ନାଲକୋ ସେରୁବନ୍ଧ ଖଣି ଖନନ ଅନୁମତି ପରେ ଜନ ଶୁଣାଣିରେ ବି ଲୋକଙ୍କ ବିରୋଧ

ଓଡ଼ିଶାବଡ଼ ଖବରବ୍ୟବସାୟ

ନବନୀତା ବ୍ୟୁରୋ। ନାଲକୋ ସେରୁବନ୍ଧ ଖଣି ଖନନ ଅନୁମତିକୁ ବିରୋଧ ପରେ ଏବେ ପରିବେଶ ମଞ୍ଜୁରୀ ଲାଗି ଜନ ଶୁଣାଣିକୁ ମଧ୍ୟ ପ୍ରବଳ ବିରୋଧ କରାଯାଇଛି। ସ୍ଥାନୀୟ ଅଂଚଳର ବିକାଶ ମୁଦ୍ଦା ନେଇ ଲୋକେ ଏହାକୁ ବିରୋଧ କରିଥିଲେ। ଲୋକଙ୍କ ଅଭିଯୋଗ, ନାଲକୋକୁ ସେରୁବନ୍ଧ ଖଣି ଖନନ ପାଇଁ ଦିଆଗଲେ ପରିବେଶ, ଜଙ୍ଗଲ ଓ ନଦୀ ନାଳ ନଷ୍ଟ ହେବ। କେବଳ ଏତିକି ନୁହେଁ, ନାଲକୋ ଅଞ୍ଚଳର ବିକାଶ ଲାଗି ପ୍ରତିଶ୍ରୁତି ଦେଉ ଥିଲେ ମଧ୍ୟ ତାହା ପାଳନ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

କୋରାପୁଟ ପଟାଙ୍ଗିରେ ନାଲକୋକୁ ସେରୁବନ୍ଧ ଖଣି ଖନନ ନେଇ ପରିବେଶ ମଞ୍ଜୁରୀ ଲାଗି ଜନ ଶୁଣାଣି ଚାଲିଥିଲା। ଜନ ଶୁଣାଣିରେ ୬ଟି ପଞ୍ଚାୟତର ଦୁଇ ହଜାରରୁ ଅଧିକ ସାମିଲ୍ ହେବା ସହ ପରିବେଶ ମଞ୍ଜୁରୀକୁ ଜୋରସୋର ବିରୋଧ କରିଥିଲେ। କାରଣ ନାଲକୋ ସେରୁବନ୍ଧ ଖଣି ଖନନ କଲେ ପରିବେଶ ପ୍ରଦୂଷିତ ହେବା ସହ ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବ। ତେଣୁ ପ୍ରଥମେ ସ୍ଥାନୀୟ ଅଂଚଳର ବିକାଶ କାର୍ଯ୍ୟ କରିବାକୁ ଦାବି ହୋଇଥିଲା। ଏପରିକି ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟ ଓ ବିଦ୍ୟୁତ୍ ସେବା ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ ସ୍ଥାନୀୟ ଲୋକେ। ଲୋକଙ୍କ ସହ ସ୍ଥାନୀୟ ସାଂସଦ ମଧ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେପଟେ ନାଲକୋ କର୍ତ୍ତୃପକ୍ଷ ପରିବେଶ ପ୍ରଦୂଷଣ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ପ୍ରଦୂଷଣ ବୋର୍ଡକୁ ଜନ ଶୁଣାଣିର ଭିଡ଼ିଓ ରେକର୍ଡିଂ ସହ ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ହେଲା ନାଲକୋ ପଞ୍ଚପଟିମାଳୀ ଖନନ କରି ଆସିଛି। ଏବେ ପୁଣି ସେରୁବନ୍ଧ ଖଣି ଖନନ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛି। ହେଲେ ଖଣି ଖନନ ପାଇଁ ଅନୁମତି ଦେବା ସମୟରୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଛନ୍ତି। ଏହା ସତ୍ତ୍ଵେ ପରିବେଶ ମଞ୍ଜୁରୀ ଲାଗି ଜନ ଶୁଣାଣି କରା ଯାଉଥିଲା। ହେଲେ ଜନ ଶୁଣାଣିକୁ ମଧ୍ୟ ଲୋକେ ପ୍ରବଳ ବିରୋଧ କରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ଵେ କାହା ସ୍ୱାର୍ଥରେ ନାଲକୋ ଖଣି ଖନନ ଏଇ ପରିବେଶ ମଞ୍ଜୁରୀ ପାଇଁ ଜନ ଶୁଣାଣି କରୁଛି। ଲୋକଙ୍କ ସମସ୍ୟାକୁ ଅଣଦେଖା କରି କମ୍ପାନୀ ପରିବେଶ ମଞ୍ଜୁରୀ କରାଇ ନେବାରେ ଜୋରସୋର ପ୍ରୟାସ ଚଳାଇଛି। ଦେଖାଯାଉ କମ୍ପାନୀ ଦେଇଥିବା ପ୍ରତିଶୃତି କିଭଳି ଭାବରେ ପାଳନ କରୁଛି।