ଏନ୍ଏନ୍ ବ୍ୟୁରୋ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅକ୍ଷି ମୁଠି ଅନୁକୂଳ। ବଲାଙ୍ଗିର ଲର୍କିପାଲି ସ୍ଥିତ ରାଜେନ୍ଦ୍ର କୃଷି ଫାର୍ମରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ ହୋଇଛି I ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଖି ମୁଠି ଅନୁକୂଳ କରିଥିଲେ I ଅତିରିକ୍ତ ଜିଲ୍ଲାପାଳଙ୍କୁ ଭବ୍ୟ ସ୍ଵାଗତ କରଯାଇଥିଲା। ଗିନି ମୃଦଙ୍ଗ ଓ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ଅଞ୍ଚଳ। ପରେ ମହିଳାମାନେ ଲମ୍ବୋଦର ଧରୁଆଙ୍କ ଗୋଡ଼ ଧୋଇବା ପରେ ମୁଣ୍ଡରେ ପଗଡ଼ି ପିନ୍ଧା ଯାଇଥିଲା। କୁନି କୁନି ଝିଅମାନେ ଗିନି ମୃଦଙ୍ଗ ବଜାଇ ତାଙ୍କୁ ବିଲ ଯାଏ ପାଛୋଟି ନେଇଥିଲେ।
ବିଲରେ ପୁରୋହିତ ପୂଜା ପାଠ କରିବା ପରେ ଏଡିଏମ ଲମ୍ବୋଦର ଧରୁଆ ଅକ୍ଷି ମୁଠି ଅନୁକୂଳ କରିଥିଲେ। କେବଳ ଏତିକି ନୁହେଁ, ବିଲରେ ଲଙ୍ଗଳ ବୁଲାଇ ନିଜେ ହଳ କରିଥିଲେ ଅତିରିକ୍ତ ଜିଲ୍ଲାପାଳ I ଏହାପରେ ସେଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇ କୃଷକ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଚାଷୀଙ୍କୁ ବୁଝାଇଥିଲେ I ଏ ଅବସରରେ ଜିଲ୍ଲାର ୪ ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା I ତେବେ ଅକ୍ଷି ତୃତୀୟା ଦିନ ବିଲରେ ଧାନ ବୁଣିଲେ କୌଣସି କ୍ଷତ ହୁଏ ନାହିଁ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ I ଅନ୍ୟପଟେ ଚାଷ ପାଇଁ ଜିଲ୍ଲାର ଚାଷୀ ଯେମିତି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇ ପାରିବେ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା I ଏପରିକି ଆଗୁଆ ୧୫୮ ପ୍ୟାକ୍ସ ମଧ୍ୟରୁ ଅଧିକାଂଶ ସମବାୟ ସମିତିରେ ସାର ରଖା ଯାଇଥିବା ସେ କହିଛନ୍ତି।
ସେପଟେ ଅକ୍ଷୟ ତୃତୀୟା ଦିନ ସୁନା ଗହଣା କିଣିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ସହରର ବିଭିନ୍ନ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଥିଲା। ତେବେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଗହଣା ଦୋକାନୀମାନେ ଲୋଭନୀୟ ଅଫର ମଧ୍ଯ ଦେଇଛନ୍ତି I
