ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

ଓଡ଼ିଶାଖେଳ

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ରିଜର୍ଭ ପୋଲିସ ପଡିଆରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଆନୁକୁଲ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ। ଏ ଅବସରର ଏହି ଖେଳ ଓ ଖେଳାଳୀମାନଙ୍କ ସହ ଦୀର୍ଘ ବର୍ଷରୁ ଯୋଡ଼ି ହୋଇଥିବା ସେ କହିଥିଲେ। ହେଲେ ବିଗତ ଦିନରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନଥିଲେ ମଧ୍ୟ ଜିଲ୍ଲାର ଖେଳାଳିମାନେ ରାଜ୍ୟସ୍ତରର ବିଭିନ୍ନ ବର୍ଗରେ ନିଜର ଦବଦବା ଜାହିର କରି ଆସିଛନ୍ତି। ଆଗାମୀ ଦିନରେ ଖେଳାଳିମାନଙ୍କ ପାଇଁ ପୃଥ୍ୱୀରାଜ ହାଇସ୍କୁଲ ପଡ଼ିଆରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମ୍ ନିଶ୍ଚିତ ଭାବରେ ଆଶୀର୍ବାଦ ସଦୃଶ ହେବ।ଏବଂ ଏହି ଖେଳରେ ଜିଲ୍ଲା ପାଇଁ ଗୌରବ ଆଣିଥିବା ଓ ଆଣିବାକୁ ଥିବା ଖେଳାଳିମାନେ କେମିତି ସେମାନଙ୍କ ଖେଳ ଜାରି ରଖିବାରେ କୌଣସି ପ୍ରତିବନ୍ଧକର ସମ୍ମୁଖୀନ ନହେବ ସେ ଦିଗରେ ବିଶେଷ ଧ୍ୟାନ ଦେବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।

ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଓ ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିଲେ। ଏ ଅବସରରେ ଲିକା ସାହୁ କହିଥିଲେ ଯେ, ଖେଳ ଓ ଖେଳାଳିମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ଓ ଆବଶ୍ୟକ ପଡିଲେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ। ଏହି ପ୍ରତିଯୋଗିତାରେ ବଲାଙ୍ଗିର ସହର ସହ ପାଟଣାଗଡ, କଣ୍ଟାବାଞ୍ଜି, ଲୋଇସିଂହା ଏବଂ ଟିଟିଲାଗଡ଼ ଅଞ୍ଚଳର ୮୦ରୁ ଉର୍ଦ୍ଧ୍ବ ଖେଳାଳି ଅଂଶ ଗ୍ରହଣ କରିଛନ୍ତି।

ଉଦ୍ଘାଟନୀ ଦିନରେ ବିକ୍ରାନ୍ତ ଜାନି, ଆଦିତ୍ୟ ମହାପାତ୍ର, ସ୍ଵସ୍ତିକ ମଟାରୀ, ବୈଭବ ସାହୁ, ମାନଭଞ୍ଜନ ନାୟକ, ହିମାଂଶୁ ହାତୀ, ଚିନ୍ମୟ ବେହେରା ପରବର୍ତ୍ତୀ ସ୍ତରକୁ ଉନ୍ନୀତ ହୋଇଛନ୍ତି। ଏଥିରେ ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ସୁରୁଲାଲ ମଟାରି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଘନଶ୍ୟାମ ମିଶ୍ର, ହେମନ୍ତ ପ୍ରଧାନ, ଅନନ୍ତ ବେହେରା, ଆଶିଷ ଦର୍ଜୀ, ମାନସ୍ ମହାନ୍ତି, ରାଜ କିଶୋର ଶତପଥୀ, ସିଦ୍ଧାର୍ଥ ମିଶ୍ର, ଆଲୋକ ମିଶ୍ର ପ୍ରମୁଖ ଖେଳ ପରିଚାଳନା କରିଥିଲେ। ହେଲେ ବ୍ୟାଡମିଣ୍ଟନ କୋଚ ସୁରେନ୍ଦ୍ର ନେପାଲ ପ୍ରତିଯୋଗିତା ପରିଚାଳନା କରିଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତା ଆଜି ଉଦଯାପିତ ହେଵ।

Leave a Reply