କ ମନଛୁଆଁ କାହାଣୀ ଈର୍ଷା, ପଢ଼ନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। କଲିଂବେଲ୍ ଶବ୍ଦ ଶୁଣି ନିଦ ଭାଙ୍ଗିଗଲା ଅସୀମା ଦେବୀଙ୍କର । ସେମିତି କମ୍ବଳ ଭିତରେ ଥାଇ ଦେଖିଲେ କାନ୍ଥ ଘଡିକୁ । ଛଅଟା ବାଜିବାକୁ ଯାଉଥିଲା । ଶୀତଦିନେ ଛଅଟା ମାନେ ଆନ୍ଧାର ଛାଇ ଯିବଣି ବାହାରେ । ଧଡପଡ ହୋଇ ଉଠିଲେ ସେ । ସେମିତିରେ ଖରାବେଳେ କେବେ ଶୁଅନ୍ତିନି ସେ । ତେବେ ଆଜି ରବିବାର ଥିବାରୁ ଗଡିପଡିଲେ ଆଉ ଗଡୁ ଗଡୁ କେତେବେଳେ ନିଦ ଲାଗିଗଲା ଜାଣି ପାରିଲେନି । ଝିଅ ସୌମ୍ୟା ଥିଲେ ହୁଏତ ଉଠେଇ ଥାଆନ୍ତା, ମାତ୍ର ଏଇ ସପ୍ତାହେ ହେଲା ସେ ଯୋଗ ହେଇଛି ବାହାଘର ଆଗରୁ କରୁଥିବା ତା’ ପୁରୁଣା ଚାକିରୀରେ । କେଜାଣି କାହିଁକି ସୌମ୍ୟା ଏବେ ଆସି ରହୁଛି ଅସୀମାଦେବୀଙ୍କ ପାଖରେ । ଝିଅ ଜୋଇଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତାନ୍ତର ହୋଇଛି କିନ୍ତୁ ସେ ବିଷୟରେ ତାଙ୍କୁ ଜାଣିବାକୁ ଦେଇ ନାହାନ୍ତି କିଛି । ଝିଅକୁ ପଚାରିଲେ ନୀରବ ରହୁଛି । ଅଧିକ ପଚାରିଲେ ବିରକ୍ତ ହେଉଛି । ଜୋଇଁଙ୍କୁ ପଚାରିବା ପାଇଁ କହିଲେ ମନାକରୁଛି । କହୁଛି “ତୁ ବ୍ୟସ୍ତ ହୁଅନା, ସେ ଆସିବେ ଆପେଆପେ ।”ଛଅମାସ ବିତି ଗଲାଣି ଏ ଭିତରେ । ସୌମ୍ୟା ଘରେ ବସିବସି ବିରକ୍ତ ହେଉଛି ଆଉ ସେଥିପାଇଁ ବାଧ୍ୟ ହୋଇ ଯୋଗଦେଇଛି ତା ପୁରୁଣା ଚାକିରିରେ ।
ଧର୍ମସଂକଟରେ ପଡିଯାଇଛନ୍ତି ଅସୀମା ଦେବୀ । ସୌମ୍ୟା ତାଙ୍କର ଏକମାତ୍ର ସନ୍ତାନ । ତେଣୁ ସେ ଘରେ ମାସ ମାସ ରହିବାରେ କୌଣସି ଆପତ୍ତି ନାହିଁ ତାଙ୍କର କିନ୍ତୁ ଏମିତି ଜୋଇଁଙ୍କ ଠାରୁ ଅଲଗା ରହିବାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସେ । ସତରେ,ଏ ଝିଅଟା ତାଙ୍କ ପାଇଁ ସବୁକିଛି । ତିନି ବର୍ଷର ହୋଇଥିଲା ତା ବାପା ଆଦିତ୍ୟ ଅଚାନକ ଚାଲିଗଲେ ସଡକ ଦୁର୍ଘଟଣାରେ । ଅସୀମା ଦେବୀ ମୁକ ପାଲଟି ଗଲେ ଆଦିତ୍ୟଙ୍କର ଏପରି ଅଚାନକ ଆବର୍ତ୍ତମାନରେ । ସେ ବୁଝିପାରିଲେନି ସାତ କଳସ, ସାତ ଦିପକୁ ସାକ୍ଷୀରଖି ସାତ ଜନମ ପାଇଁ ସାଥୀ ହେବା ପାଇଁ ଶପଥ କରିଥିବା ମଣିଷଟା ଏମିତି ଅଧାବାଟରେ ଧୋଖା ଦେଇ ଚାଲିଗଲା କିପରି? ଆଦିତ୍ୟଙ୍କ ଶବକୁ ଜାବୁଡିଧରି ସେ ବାରମ୍ବାର ପଚାରୁଥିଲା ସେ ପଶ୍ନ, କିନ୍ତୁ ମଣିଷରୁ ମୁର୍ଦ୍ଦାର ପାଲଟି ଯାଇଥିବା ଆଦିତ୍ୟଙ୍କ ଠାରୁ କୌଣସି ଜବାବ ପାଇ ନଥିଲେ ସେ ଆଦିତ୍ୟଙ୍କ ଶବଟା ଜଳିପୋଡି ପାଉଁଶ ହୋଇଗଲା ସିନା, ତେବେ ତାଙ୍କ ସ୍ୱପ୍ନକୁ ପାଉଁଶ ହେବାକୁ ଦେବେନି ବୋଲି ଶପଥ କଲେ ଅସୀମା ଦେବୀ । ଏକମାତ୍ର ସନ୍ତାନକୁ ମଣିଷ କରିବା ପାଇଁ ପଦାକୁ ଗୋଡ କାଢିଲେ । ବହୁତ ଦୌଡାଦୌଡି କରି ସ୍ୱାମୀଙ୍କ ଅଫିସରେ ନିଜ ପାଇଁ ଚାକିରୀ ଖଣ୍ଡେ ଯୋଗାଡ କଲେ ସେ ଆଉ ତାପରେ ଚାଲିଲା ତାଙ୍କର ସାଧନା ସୌମ୍ୟାକୁ ମଣିଷପରି ମଣିଷଟିଏ କରିବା ପାଇଁ ।
ଝିଅକୁ ତା ବାପାଙ୍କ ଆଦର୍ଶରେ ଗଢିବାକୁ ଚେଷ୍ଟାକଲେ ସେ । ତାକୁ ଶିଖାଇଲେ ଚାଲିବାକୁ ନିଜ ଗୋଡରେ । ମାଟି ତାଡିବାକୁ ନିଜ ଶିଂଘରେ । ଝିଅ ମଧ୍ୟ ବଞ୍ଚିଲା ତା ନିଜ ଆଦର୍ଶରେ । ସରଳ ଜୀବନଚର୍ଯ୍ୟା କିନ୍ତୁ ଉଚ୍ଚଭାବନା । ସୀମିତ ଆଶା, ସୀମିତ ସ୍ୱପ୍ନ । କାହା ପାଖରେ ଅନୁନୟ ନାହିଁ । ଦେବତା ବା ଭାଗ୍ୟ ପାଖେ ସମର୍ପଣ ନାହିଁ । ନିଜକୁ ବଡକରି ଦେଖାଇବାର ସ୍ପୃହା ନାହିଁ କି ଛୋଟ ହୋଇ ଯିବାର ଅବସୋସ ନାହିଁ । ପ୍ରାପ୍ତିରେ ଆନନ୍ଦ ନାହିଁ, ଅପ୍ରାପ୍ତିରେ ବ୍ୟାକୁଳତା ନାହିଁ । ଗୀତାର ଭାଷାରେ- ସ୍ଥିତପ୍ରଜ୍ଞ ।“ଦୁଃଖେଷ୍ୱନୁଦ୍ୱିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ, ବୀତରାଗଭୟକ୍ରୋଧଃ ସ୍ଥିତ ଧୀର୍ମୁନିରୁଚ୍ୟତେ ।”
