ନବନୀତା ବ୍ୟୁରୋ। ଲଭ୍, ସେକ୍ସ ଆଣ୍ଡ ମର୍ଡର। ଭଲ ପାଇବାର ପରିଣାମ କଣ ହତ୍ୟା! ଦୀର୍ଘ ୫ ବର୍ଷ ଅନୈତିକ ସମ୍ପର୍କ ରଖିବା ପରେ ସ୍ତ୍ରୀର ମର୍ଯ୍ୟାଦା ମାଗିବା ମହଙ୍ଗା ପଡିଲା। ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ହତ୍ୟା ଷଡଯନ୍ତ୍ର ରଚିଲା ଅଭିଯୁକ୍ତ ପ୍ରେମିକ। ବିବାହ ପାଇଁ ଗାଡ଼ିରେ ନେଇ ରାସ୍ତାରେ ନୃଶଂସ ହତ୍ୟା। ଏଥିରେ ବଳି ପଡିଲା କୋମଲମତି ଶିଶୁ। ପ୍ରେମିକ ପ୍ରେମିକାଙ୍କ ଅନୈତିକ ସମ୍ପର୍କ ମଧ୍ୟରେ ନିରୀହ ଶିଶୁର ଦୋଷ କଣ? ପ୍ରେମିକା ହତ୍ୟାର ଗୁମର ଖୋଲିବା ଭୟରେ ତା ଝିଅକୁ ବି ଗାଡି ଚଢାଇ ବିଭତ୍ସ ଭାବେ ମାରି ଦେଲା ଅଭିଯୁକ୍ତ ପ୍ରେମିକ। ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପ୍ରେମ କାହାଣୀର ଗୁମର ଖୋଲିଛି ପୋଲିସ।
ଝାରସୁଗୁଡ଼ା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ। ହତ୍ୟା ପଛର ମୁଖ୍ୟ କାରଣ ହେଉଛି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଅନୈତିକ ସମ୍ପର୍କ। ବିବାହ ପାଇଁ ଚାପ ପକାଇବାରୁ କଳ୍ପନାକୁ ରାସ୍ତାରୁ ସଫା କରିଦେଲା ଅଭିଯୁକ୍ତ ଅନୁପ। ଏନେଇ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛି ଛତିଶଗଡ ପୋଲିସ। ରାୟଗଡ଼ରେ ବିବାହ କରିବା ପାଇଁ ଷଡ଼ଯନ୍ତ୍ର ରଚି ରାସ୍ତାରେ ଲୁହା ରଡ଼ରେ ପିଟି ପିଟି କଳ୍ପନାକୁ ମାରିଥିଲା ଅନୁପ। ପରେ ଡ୍ରାଇଭର ସହ ମିଶି ମୃତଦେହ ଉପରେ ଗାଡି ଚଢାଇଥିବା ନେଇ ସୂଚନା ଦେଇଛନ୍ତି ରାୟଗଡ ଏସପି ସନ୍ତୋଷ ସିଂ। ତେବେ ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ସଂପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ।
୨୦୧୬ ମେ ୭ ତାରିଖରେ ଓଡିଶା ସୀମାନ୍ତରୁ ମା ଝିଅଙ୍କ ମୃତଦେହ ଜବତ ହୋଇଥିଲା। ହେଲେ ମୁହଁରେ ଗାଡି ଚଢାଇ ଦେଇଥିବାରୁ ମୃତଦେହକୁ ଚିହ୍ନଟ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା। ମା’ ଓ ଝିଅଙ୍କ ମୃତଦେହ ଚିହ୍ନଟ ପାଇଁ ୬ ରାଜ୍ୟକୁ ଟିମ୍ ପଠାଇଥିଲା ପୋଲିସ। କେବଳ ଏତିକି ନୁହେଁ, ମୃତକ ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ୭୦୦ ଜଣ ଲୋକଙ୍କୁ ଜେରା କରାଯାଇଥିଲା। ଏବଂ ପ୍ରାୟ ବର୍ଷକ ପରେ ଦୁଇ ମୃତଦେହକୁ ଚିହ୍ନଟ କରିବାରେ ପୋଲିସ ସଫଳ ହେବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ପରେ ମୃତକଙ୍କ କଲ୍ ଡିଟେଲସ୍ ଯାଞ୍ଚ୍ ପରେ ଅନୁପ ସନ୍ଦେହ ଘେରକୁ ଆସିଥିଲେ। ଏଥିପାଇଁ ପ୍ରାୟ ୬ ମାସ ଧରି ଅନୁପଙ୍କ ଉପରେ କଡ଼ା ନଜର ରଖିଥିଲା ଛତିଶଗଡ଼ ପୋଲିସ। ଏପରିକି ପୋଲିସର ନୋଟିସ୍ ପରେ ବି ଅନୁପ ସାଏ ହାଜର ହେଉନଥିଲା ବୋଲି ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।
