କବି ବୃନ୍ଦାବନ ଦାସଙ୍କ କବିତା ଭୋର୍ ଆକାଶ, ପଢନ୍ତୁ

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ, ଭୁବନେଶ୍ୱର।

ସୂର୍ଯ୍ଯ ଉଇଁବାକୁ କିଛିକ୍ଷଣ ବାକିଅଛି

ଅନ୍ଧାର ଛାଡିନି
ଝାପସା ଝାପସା ତାରାସବୁ ଏବେ ଏବେ
ମୁହଁ ଲୁଚେଇବେ
ଘୋଟି ଆସୁଥିବା ନାରଙ୍ଗୀ ରଙ୍ଗରେ
କେତେ ରାତିପରେ ଅପେକ୍ଷା ଗୋଟେ ସକାଳକୁ
କଅଁଳ ଖରାରେ ଚୁମିଦେବ ଯିଏ
ଶିଶିର ସ୍ନାତ ଫୁଲର ନରମ ଓଠକୁ।

କାଁ ‘ ଭାଁ ‘ କେଉଁ ଅଜଣା ପକ୍ଷୀର
ରହି ରହି ଅଳସ ଗୀତ ସାଙ୍ଗକୁ
ତାରାଙ୍କ ମେଲାଣି
ଗଛପତ୍ରର ଟୁପଟାପ କଥା
ପବନର ନିଶବ୍ଦ ହାତ ଆଉଁସା
କହିଦେଲାଣି
ଆସୁଛି ପାଦଥାପି ସମ୍ଭାବିତ ସମୟଟିଏ
ଯା’ ପାଇଁ
ଏ ରାତି ଅସ୍ଥିର ଅଥୟ ବିଦାୟ ନେବାକୁ।

ପ୍ରତି ରାତି ଲୁଚେଇଦିଏ ଆପଣାପଣରେ
ଅନ୍ଧାରର କୋମଳ ଚାଦର ଢାଙ୍କି
ସାରାଦିନର
ଧାଁ ‘ ଦୌଡ ବ୍ଯସ୍ତତା ଜଞ୍ଜାଳ ଅବସୋସଙ୍କୁ ,
ପ୍ରତିରାତି ଛପେଇଦିଏ
ଦିନ ଆଲୁଅର ସ୍ପଷ୍ଟ ଅଳନ୍ଧୁରେ ଜଡସଡ
ଷଡଜନ୍ତ୍ର କାରନାମା ସବୁଙ୍କୁ
ମାୟାବୀ ଆକାଶରୁ ଝରୁଥିବା ତାରାଙ୍କ ଚିତ୍ରିତ କାନ୍ତିରେ।

ଆଉ କେତେ ବା ବିଳମ୍ବଥାଏ
ନୂଆ ସକାଳରେ ପାଦ ଥାପିବାକୁ
ପୁଣି ଏକ ଜନ୍ମର ଆଲୋକ ଦେଖିବା ପାଇଁ
ନିଜକୁ ସଜାଡି ସଜେଇ ସାଜେଇ
ନୂଆ ମଣିଷଟିଏ ସାଜି
ନିଜକୁ ବିତରି ଦେବାକୁ ,
ହୁଏତ ଏଭଳି ସନ୍ଧିକ୍ଷଣରେ
ଏ ଆକାଶର
ବିପୁଳ ବିସ୍ତୣତି ବଦଳେଇ ଦେଇପାରେ
ଭୋରପର ସମୟର ସମୁଦାୟ ଅବୟବକୁ।

ବିସ୍ମୃତ ହେଉ ତେଣୁ ସବୁ ଅବିଗୁଣ
ଗଲାକାଲିର
ଗଲା ଜନ୍ମର…
ଅଙ୍ଗୀକାରଟିଏ ଦୃଢତା ଆଣୁ
ଆଉ କେତେ ପାହୁଣ୍ଡର ଦୂରତା ସେପଟେ
ଜଗି ବସିଥିବା ଗୋଟେ ଚିକିମିକି ଭବ୍ଯ ସକାଳ
କିଚିରି ମିଚିରି ଚଢେଇ ଓ ସବୁ ମଣିଷଙ୍କୁ
ନିରୀହପଣରେ ନିଜର କରିବାକୁ।

***

Leave a Reply