ତେବେ ବେଳେବେଳେ ଡରହୁଏ ଅସୀମା ଦେବୀଙ୍କର । ଏତେ ସରଳତା, ଏତେ ଖୋଲାପଣ ନେଇ କଣ ବଞ୍ଚିହେବ ଏ ଜଟିଳ ଦୁନିଆରେ? ତାଙ୍କର ମନେ ପଡିଥିଲା କେହି ଜଣେ ମହାପୁରୁଷ କହିଥିଲେ, ଜଙ୍ଗଳରେ ସିଧାସଳଖ ହୋଇ ବଢିଥିବା ଗଛଟି ହିଁ ଆଗ କଟା ହୋଇଯାଏ । ସତରେ କଣ ଏ ଦୁନିଆକୁ ଠିକ୍‌ରେ ସାମନା କରି ପାରିବ ତାଙ୍କ ଝିଅ? ତେବେ ସୁନ୍ଦର ଭଦ୍ର ସୁଶୀଳ ଓ ଉଚ୍ଚବେତନ ପ୍ରାପ୍ତ ସମ୍ବିତଙ୍କୁ ଜୋଇଁ କଲାପରେ ତାଙ୍କର ସେ ଆଶଙ୍କା କମିଥିଲା ଅନେକ ପରିମାଣରେ ।
ବାହାଘରର ବର୍ଷେ ପର୍ଯ୍ୟନ୍ତ ସବୁ ଚାଲିଲା ଠିକ୍‌ରେ । ମନେ ମନେ ଖୁସୀ ହୁଅନ୍ତି ଅସୀମା ଦେବୀ । ମଝିରେ ମଝିରେ ଝିଅ ଜୋଇଁ ଆସନ୍ତି ଘରକୁ । ଖୁସୀରେ ଉଛୁଳି ଉଠେ ଘର । ମମି, ମମି ବୋଲି ତାଙ୍କର ପିଛା ଛାଡନ୍ତିନି ସମ୍ବିତ ।
ତେବେ କଣ ହେଲା କେଜାଣି, ଦିନେ ଝଡ ଭଳି ସୌମ୍ୟା ଆସି ପହଞ୍ଚିଲା ଆସୀମା ଦେବୀଙ୍କ ପାଖରେ ଆଉ ଶୁଣାଇ ଦେଲା, ସେ ନିକଟ ଭବିଷ୍ୟତରେ ଯିବନାହିଁ ସମ୍ବିତଙ୍କ ପାଖକୁ । ରହିବ ଅସୀମା ଦେବୀଙ୍କ ପାଖରେ କିଛି ଦିନପାଇଁ । ହତବାକ୍ ହୋଇଗଲେ ଅସୀମାଦେବୀ ସୌମ୍ୟା ଏମିତି ଏକାଏକା ଆସିବାଟାକୁ ସହଜରେ ଗ୍ରହଣ କଲେ ନାହିଁ ସେ ।
ସମୟ ଗଡିଚାଲେ , ସମ୍ବିତ ଆସନ୍ତିନି । ଫୋନ ବି କରନ୍ତିନି, ସୌମ୍ୟା ବି ଫୋନ କରେନି । ଅସୀମା ଦେବୀ ଫୋନ କରିବାକୁ କହଲେ ରାଣ ନିୟମ ଦେଇ ମନା କରିଦିଏ । ନମ୍ବର ବି ଦିଏନି । ଧର୍ମ ସଂକଟରେ ପଡିଯାଆନ୍ତି ଦେବୀ । ତଥାପି ଆଶା ରଖନ୍ତି ନିଶ୍ଚୟ ସମ୍ବିତ ଦିନେ ଆସିବେ ଆଉ ନେଇ ଯିବେ ସୌମ୍ୟାକୁ ତାଙ୍କ ସାଙ୍ଗରେ । ସେଥିପାଇଁ ଅବେଳରେ କଲିଂବେଲ୍ ଶଦ୍ଦ ଶୁଣିଲେ ତାଙ୍କ ମନ ଭିତରେ ଆଶାଟିଏ ଉଙ୍କିମାରେ ତାଙ୍କର, ସମ୍ବିତ ଆସି ନାହାନ୍ତି ତ?
