ଅନାମ ପରେ ଅନୁପ, ଆଗକୁ କାହାର ପାଳି!

ଅପରାଧଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ଅନାମ ପରେ ବନ୍ଧା ହେଲେ ଅନୁପ। ମାସକ ମଧ୍ୟରେ ଦୁଇ ଦୁଇଟି ବିଜେଡ଼ି ନେତା ଗିରଫ ହେଲେଣି। ଜଣେ ଆୟବର୍ହିଭୂତ ସମ୍ପତ୍ତି ଠୁଳରେ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ହତ୍ୟା ମାମଲାରେ ସଂପୃକ୍ତି ନେଇ ଗିରଫ ହୋଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଅନାମ ବିଧାୟକ ଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିନଥିଲା କାହିଁକି? ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିନଥିବାରୁ ବିଜେପି ଜିତିବା ପରେ ଆକ୍ରୋଶମୂଳକ ଭାବେ ଭିଜିଲାନ୍ସ ଲଗାଇ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି।

ସେ କାରଣ ଯାହା ବି ହେଉ, ନବୀନଙ୍କ ଜିରୋ ଟଲୋରାନ୍ସ ନୀତି। ଦଳ ପ୍ରତି କିମ୍ବା ନବୀନଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଲେ ସେ କାହାରିକୁ ଛାଡନ୍ତି ନାହିଁ। ସେ ଦୁର୍ନୀତି ହେଉ କି ଅପରାଧ, ବିବାଦୀୟ ନେତା ହେଉ କି ପ୍ରଶାସନିକ ଅଧିକାରୀ। ସରକାର ଉପରେ ଅଙ୍ଗୁଳି ଉଠିଲେ ଅଧିକ କଠୋର ହୋଇ ପଡନ୍ତି ନବୀନ। ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜ ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖି ଚାଲିଛନ୍ତି ନବୀନ ପଟ୍ଟନାୟକ। ଦଳ ପ୍ରତି କ୍ଷତି ପହଞ୍ଚାଉଥିବା ଅନେକ ନେତାଙ୍କୁ ପାର୍ଟିରୁ ବିଦା କରିଥିବା ନଜିର ରହିଛି। ଏବେ ପୁଣି ଅନୁପ ସାଏଙ୍କୁ ଦଳରୁ ବିଦା କରିଛନ୍ତି ନବୀନ।

ଗୁରୁବାର ଛତିଶଗଡ ଚକ୍ରଧରନଗର ଥାନା ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି। ଏକ ଡବଲ ମର୍ଡର ଘଟଣାରେ ସଂପୃକ୍ତି ନେଇ ଅନୁପ ସାଏଙ୍କୁ ଗିରଫ କରାଯାଇଛି। ବୁଧବାର ରାତିରେ ଝାରସୁଗୁଡ଼ାରୁ ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ଉଠାଇ ନେଇଥିଲା। ଏନେଇ ଜିଲ୍ଲା ପୋଲିସ ଓ ପରିବାର ଲୋକଙ୍କୁ ପୂର୍ବରୁ ସୂଚିତ କରାଯାଇଥିବା କୁହାଯାଉଛି। ଗୁରୁବାର ଚକ୍ରଧରନଗର ଥାନାରେ ପଚରା ଉଚରା ପରେ ଅନୁପ ସାଏଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପ ସାଏଙ୍କୁ ପଣ୍ୟାଗାର ନିଗମ ସହ ଦଳରୁ ମଧ୍ୟ ବିଦା କରି ଦେଇଛନ୍ତି।

ବ୍ରଜରାଜନଗରରୁ କଂଗ୍ରେସ ଟିକେଟରେ ୩ ଥର ବିଧାୟକ ରହି ସାରିଛନ୍ତି ଅନୁପ। ହେଲେ ୨୦୧୪ ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ ଅନୁପ ସାଏ। ସେ ବର୍ଷ ବ୍ରଜରାଜନଗରରୁ ଟିକେଟ ପାଇଲେ ସତ କିନ୍ତୁ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଠାରୁ ହାରି ଯାଇଥିଲେ। ଏହାପରେ ତାଙ୍କୁ ଉଠା ଜଳସେଚନ ନିଗମରେ ଥଇଥାନ କରିଥିଲେ ସରକାର। ହେଲେ ୨୦୧୯ ନିର୍ବାଚନରେ ଆଉ ଟିକେଟ ମିଳିଲା ନାହିଁ। ନବ ଦାସ ବିଜେଡ଼ିରେ ସାମିଲ ହେବା ପରେ କିଶୋର ମହାନ୍ତିଙ୍କୁ ବ୍ରଜରାଜନଗରରୁ ଟିକେଟ ଦିଆଗଲା। ଉଭୟ ନେତା ବିଜୟୀ ମଧ୍ୟ ହେଲେ। ଅନ୍ୟପଟେ ଟିକେଟ କରାଯାଇଥିବା ଅନୁପ ସାଏଙ୍କୁ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିଲା। ଏବେ ଏକ ହତ୍ୟା ମାମଲାରେ ଛନ୍ଦି ହେବାରୁ ଦଳ ସହ ପଣ୍ୟାଗାର ନିଗମରୁ ବିଦା ହୋଇଛନ୍ତି ଅନୁପ।

ଠିକ୍ ଏହି ଘଟଣାର କିଛି ଦିନ ଆଗରୁ ଭବାନୀପାଟଣାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନାମ ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ହିସାବ ଦେଖାଇ ନ ପାରିବାରୁ ସେ ଗିରଫ ହୋଇ ଜେଲ ଯାଇଛନ୍ତି।

ଜାନୁଆରୀ ୧୭ ତାରିଖରେ ଭବାନୀପାଟଣା ନାକଟିଗୁଡ଼ା ସ୍ଥିତ ତିନି ତାଲା ଘର ଓ ମଦନପୁର ରାମପୁରରେ ଥିବା ଲଜ୍ ଏବଂ ମାର୍କେଟ କମ୍ପ୍ଲେକ୍ସରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଟିମ୍ ତନାଘନା କରି ପ୍ରାୟ ୩.୪୨ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲେ। ହେଲେ ସେ ମଧ୍ୟରୁ ଦେଢ଼ କୋଟି ଟଙ୍କାର ହିସାବ ଦେଇ ପାରିନଥିଲେ ଅନାମ। ଯେଉଁଥି ପାଇଁ ନାମ ନେଇଥିଲେ ଅନାମ ନାୟକ।

ଅନାମ ୨୦୦୪ରେ ସରକାରୀ ଚାକିରୀ ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ। ଏବଂ ୨୦୧୪ରୁ ୨୦୧୯ ଯାଏ ଭବାନୀପାଟଣାର ବିଧାୟକ ରହିଥିଲେ ଅନାମ। ହେଲେ ଖଣି ଦୁର୍ନୀତିରେ ସଂପୃକ୍ତି ଯୋଗୁଁ ତାଙ୍କୁ ୨୦୧୯ ନିର୍ବାଚନରେ ଟିକେଟ ଦିଆଯାଇନଥିଲା। ଫଳରେ ସେ ଅସନ୍ତୁଷ୍ଟ ଥିବା ସହ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ସହଯୋଗ କରିନଥିବା ଚର୍ଚ୍ଚା ହୋଇଥିଲା। ଯେଉଁ କାରଣରୁ ସେଠାରୁ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାୟକ ବିଜୟୀ ହୋଇଥିବା କୁହା ଯାଉଛି। ଏହାପରେ ଅନାମଙ୍କୁ ପାନେ ଦେବାକୁ ତାଙ୍କ ବ୍ୟବସାୟ ସାମ୍ରାଜ୍ୟ ଉପରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ୩.୪୨ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ଦେଢ଼ କୋଟି ଟଙ୍କାର ହିସାବ ଦେଖାଇ ପାରିନଥିଲେ ଅନାମ। ଯଦ୍ୱାରା ଏବେ ଜେଲର ଚାରିକାନ୍ଥ ଭିତରେ ସେ କଏଦ ଅଛନ୍ତି।

କେବଳ ଅନାମ ନୁହେଁ ଲାଞ୍ଚ କାରବାର ଅଭିଯୋଗରେ ପ୍ରଶାସନିକ ଅଧିକାରୀ ବିଜୟ ଜେତନ୍ ଉପାଧ୍ୟାୟଙ୍କୁ ମଧ୍ୟ ଗିରଫ କରିଥିଲା ଭିଜିଲାନ୍ସ। ବିଲ୍ କରାଇବା ପାଇଁ ୧ ଲକ୍ଷ ଟଙ୍କା ନେବା ଅଭିଯୋଗରେ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା ଭିଜିଲାନ୍ସ। ପରେ ତାଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ତେବେ ପ୍ରଶାସନିକ ଅଧିକାରୀ ହେଉ କି ରାଜନେତା ଦୁର୍ନୀତିର ଗନ୍ଧ ବାରିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଚର୍ଚ୍ଚାରେ ରହି ଆସିଛନ୍ତି ନବୀନ। ଆଗକୁ କାହାର ପାଳି ପଡ଼ିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।