କଫ ସିରଫ୍ କାରବାରର ମାଷ୍ଟର ମାଇଣ୍ଡ ଗୋବିନ୍ଦ ନେଗୀଙ୍କ ସହ ୩ ଗିରଫ, ୩ ଦିନ ପରେ ସୂଚନା ଦେଲା ପୋଲିସ

ଅପରାଧଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ପଶ୍ଚିମ ଓଡ଼ିଶାରେ କଫ ସିରଫ୍ କାରବାରରେ ପୋଲିସର ନିଦ ହଜାଇ ଦେଇଥିବା ମାଷ୍ଟର ମାଇଣ୍ଡ ସାନ ନେଗି ଗିରଫ। ତାସହ କାରବାରରେ ସଂପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଭୁବନେଶ୍ୱରରୁ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ବଲାଙ୍ଗିର ଆଣି ଅଧିକ ତଦନ୍ତ ଚଳାଇଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଗୋବିନ୍ଦ ନେଗୀ ଓରଫ୍ ସାନ, ଫାରୁଖ ଖାନ୍ ଓ ଅଜିତ କୁମାର ନନ୍ଦ। ଗୋବିନ୍ଦ ଓ ଅଜିତ ବରପାଲି ପଡାର ହୋଇଥିବା ବେଳେ ଫାରୁଖ୍ କୋଳଥିଆ ଖଣ୍ଡଗିରିର ବୋଲି ପୋଲିସ ସୂଚନା ଦେଇଛି। ତାସହ ସେମାନଙ୍କ ନିକଟରୁ ଗୋଟିଏ ଇନୋଭା ଗାଡି, ୪ଟି ମୋବାଇଲ୍ ଓ ନଗଦ ୫୫ ହଜାର ୨୦୦ ଟଙ୍କା ଜବତ କରାଯାଇଛି।

ସୂଚନା ଅନୁସାରେ, ଗତ ନଭେମ୍ବର ୨୮ ତାରିଖରେ ଗୋବିନ୍ଦ ନେଗି ସୋନପୂର ରାସ୍ତାରେ ବଲାଙ୍ଗିର ଆସୁଥିବା ଖବର ପାଇଥିଲା ପୋଲିସ। ତାକୁ ଧରିବା ପାଇଁ ପୁଇନ୍ତଲା ପୋଲିସ ଜାଲ ବିଛାଇଥିଲା। ହେଲେ ରାସ୍ତାରେ ଗୋବିନ୍ଦ ନେଗି ପୋଲିସ ଉପରକୁ ଗାଡି ଚଢ଼ାଇବା ଉଦ୍ୟମ କରି ସେଠାରୁ ଫେରାର ହେଇ ଯାଇଥିଲା। ଏନେଇ ପୁଇନ୍ତଲା ଥାନାରେ କେସ ନମ୍ୱର ୨୩୨, ୨୮/୧୧/୨୦୨୯ରେ ମାମଲା ରୁଜୁ କରିଥିଲା। ଆଇପିସି ୩୦୭/୩୪ ଓ ୨୧ ସି/୨୯ ଏନଡିପିଏସ ଧାରାର ସଂଗିନ ଦଫା ଲଗାଇ ଘଟଣାର ଛାନବିନ୍ ଚଳାଇଥିଲା ପୋଲିସ।

ଶେଷରେ ଗତ ୭ ତାରିଖରେ ଭୁବନେଶ୍ଵର କ୍ରାଉନ୍ ହୋଟେଲ୍ ନିକଟରୁ ଗୋବିନ୍ଦ ନେଗିଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ସେଠାରୁ ୩ ଅଭିଯୁକ୍ତଙ୍କୁ ବଲାଙ୍ଗିର ଆଣିଥିଲେ ବି ଏନେଇ ପୋଲିସ କୌଣସି ସୂଚନା ଦେଇ ନଥିଲା। କେଉଁ ଅଜ୍ଞାତ ଜାଗାରେ ରଖିଥିଲେ ବି ଏନେଇ ଗଣମାଧ୍ୟମକୁ ପୋଲିସ କୌଣସି ସୂଚନା ଦେଇ ନଥିଲା। ହେଲେ ଗିରଫ କରାଯିବାର ୩ ଦିନ ପରେ ଶୁକ୍ରବାର ବଲାଙ୍ଗିର ଏସପି ଏମ୍. ସନ୍ଦୀପ ସମ୍ପଦ ପୁଇନ୍ତଳା ଥାନାରେ ସାମ୍ବାଦିକ ସମ୍ମିଳନୀ କରି କଫ ସିରଫ କାରବାରର ମାଷ୍ଟର ମାଇଣ୍ଡ ଗୋବିନ୍ଦ ନେଗିଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ତା ସହ ସେମାନଙ୍କ ନିକଟରୁ ଏକ ଇନୋଭା ଗାଡି, ୪ଟି ମୋବାଇଲ ଓ ନଗଦ ୫୫ ହଜାର ୨୦୦ ଟଙ୍କା ଜବତ କରାଯାଇଛି। ହେଲେ କିଭଳି ଓ କେଉଁଠୁ ଗିରଫ କରାଯାଇଛି ସେନେଇ ଏସପି ସୂଚନା ଦେବାକୁ ମନା କରିଥିଲେ। ଏଥିସହ ତାଙ୍କ ସହ କିଛି ସାମ୍ବାଦିକଙ୍କ ସଂପୃକ୍ତି ନେଇ ପ୍ରଶ୍ନ ପଚାରିବାରୁ ସେ ଘଟଣାକୁ ଏଡାଇ ଯାଇଥିଲେ। ତାଙ୍କ ସୂଚନା ବ୍ୟତୀତ ଅନ୍ୟ କୌଣସି ପ୍ରଶ୍ନ ନ କରିବାକୁ ରୋକ୍ ଠୋକ୍ ମନା କରି ଦେଇଥିଲେ। ତେବେ ପ୍ରଶ୍ନ ଉଠୁଛି ଯେ, ସାମ୍ବାଦିକ ସମ୍ମିଳନୀ ଡ଼ାକି ବିସ୍ତୃତ ତଥ୍ୟ ପ୍ରଦାନ ନ କରିବା ପୋଲିସର କାର୍ଯ୍ୟକଳାପ ତଥା ଦୁର୍ବଳତାକୁ ପଦାରେ ପକାଇଛି।