କବାଟ ଖୋଲିଲେ ଅସୀମା ଦେବୀ । ବାହାରେ ଠିଆ ହୋଇଥାଏ କାମବାଲି ସରଳା । ସାଙ୍ଗରେ ତାର ଜଣେ ଅଜଣା ଯୁବକ । ଦ୍ୱନ୍ଦରେ ପଡିଗଲେ ସେ ।
‘‘ଇଏ ମୋ ବର । ଆସିଛନ୍ତି ଆଜି । ତାଙ୍କ ଭୁଲ ସେ ବୁଝି ପାରିଛନ୍ତି । ପ୍ରାୟଶ୍ଚିତ ପାଇଁ ସୁଯୋଗ ଦେବା ପାଇଁ ଅନୁରୋଧ କରୁଛନ୍ତି । ମୁଁ କହିଲି ଚାଲ ବାବୁଆଣୀଙ୍କ ପାଖକୁ । ବାବୁଆଣୀ ମୋ ଆନ୍ନଦାତ୍ରୀ । ତାଙ୍କ ପାଇଁ ବଞ୍ଚିଛି ମୁଁ । ସେ ଦୟା କରିନଥିଲେ ଆଜି ନ ଥାନ୍ତି ଏଠାରେ । ସେ ଯାହା କହିବେ ତାହାହିଁ ହେବ । କହିଲା ସରଳା ଲାଜ ଲାଜ ହୋଇ ।
ଅସୀମା ଦେବୀ ଲକ୍ଷ କଲେ ସରଳାକୁ । ଖୁସୀର ବିନ୍ଦୁଟିଏ ଝଲମଲ କରୁଛି ତା ମୁହଁରେ । ତା ମାନେ କ୍ଷମା କରି ଦେଇଛି ତା ସ୍ୱମୀକୁ । ଗ୍ରହଣକରି ସାରିଛି ଭୁଲିଯାଇ ତାର ସମସ୍ତ କୁକର୍ମକୁ । ମୋ ପାଖକୁ ଆସିଛି କେବଳ ସୌଜନ୍ୟ ଦୃଷ୍ଟିରୁ, ଅଥଚ ଏ ସରଳା ଦିନେ ଚିତ୍କାର କରି କହୁଥିଲା,“ମରିଯିବି ପଛେ ମୁହଁ ଚାହିବିନି ସେ ଲୋକଟାର । ତାକୁ ଭରସା କରି ଘରଦ୍ୱାର ବାପାମାଆ ସମସ୍ତଙ୍କୁ ଛାଡି ଦେଲି ଅଥଚ ଅନ୍ୟ ଗୋଟେ ଟୋକୀର ପାଲରେ ପଡି ମତେ ଛାଡି ଦେଲା ସେ ଲୋକ । ଜୀବନ ଥିଲା ପର୍ଯ୍ୟନ୍ତ ବିଶ୍ୱାସ କରିବିନି ସେ ଲୋକକୁ ।”
ଅସୀମା ଦେବୀଙ୍କର ମନେ ପଡୁଥିଲା ସେଦିନ କଥା । ଏମିତି ଗୋଟେ ସଂଧ୍ୟା ବେଳେ କଲିଂବେଲ ବଜାଇ ଥିଲା ଏଇ ସରଳା । କବାଟ ଖୋଲିଲା ପରେ ଘବରେଇ ଯାଇଥିଲେ ତାକୁ ଦେଖି । ତିନିଦିନ ହେଲା ଖାଇ ନ ଥିଲା ସେ । ତାକୁ ପ୍ରଥମେ ଖାଇବାକୁ ଦେଇ ସୁସ୍ଥ କରିଥିଲେ ଆଉ ତା ପରେ ଶୁଣିଥିଲେ ସବୁ ଘଟଣା । ସରଳାର ବାପା ଥିଲେ ତାଙ୍କ ସହରର ନାମଜାଦା ରାଜମିସ୍ତ୍ରୀ ଆଉ ସରଳାର ସ୍ୱାମୀ ରାଜେଶ୍ କାମ ଶିଖୁୁଥିଲା ତାଙ୍କ ପାଖରେ । ସେତିକିବେଳେ ସରଳା ପ୍ରେମରେ ପଡି ଯାଇଥିଲା ରାଜେଶ୍‌ର ଆଉ ଘର ଛାଡି ପଳେଇ ଆସିଥିଲା ତା ସାଙ୍ଗରେ ଏଇ ସହରକୁ । ରହିଲେ ଘରଭଡା ନେଇ ଏକ ଝୁପୁଡି ବସ୍ତିରେ । ରାଜେଶ୍ ମିସ୍ତ୍ରୀ କାମ କରି ଯାହା ଆଣୁଥିଲା, ସେଥିରେ ଚଳି ଯାଉଥିଲେ ସେମାନେ । ତେବେ ରାଜେଶ ତା ପାଖରେ କୁଲି କାମ କରୁଥିବା ଗୋଟେ ଝିଅକୁ ଧରି ଚମ୍ପଟ ମାରିଲା ଦିନେ ଯେ ପତ୍ତା ମିଳିଲାନି ତାର । ତା’ ଫେରିବା ବାଟକୁ ଅନାଇ ଘରେ ପଡି ରହିଲା ସରଳା । ନୁଆ ଜାଗାରେ କାହାକୁ ବା ଚିହ୍ନିଛି ସିଏ? ଘରେ ଯାହା ଥିଲା ସରିଗଲା ତିନିଦିନ ଭିତରେ । ଶେଷରେ ତିନି ଦିନ ଉପାସ ରହିବା ପରେ ପହଞ୍ଚିଥିଲା ଅସୀମା ଦେବୀଙ୍କ ପାଖରେ ଆଉ କହିଥିଲା ତା’ ଦୁଃଖ କଥା । ଅସୀମା ଦେବୀ ଭରସା ଦେଇଥିଲେ ତାକୁ । ଘର କାମରେ ଲଗାଇଥିଲେ । ଆଉ ଦୁଇତିନି ଘର ବି ବୁଝି ଦେଇଥିଲେ । ସେଥିରେ ଦୁଃଖ କଷ୍ଟେ ଚଳି ଯାଉଥିଲା ସରଳା ।
ଏ ଭିତରେ ଅସୀମା ଦେବୀଙ୍କ ଗୋଡ ତଳେ ପଡି ଯାଇଥିଲା ରାଜେଶ୍ ଆଉ କ୍ଷମା ମାଗିଥିଲା ତାର ହୋଇ ଯାଇଥିବା ଭୁଲ ପାଇଁ । ଅସୀମା ଦେବୀ ଘରେ ନେଇ ବସାଇ ଥିଲେ ତାକୁ । ସରଳାକୁ କହିଥିଲେ ଚା ଜଳଖିଆ ଆଣିବାକୁ ରାଜେଶ୍ ପାଇଁ ।
ରାଜେଶକୁ ଚା ଜଳଖିଆ ଦେବା ପରେ କାମରେ ଲାଗିପଡିଥିଲା ସରଳା ।
ଅସୀମା ଦେବୀ ଦେଖୁଥିଲେ ଦୁଇ ଜଣଙ୍କୁ । ଖସୀରେ ଝଲକଟିଏ ଖେଳି ଯାଉଥିଲା ଦୁଇ ଜଣଙ୍କ ମୁହଁରେ । ସେ ଭାବୁଥିଲେ ସତରେ କେତେ ସହଜରେ ସେମାନେ ଭୁଲିଗଲେ ପୂର୍ବର ଦୁର୍ଘଟଣା ଆଉ ବୁଝାମଣା କରିନେଲେ ପରସ୍ପର ମଧ୍ୟରେ । ଅଥଚ ତାଙ୍କ ଝିଅ ସୌମ୍ୟା ଆଉ ଜୋଇଁ ସମ୍ବିତ? ଯଥେଷ୍ଟ ଅଧିକ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଏମାନଙ୍କ ଠାରୁ । ଯଥେଷ୍ଟ ଅଧିକ ସେମାନଙ୍କର ସାମାଜିକ ପ୍ରତିଷ୍ଠା ଏମାନଙ୍କ ତୁଳନାରେ । ଅଥଚ ଜୀବନଟା ଏମାନଙ୍କ ଭଳି ଏତେ ସହଜ ନୁହେଁ ସେମାନଙ୍କର କାହିଁକି? ଗୋଟେ ଛୋଟ ଦୁର୍ଘଟଣାକୁ ନେଇ ସେମାନେ ଗଣ୍ଠିକରି ବସିଛନ୍ତି କାହିଁକି? କୁଆଡେ ଗଲା ସୌମ୍ୟାର ସ୍ଥିତପ୍ରଜ୍ଞ ହୋଇଯିବାର ଆଦର୍ଶ?
