ନବନୀତା ବ୍ୟୁରୋ। ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏ ଗିରଫ। ଡବଲ ମର୍ଡର ଘଟଣାରେ ସଂପୃକ୍ତି ନେଇ ଅନୁପ ସାଏଙ୍କୁ ଗିରଫ କରିଛି ଛତିଶଗଡ ଚକ୍ରଧରନଗର ଥାନା ପୋଲିସ। ଗତକାଲି ରାତିରେ ଝାରସୁଗୁଡ଼ାରୁ ଅନୁପ ସାଏଙ୍କୁ ଉଠାଇ ନେଇଥିଲା ଛତିଶଗଡ ପୋଲିସ। ଆଜି ଗିରଫ କରିଛି ପୋଲିସ।
ଅନୁପ ସାଏ ବ୍ରଜରାଜନଗର ବିଧାନସଭାରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିଲେ ଅନୁପ ସାଏ। ସେ ବର୍ଷ ବ୍ରଜରାଜନଗର ବିଧାନସଭା ଆସନରୁ ବିଜେଡି ଟିକେଟରୁ ନିର୍ବାଚନ ଲଢି ପରାଜୟ ବରଣ କରିଥିଲେ। ତେବେ ୨୦୧୯ ନିର୍ବାଚନରେ ତାଙ୍କୁ ଟିକେଟ ଦିଆ ଯାଇ ନଥିଲା। ଏବେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅଛନ୍ତି ଅନୁପ ସାଏ।
ସୂଚନା ଅନୁସାରେ, ଗତ ୨୦୧୬ ଏପ୍ରିଲ୍ ମାସରେ ଡବଲ ମର୍ଡର ଘଟଣା ଘଟିଥିଲା। ମା କଳ୍ପନା ଦାସ ଓ ଝିଅ ପ୍ରଭାତୀ ଦାସଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏହାପରେ ଉଭୟ ମୃତଦେହକୁ ଛତିଶଗଡରେ ଫିଙ୍ଗି ଦିଆ ଯାଇଥିଲା। ମର୍ଡର ଘଟଣାର ଖୋଳତାଡ ପରେ ବି ଆସାମୀକୁ ଧରି ପାରିନଥିଲା ପୋଲିସ। ତେବେ ଦୀର୍ଘ ୪ ବର୍ଷ ପରେ ଡବଲ ମର୍ଡର ଘଟଣାରେ ବିଜେଡ଼ି ନେତା ଅନୁପ ସାଏଙ୍କୁ ଗିରଫ କରିଛି ଛତିଶଗଡ ପୋଲିସ। ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ତାହା ପୋଲିସ ତଦନ୍ତ ପରେ ଜଣାପଡ଼ିବ।