ସାମ୍ବାଦିକ ସମ୍ମିଳନୀରେ ପୋଲିସ କହିଛି ଯେ, ୨୦୦୫ ମସିହାରେ ମୃତ କଳ୍ପନାକୁ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେବା ପରେ କଳ୍ପନାଙ୍କ ସମ୍ପର୍କରେ ଆସିଥିଲେ ଅନୁପ ସାଏ। ଭୁବନେଶ୍ୱର ସୁନ୍ଦରପଦାରେ ତିନି ମହଲା ଫ୍ଲାଟରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସହ କଳ୍ପନା ରହୁଥିଲେ। ୨୦୧୧ରୁ ୧୬ ଯାଏ ଲିଭ୍ ଇନ୍ ରିଲେସନରେ ରହୁଥିଲେ ଅନୁପ ଓ କଳ୍ପନା। ଦୀର୍ଘ ପାଞ୍ଚ ବର୍ଷ ସାଙ୍ଗରେ ରହିଥିବା ସତ୍ତ୍ବେ ମହିଳାଙ୍କ ନିଖୋଜ ନେଇ କୌଣସି ଏତଲା ନଦେବାରୁ ଅନୁପଙ୍କ ଉପରେ ସନ୍ଦେହ ଘନିଭୂତ ହୋଇଥିଲା। ଜେରା ସମୟରେ ପ୍ରଥମେ ମୃତକଙ୍କୁ ଚିହ୍ନିନଥିବା ଅନୁପ ସାଏ କହିଥିଲେ। ପଚରାଉଚରା ପରେ ହତ୍ୟା କରିଥିବା ସ୍ବୀକାର କରିଛନ୍ତି ଅନୁପ ସାଏ।
ରାୟଗଡ଼ରେ ବିବାହ କରିବା ପାଇଁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ଅନୁପ୍। ହେଲେ ରାସ୍ତାରେ ଜଙ୍ଗଲରେ ଲୁହା ରଡ଼ରେ ପିଟି ପିଟି ହତ୍ୟା କରିବା ପରେ ଡ୍ରାଇଭର୍ ସହ ମିଶି ମୃତଦେହ ଉପରେ ଗାଡ଼ି ଚଢାଇ ଦେଇଥିଲେ। ତେବେ ହତ୍ୟାର ଗୁମର ଖୋଲିଯିବା ଭୟରେ ଝିଅକୁ ବି ହତ୍ୟା କରିଥିଲେ ଅନୁପ୍। ହତ୍ୟାର ପୂର୍ବ ଦିନ ଦୁହେଁ ଓଡ଼ିଶାର ଏକ ହୋଟେଲରେ ରହିଥିଲେ। ହେଲେ ରାୟଗଡ଼ ଯିବା ସମୟରେ କଳ୍ପନା ଓ ଅନୁପଙ୍କୁ ଢାବା କର୍ମଚାରୀ ଦେଖିଥିଲେ। ପୋଲିସ ଆଗରେ ସବୁ ଘଟଣା ସ୍ବୀକାର କରିଛି ଅଭିଯୁକ୍ତ ଅନୁପ ସାଏ। ତେବେ ଏହି ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ସଂପୃକ୍ତ ଥିବା ସନ୍ଦେହ କରୁଛି ପୋଲିସ।
ଡ୍ରାଇଭର୍ ବର୍ମନ ଟପ୍ପୋଙ୍କ ସହ ମିଶି ମା ଝିଅକୁ ହତ୍ୟା କରିଥିଲେ ଅନୁପ୍। ତେଣୁ ଆଗକୁ ବର୍ମନ ଟପ୍ପୋକୁ ମଧ୍ୟ ଗିରଫ କରାଯିବ। ଏବଂ ମୃତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ପୋଲିସ କହିଛି। ଏଥିସହ ଅନୁପ ସାଏଙ୍କ ନାର୍କୋଟେଷ୍ଟ, ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟ୍ ମେଳ କରାଯିବା ସହ ଅନୁପଙ୍କ ଡିଏନଏ ଟେଷ୍ଟ୍ ମଧ୍ୟ କରାଯିବ ବୋଲି କହିଛି ଛତିଶଗଡ଼ ପୋଲିସ।
