ନବନୀତା ବ୍ୟୁରୋ। ରାଜ୍ୟର ନୂଆ ଫ୍ରି ଟୁ ଏୟାର ୨୪ ଘଣ୍ଟିଆ ନୂଆ ନ୍ୟୁଜ୍ ଚ୍ୟାନେଲ ନନ୍ଦିଘୋଷ ଟିଭି ଲୋକାର୍ପିତ ହୋଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ ଲୋକାର୍ପଣ କରିବା ସହ ନନ୍ଦିଘୋଷ ରଥ ଭଳି ନନ୍ଦିଘୋଷ ଟିଭି ଗଡ଼ି ଚାଲିବ ବୋଲି କହିଛନ୍ତି। ତାସହ ଉତ୍କଳର ଐତିହ୍ୟକୁ ବିଶ୍ୱରେ ପ୍ରସାରିତ କରିବାରେ ନନ୍ଦିଘୋଷ ଟିଭି ମୁଖ୍ୟ ଭୂମିକା ବହନ କରିବ ବୋଲି ସେ କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ନନ୍ଦିଘୋଷ ଟିଭିକୁ ଶୁଭେଚ୍ଛା ଜଣାଇଥିଲେ। ଏ ଅବସରରେ ସେ କହିଛନ୍ତି, ଓଡ଼ିଶା ଗଣମାଧ୍ୟମ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ବର୍ଷ ତମାମ ସବୁଦିନ, ସବୁରାତି ଗଡ଼ିବ ନନ୍ଦିଘୋଷ ଟିଭି। ଶାସନ ବ୍ୟବସ୍ଥାରେ ଗଣାମଧ୍ୟମ ମାର୍ଗଦର୍ଶକ କାମ କରିବ ବୋଲି କହିଛନ୍ତି ନିରଞ୍ଜନ ପୂଜାରୀ। ସେ ଆହୁରି କହିଛନ୍ତି ଯେ, ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ହେଲେ ଡିଜିଟାଲ ପ୍ଲାଟଫର୍ମ ମିଡିଆକୁ ଆହୁରି ସଶକ୍ତ କରିଛି ବୋଲି ସେ କହିଛନ୍ତି।
ସେହିପରି ନନ୍ଦିଘୋଷ ଟିଭିର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ନନ୍ଦିଘୋଷ ଟିଭିକୁ ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ନରସିଂହ କହିଛନ୍ତି, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଏହାକୁ ମଜବୁତ୍ କରିବା ପାଇଁ ଆତ୍ମପ୍ରକାଶ ପାଇଛି ନନ୍ଦିଘୋଷ ଟିଭି। ଆଶା କରୁଛି ନନ୍ଦିଘୋଷ ଟିଭି ନିଶ୍ଚିତ ଭାବରେ ସଫଳ ହେବ।
ଏଥିସହ ସେ କହିଛନ୍ତି, ଓଡ଼ିଶା ଗରିବ ନୁହେଁ, ଓଡ଼ିଶାବାସୀ ଗରିବ। ରାଜ୍ୟରେ ଥିବା ଖଣିଜ ସମ୍ପଦର ସୁବିନିଯୋଗ ହେଲେ ଓଡ଼ିଶାରୁ ଗରିବୀ ହଟିବ ବୋଲି କହିଛନ୍ତି ନରସିଂହ ମିଶ୍ର। ସମ୍ବିଧାନର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ନନ୍ଦିଘୋଷ ଟିଭି ଉଦ୍ୟମ କରିବ। ଦୁର୍ନୀତି ବିରୋଧରେ ଖବର, ଲୋକଙ୍କୁ ନ୍ୟାୟ ଦେବା ଖବର ପରିବେଷଣ କରିବା ସହ ନନ୍ଦିଘୋଷ ଟିଭି ଓଡ଼ିଶାକୁ ଆଗାମୀ ଦିନରେ ବିକାଶ ପଥରେ ଆଗେଇ ନେବେ ବୋଲି ସେ କହିଛନ୍ତି।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଉତ୍ସବରେ ଯୋଗ ଦେଇ କହିଛନ୍ତି ଯେ, ଲୋକଙ୍କୁ ନ୍ୟାର୍ଯ୍ୟ ଅଧିକାର ଦେବାରେ ନନ୍ଦିଘୋଷ ଟିଭି କାର୍ଯ୍ୟ କରୁଛି।ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଳି ଖବରର ବଡ଼ଦାଣ୍ଡରେ ନନ୍ଦିଘୋଷ ଟିଭି ମଧ୍ୟ ଗଡ଼ି ଚାଲିବ। ପରମ୍ପରା ସହ ନୂଆ ଭାବନା ନେଇ ନନ୍ଦିଘୋଷ ଟିଭି ଖବର ପରିବେଷଣ କରୁ ବୋଲି ପରାମର୍ଶ ଦେଇଥିଲେ ପ୍ରଦୀପ୍ତ ନାୟକ।
ନନ୍ଦିଘୋଷ ଟିଭି ସମ୍ପାଦକ ଶିଶିର ଭଟ୍ଟମିଶ୍ର ଟିଭି ଆତ୍ମପ୍ରକାଶର ଆଭିମୁଖ୍ୟ ସମ୍ପର୍କରେ ବଖାଣି ଥିଲେ। ନନ୍ଦିଘୋଷ ଟିଭି ଅନ୍ୟ କୌଣସି ଗଣମାଧ୍ୟମ ସହ ପ୍ରତିଦ୍ୱନ୍ଦ୍ୱିତା କରିବନି କି ଟିଆରପି ଚକ୍କରରେ ପଥଭ୍ରଷ୍ଟ ହେବନି। ଆମେ ନିଜେ ନିଜର ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବିବା ସହ ଲୋକଙ୍କୁ ରୂଚି ଅନୁସାରେ ଖବର ଯୋଗାଇବାକୁ କହିଛନ୍ତି ଶିଶିର ଭଟ୍ଟମିଶ୍ର।
ଲୋକାର୍ପଣ ଉତ୍ସବରେ ନନ୍ଦିଘୋଷ ଟିଭିର ସିଓଓ ଜବର ସିଂ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଆଉଟ୍ ପୁଟ୍ ଏଡିଟର ରଙ୍ଗାଧର ପଣ୍ଡା ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଅନେକ ମନ୍ତ୍ରୀ, ନେତା, ସେଲିବ୍ରିଟିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ।
