କାହିଁକି ନିର୍ବାଚନ ଲଢିବେ ନାହିଁ ନରସିଂହ, ପଢ଼ନ୍ତୁ ଏହି ଖବର

ଓଡ଼ିଶାରାଜନୀତିସ୍ପେଶାଲ

ଏନ୍ଏନ୍ ବ୍ୟୁରୋ I ରାଜନୀତିର ପୋଖତ ଖେଳାଳି ନରସିଂହ ମିଶ୍ରଙ୍କ ବଡ଼ ଘୋଷଣା I ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସିଧାସଳଖ ଭାବେ କହିଛନ୍ତି ନରସିଂହ ମିଶ୍ର। କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଉ ପ୍ରାର୍ଥୀ ଭାବରେ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ହେଲେ ନିର୍ବାଚନ ସିନା ଲଢ଼ିବେ ନାହିଁ କିନ୍ତୁ ରାଜନୀତି କି କଂଗ୍ରେସ ଦଳ ଛାଡିବେ ନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର। ଯଦି ନରସିଂହ ମିଶ୍ର ନିର୍ବାଚନ ନ ଲଢନ୍ତି ତାଙ୍କ ଜାଗାରେ ନିର୍ବାଚନ କିଏ ଲଢିବ ସେନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ସେପଟେ ବୟସ ଦୃଷ୍ଟିରୁ ତଥା ସ୍ୱାସ୍ଥ୍ୟଗତ କାରଣରୁ ଲୋକଙ୍କ ସେବା କରିବା ସେତେ ସମ୍ଭବ ନୁହେଁ ବୋଲି କହିଛନ୍ତି ନରସିଂହ। ଏଥିପାଇଁ ସେ ଆସନ୍ତା ୨୦୨୪ରେ ସିଧାସଳଖ ନିର୍ଵାଚନରେ ଛିଡା ହେବେ ନାହିଁ ବୋଲି କହିଛନ୍ତି।

ହେଲେ କିଛି ଗଣମାଧ୍ୟମ ତାଙ୍କର ଏହି କଥାକୁ ନେଇ ଭୁଲ ଓ ବିଭ୍ରାନ୍ତିକର ଖବର ପରିବେଷଣ କରିଥିବା କହିଛନ୍ତି ବିଧାୟକ ନରସିଂହ ମିଶ୍ର। ଏନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ସେ ନିର୍ବାଚନ ଲଢ଼ିବେ ନାହିଁ କିନ୍ତୁ ରାଜନୀତି ଛାଡିବେ ନାହିଁ କି ଦଳ ଛାଡିବେ ନାହିଁ ବୋଲି ସେ କହିଛନ୍ତି। ଯଦି ଲୋକେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅପିଲ କଲେ ସେ ଲୋକଙ୍କୁ ବୁଝାଇବେ ବୋଲି କହିଛନ୍ତି। କାରଣ ବୟସ ଓ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଲୋକଙ୍କ ସେବା କରିବା ପାଇଁ ସମର୍ଥ ହେବେ ନାହିଁ ବୋଲି କହିଛନ୍ତି। ଏବଂ କଂଗ୍ରେସ ଦଳ ମଧ୍ୟ ଏହି କଥା ବୁଝି ପାରିବ ବୋଲି ସେ କହିଛନ୍ତି। ତେବେ ତାଙ୍କ ସ୍ଥାନରେ ପରିବାରର ଅନ୍ୟ କେହି ନିର୍ବାଚନ ଲଢ଼ିବେ କି ବୋଲି ପଚାରିବାରୁ ତାହା ଦଳ ଓ ବ୍ୟକ୍ତି ଉପରେ ନିର୍ଭର କରେ ବୋଲି କହିଛନ୍ତି ନରସିଂହ ମିଶ୍ର।

ଠିକ୍ ନିର୍ବାଚନ ପୂର୍ବରୁ ଗତ ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗିର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଭେଟରାନ ନେତା ଅନଙ୍ଗ ଉଦୟ ସିଂହଦେଓ ଓ ନରସିଂହ ମିଶ୍ର ସେ ସମୟରେ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ନରସିଂହ ମିଶ୍ର 2019 ନିର୍ବାଚନରେ ପାର୍ଥି ହୋଇ ଛିଡା ହୋଇଥିଲେ। ତେବେ ଲୋକଙ୍କ ଦାବି ଓ ଭଲ ପାଇବା ଯୋଗୁଁ ନିର୍ବାଚନ ଲଢ଼ି ବିଜୟୀ ମଧ୍ୟ ହୋଇଥିଲେ। ହେଲେ ଏଥର ପୁଣି ସେ ନିର୍ବାଚନରେ ଆଉ ପାର୍ଥି ହେବେ ନାହିଁ ବୋଲି ଘୋଷଣା କରିଥିବାରୁ ସାଧାରଣରେ ଜୋରସୋର୍ ଚର୍ଚ୍ଚା ଆରମ୍ଭ ହୋଇଛି I

ସୂଚନାଯୋଗ୍ୟ ଯେ, ଗତ ୨୦୧୯ରେ ନରସିଂହ ମିଶ୍ରଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଟିକେଟରୁ ବଲାଙ୍ଗିର ସାଂସଦ ପାଇଁ ନିର୍ବାଚନ ଲଢ଼ିଥିଲେ। ଏବଂ ତାଙ୍କ ବାପା ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭାରୁ ନିର୍ବାଚନ ଲଢ଼ିଥିଲେ। ହେଲେ ନିର୍ବାଚନରେ ତାଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର ପରାଜିତ ହୋଇଥିବା ବେଳେ ନରସିଂହ ମିଶ୍ର ବିଜୟୀ ହୋଇଥିଲେ। ସମରେନ୍ଦ୍ର ରାଜନୀତିରେ ସକ୍ରିୟ ନଥିବା ବେଳେ ବଡ଼ ପୁଅ ଅମରେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ନଜିର୍ ରହିଛି I ଏହାରି ମଧ୍ୟରେ ଏବେ ନରସିଂହ ମିଶ୍ର ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିବା ପରେ ତାଙ୍କ ବଡ ପୁଅ ଅମରେନ୍ଦ୍ର ମିଶ୍ର ନିର୍ବାଚନରେ ଛିଡା ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

Leave a Reply