କଠୋର କର୍ମଚାରୀ, ମନ୍ତ୍ରୀ ଅବାକ୍!

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ବେଳେ ବେଳେ ଏମିତି ଘଟଣା ଘଟେ ଯାହା ସମସ୍ତଙ୍କୁ ଆଚମ୍ବିତ କରେ। ଯିଏ ବଡ଼ ବଡ଼ କ୍ଷମତାଶାଳୀ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛାଇ ପଡିଲେ ଛାନିଆ ହୋଇଯାଏ, ସିଏ ଟାଣୁଆ ମନ୍ତ୍ରୀଙ୍କୁ ବାସି ପାଣିରେ ପଚାରୁ ନାହିଁ। ତେବେ କଣ ପାଇଁ ମନ୍ତ୍ରୀଙ୍କୁ ଖାତିର କରୁନି ଛୋଟିଆ କର୍ମଚାରୀ ଟିଏ। ନିଜ କର୍ତ୍ତବ୍ୟ ଆଗ ନା, ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଶୁଣି କାମରେ ଗଡ଼ଗଡ଼ କରିବା।

କାରଣ ଏଇଆ ହୋଇପାରେ କର୍ମଚାରୀ ଜଣକ ନିଜ କର୍ତ୍ତବ୍ୟକୁ କଠୋର ଭାବେ ପାଳନ କରିଛନ୍ତି। ଅନ୍ୟପକ୍ଷରେ ମାଲିକଙ୍କ ଚାପ ନତୁବା କାମରେ ହେଳା କଲେ ଚାକିରି ଚାଲିଯିବାର ଭୟ। ଯିଏ ଯାହାର ଲୁଣ ଖାଉଛି ତା’ର ଗୁଣ ଗାଇବ ନା ପର ଲୋକଙ୍କ କଥା ଶୁଣିବ। ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, କର୍ମଚାରୀ ନିଜ କର୍ତ୍ତବ୍ୟକୁ ସଠିକ୍ ଭାବେ ତୁଳାଇଛନ୍ତି। ଏଭଳି ଏକ ଘଟଣାର ଝଲକ୍ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ।

ଘଟଣା ଥିଲା ଏହିପରି। ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବା ପାଇଁ ଯାଉଥିଲେ। ସମାରୋହର ପୂର୍ବ ରାତି ପାଖାପାଖି ଦୁଇଟା ସମୟରେ ମସ୍ନିକାନୀ ଟୋଲ ପ୍ଲାଜାରେ ପହଞ୍ଚିଥିଲା ମନ୍ତ୍ରୀଙ୍କ ଗାଡି। ଗାଡି ନ ଛାଡିବାରୁ ପିଏସଓ ଓହ୍ଲାଇ ମନ୍ତ୍ରୀଙ୍କ ଗାଡ଼ି ବୋଲି କହିଥିଲେ। ହେଲେ ତାଙ୍କ କଥା ଶୁଣିନଥିଲେ ଟୋଲ୍ କର୍ମଚାରୀ। ରୋକଠୋକ୍ ଶୁଣାଇଥିଲେ କର୍ମଚାରୀ, ବିନା ଫି ପୈଠରେ ଗାଡି ଛଡ଼ା ଯିବ ନାହିଁ। ଗାଡ଼ିରେ ମନ୍ତ୍ରୀ ଥିବା ଜାଣି ବି କଥା ନ ଶୁଣିବାରୁ ମୁସ୍କିଲ ପରିସ୍ଥିତିରେ ପଡ଼ିଥିଲେ ପିଏସଓ।

ଗାଡି ନଛାଡିବାରୁ ଖୋଦ୍ ସୁଶାନ୍ତ ସିଂ ଗାଡିରୁ ଓହ୍ଲାଇ ମନ୍ତ୍ରୀ ବୋଲି ପରିଚୟ ଦେଇଥିଲେ।ହେଲେ କର୍ମଚାରୀଙ୍କ ସେହି ସମାନ ଉତ୍ତର, ବିନା ଟିକସରେ ଗାଡି ଛଡ଼ା ଯିବ ନାହିଁ ବୋଲି ମନ୍ତ୍ରୀଙ୍କୁ ସିଧା କହିଥିଲେ ଟୋଲ କର୍ମଚାରୀ। ଏହାକୁ ନେଇ ମନ୍ତ୍ରୀ ଓ ଟୋଲ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଫଳରେ ମନ୍ତ୍ରୀ ସେଠାରେ ଘଂଟାଏରୁ ଅଧିକ ସମୟ ଯାଏ ଅଟକିବାକୁ ପଡ଼ିଥିଲା। ହେଲେ ଟୋଲ କର୍ମଚାରୀ କଥା ମାନିବାକୁ ନାରାଜ ଥିବାରୁ ମନ୍ତ୍ରୀ ସୁଶାନ୍ତ ସିଂ ନିରୁପାୟ ହୋଇ ଜିଲ୍ଲାପାଳଙ୍କୁ ଫୋନ୍ କରିଥିଲେ। ହେଲେ ଜିଲ୍ଲାପାଳ ଫୋନ୍ ରିସିଭ୍ ନକରିବାରୁ ପରେ ଏସପିଙ୍କୁ ଫୋନ କରିଥିଲେ ମନ୍ତ୍ରୀ। ଖବର ପାଇ ଏଏସପି ଓ ଏସଡିପିଓ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଲେ। କର୍ମଚାରୀଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ ବି ହୋଇଗଲା। କିନ୍ତୁ ମନ୍ତ୍ରୀ ରାଗ ଜରଜର ହୋଇ ଯାଇଥିଲେ। ଏବଂ ଟୋଲ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସୁଶାନ୍ତ ସିଂ।

ଏହାପରେ ପୁଲିସ ଟୋଲ୍‌ ପ୍ଲାଜାର ଫୁଟେଜ ଯାଞ୍ଚ କରିଥିଲା। ମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରିଥିବା ତିନି ଜଣ ଟୋଲ କର୍ମଚାରୀଙ୍କୁ ପୋଲିସ ଗିରଫ କରିଥିଲା। ତାପରେ ସର୍କିଟ ହାଉସରେ ପହଞ୍ଚିଥିଲେ ମନ୍ତ୍ରୀ ସୁଶାନ୍ତ ସିଂ। ହେଲେ ମନ୍ତ୍ରୀଙ୍କ ରାଗ ଶାନ୍ତ ହୋଇନଥିଲା। କାରଣ ଜଣେ ଟୋଲ କର୍ମଚାରୀଙ୍କ ଦ୍ଵାରା ଅପଦସ୍ତ ହେବା ମନ୍ତ୍ରୀ ସହଜରେ ଗ୍ରହଣ କରି ପାରିନଥିଲେ। ଟାଣୁଆ ନେତା ହୋଇ ପୁଣି ନିଜ ଅଞ୍ଚଳରେ ଏଭଳି ନାକେଦମ୍ ହେବା ଘଟଣାକୁ ହଜମ କରି ପାରୁନାହାନ୍ତି ମନ୍ତ୍ରୀ। ସେ କାରଣ ଯାହା ବି ହେଇଥାଉ ପ୍ରଭାବଶାଳୀ ମନ୍ତ୍ରୀ ଜଣେ ଛୋଟିଆ କର୍ମଚାରୀଙ୍କ ଦ୍ଵାରା ପାଣି ପିଇ ପକାଇଲେ।