ସରଳାର କାମ ସରିଯାଇଥିଲା । ସେ ଅନୁମତି ମାଗୁଥିଲା ଯିବା ପାଇଁ । ଅସୀମା ଦେବୀ ତା ହାତକୁ ବଢେଇ ଦେଲେ ତାଙ୍କର ଗୋଟେ ପୁରୁଣା ଅଥଚ ଭଲ ଶାଢୀ । ଅତ୍ୟନ୍ତ ଆଗ୍ରହ ସହକାରେ ଗ୍ରହଣ କଲା ସେ ଆଉ ପାଦ ଛୁଇଁଲା ଆସୀମା ଦେବୀଙ୍କର । ମେଞ୍ଚାଏ ସୁନେଲି ରଙ୍ଗର ଲଜ୍ଜା ବୋଳି ହୋଇଥିଲା ତା ମୁହଁରେ । ଅସୀମା ଦେବୀ ଚାହିଁଲେ ତା ମୁହଁକୁ ପୁଣି ପାଖରେ ଟିଭି ସାମନାରେ ବସିଥିବା ଝିଅ ସୌମ୍ୟାକୁ । ସୌମ୍ୟାର ଦୃଷ୍ଟି ନ ଥିଲା ଟିଭି ଉପରେ । ସେ ବୁଡିଯାଇଥିଲା ତା ନିଜସ୍ୱ ଚିନ୍ତାରେ । ସରଳା ହସହସ ମୁହଁ ଆଗରେ ମଳିନ ପଡିଯାଇଥିଲା ସୌମ୍ୟାର ମୁହଁ । ଅସୀମା ଦେବୀ କଳ୍ପନା କରୁଥିଲେ ସୌମ୍ୟାକୁ ରଖି ସରଳା ସ୍ଥାନରେ । ଏମିତି ହୋଇ ନ ଥାନ୍ତା, ପ୍ରସ୍ତୁତ ହୋଇ ସୌମ୍ୟା ମେଲାଣି ମାଗୁଥାନ୍ତା ଯିବା ପାଇଁ ତା’ ଘରକୁ ଜୋଇଁ ରାଜେଶ୍ ସାଙ୍ଗରେ । ସୌମ୍ୟାର ମୁହଁଟା ଲାଲ ଦିଶୁଥାନ୍ତା ଖୁସୀ ଆଉ ଲଜ୍ଜାର ଫେଣ୍ଟାଫେଣ୍ଟି ରଙ୍ଗରେ ।
ଅସୀମା ଦେବୀ ଏଥର ରୀତିମତ ଈର୍ଷା କରିବାକୁ ଆରମ୍ଭ କଲେ ସରଳାକୁ । କେବଳ ସରଳା ନୁହେଁ, ସେ ଈର୍ଷାକଲେ ସବୁ ଗରୀବମାନଙ୍କୁ ଯେଉଁ ମାନେ ଅତି ସହଜରେ ଜିତି ଯାଆନ୍ତି ରାଗ, ଦ୍ୱେଷ, ମାନ, ଅଭିମାନକୁ ।
“ମୁଁ ଆସୁଛି,ମାଆ ।” ସରଳାର ଡାକରେ ଚେତନା ଫେରିଲା ଅସୀମା ଦେବୀଙ୍କର ।
“ହଉ ଯାଆ, କାଲି ଭୋରରୁ ଜଲଦି ଆସିବୁ । ଅଧିକ ରାତିରେ ଶୋଇଲେ ନିଦ ଭାଙ୍ଗିବନି । ହେଲା…।ବାବୁଆଣୀ କହିଲେ ସରଳାକୁ । କହିଲା ବେଳେ ବହୁତ ଚେଷ୍ଟା କଲେ ଯେମିତି ତାଙ୍କ ସ୍ୱରରୁ ମୋଟେ ଜଣା ପଡିବନି ଯେ ସେ ଇର୍ଷା କରୁଛନ୍ତି ସରଳା ଉପରେ ।
ସରଳାଟା ସବୁଦିନେ ସରଳ । ସେ କିଛି ଜାଣି ପାରିଲିନି । ହେଲେ ବାବୁଆଣୀ ନିଜେ ଜାଣି ପାରୁଥିଲେ ।
……………………………………………
ସହକାରୀ ଯନ୍ତ୍ରୀ,ଜାତୀୟ ରାଜପଥ ମଣ୍ଡଳ
ସମ୍ବଲପୁର