ଏନ୍ଏନ୍ ବ୍ୟୁରୋ I ଗଣପର୍ବ ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶାର ଲୋକେ ଧୁମଧାମରେ ପାଳନ କରିବାକୁ ତିନି ଦିନିଆ ସରକାରୀ ଛୁଟି ଦାବି କରିଥିଲେ। ବିଭିନ୍ନ ସଂଗଠନ ସହ ରାଜନୈତିକ ନେତାମାନେ ମଧ୍ୟ ଦାବି କରିଥିଲେ l ହେଲେ ସରକାର ଏଥିରେ ମାତ୍ର ଗୋଟିଏ ଦିନ ସେପ୍ଟେମ୍ବର ଏକ ତାରିଖ ସରକାରୀ ଭାବରେ ନୂଆଖାଇ ଛୁଟି ମଞ୍ଜୁର କରିଛନ୍ତି। ସେପଟେ ଏହାକୁ ନେଇ ବଲାଙ୍ଗିରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏବେ ଏଠିକାର କିଛି ସରପଞ୍ଚ ନିଜ ପଞ୍ଚାୟତରେ ତିନି ଦିନିଆ ଛୁଟି ଘୋଷଣା କରିଛନ୍ତି।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ସରପଞ୍ଚ ସୁଶିଲ ଗୁରୁ, ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତ ସରପଞ୍ଚ ବନମାଳୀ ନାୟକ ଓ ଲୋଇସିଂହା ବ୍ଲକ କୁସମେଲ ପଞ୍ଚାୟତ ସରପଞ୍ଚ କସ୍ତୁବ ସାହୁ ପ୍ରମୁଖ ନିଜ ପଞ୍ଚାୟତରେ ତିନି ଦିନିଆ ନୂଆଖାଇ ଛୁଟି ଘୋଷଣା କରିଛନ୍ତି। ଏବଂ ଏଥିରେ ତାଙ୍କ ଅଞ୍ଚଳର ସବୁ ସ୍କୁଲ କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଏମାନେ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଖୁସି ଥିବା ବେଳେ ଏହି ଛୁଟି ଘୋଷଣା କେତେ ଯଥାର୍ଥ ତାକୁ ନେଇ ଲୋକେ ପ୍ରଶ୍ନ ମଧ୍ୟ କରିଛନ୍ତି।
