ନବନୀତା ବ୍ୟୁରୋ। ଗତ ପଞ୍ଚାୟତ ନିର୍ବାଚନ ଓ ଲୋକସଭା ନିର୍ବାଚନରେ ବିଜେପି ବାଜିମାତ କରିଥିଲା। ୩୪ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୨୫ ଟିରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଗଠନ କରିଥିଲା ବିଜେପି। ଏହା ପରେ ଗତ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି ଲୋକସଭା ଆସନ ହାତେଇବାରେ ସଫଳ ହେବା ସହ ଜିଲ୍ଲାରେ ବିଜେପି ମଜବୁତ୍ ହୋଇଥିଲା। କାରଣ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାନ ସଭା ଆସନରେ ବିଜେଡ଼ି ନିର୍ବାଚିତ ହୋଇଥିବା ସତ୍ତ୍ଵେ ଲୋକସଭା ଆସନରେ ଜିତି ପାରିନଥିଲା ବିଜେଡ଼ି। ପଞ୍ଚାୟତ ନିର୍ବାଚନ ଭଳି ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି ନିଜର ଦବଦବା ରଖିଥିଲା।
ହେଲେ ଗତ ମାର୍ଚ୍ଚ ମାସରେ ବିଜେପିର ୯ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ି ବିଜେଡ଼ିରେ ସାମିଲ ହେବା ପରେ ବିଜେପି ଟଳମଳ ହେବାରେ ଲାଗିଛି। ଜିଲ୍ଲା ପରିଷଦ ସଂଖ୍ୟା ୨୫ ରୁ ୧୬ କୁ ଖସି ଆସିଥିବା ବେଳେ ବିଜେଡ଼ି ୯ ରୁ ୧୮ କୁ ବୃଦ୍ଧି ପାଇଛି। ଏହାକୁ ନେଇ ଉଭୟ ବିଜେଡ଼ି ବିଜେପି ମଧ୍ୟରେ ଟଣାଓଟରା ଲାଗି ରହିବା ସହ ଛକାପଞ୍ଝା ଚାଲିଛି। ତେବେ ବିଜେଡ଼ି ପାଖରେ ଏବେ ୧୮ ଜିଲ୍ଲା ପରିଷଦ ସଭ୍ୟ ରହି ଥିବାରୁ ବିଜେପି କବଜାରେ ଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଟଳମଳ ହେବାରେ ଲାଗିଲାଣି। ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ କୌଣସି ମୁହୂର୍ତ୍ତରେ ବି ବିଜେଡ଼ି ଜିଲ୍ଲା ପରିଷଦ ଅନାସ୍ଥା ପ୍ରସ୍ତାବ ଆଣି ପାରେ ବୋଲି ଚର୍ଚ୍ଚା ଚାଲିଛି।
ଅନ୍ୟପଟେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଅପହରଣ ନାଟକରେ ବି ନୂଆ ମୋଡ଼ ଆସିଛି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ ବିଜେପି ଆଣିଥିବା ଅଭିଯୋଗକୁ ସେମାନେ ଖଣ୍ଡନ କରିବା ସହ ନିଜ ମର୍ଜିରେ ରାଜଧାନୀ ଆସିଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ଏପରିକି ଗତ ମାର୍ଚ୍ଚ ମାସରେ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିବା ସେମାନେ କହିଛନ୍ତି।
ସେପଟେ ଶାସକ ବିଜେଡ଼ି ବରଗଡ଼ ବିଜେପିକୁ ଭାଙ୍ଗିବାକୁ ଚକ୍ରାନ୍ତ ଚଳାଇଥିବା ବିଜେପି ନେତା ପ୍ରଦୀପ ପୁରୋହିତ ଅଭିଯୋଗ ଆଣିଛନ୍ତି। ବିଜେଡ଼ି ଏହାକୁ ଖଣ୍ଡନ କରିବା ସହ ଅଯଥା ରାଜନୀତି ନ କରିବାକୁ କହିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଜିଲ୍ଲା ପରିଷଦ ସଭ୍ୟ ଜିତିବାର ମାସ ମାସ ପରେ ବି କେମିତି କୌଣସି କରି ପାରିଲେ ନାହିଁ। ଏଥିପାଇଁ କିଏ ବାଧା ସୃଷ୍ଟି କରିଥିଲା। ନିଜ ଦଳ ବିଜେପି ନା ଶାସକ ଦଳ ବିଜେଡ଼ି। କେଉଁ ଦଳର ନା ନେଇନ ଥିଲେ ବି ପରୋକ୍ଷରେ ଶାସକ ଦଳ ଉପରେ ସଂକେତ ମିଳୁଛି। କାରଣ ଜିଲ୍ଲାର ସମସ୍ତ ବିଧାନ ସଭା ଆସନରେ ବିଜେଡ଼ି ବିଜୟୀ ହୋଇଥିବାରୁ ସେମାନଙ୍କ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସ୍ବାଭାବିକ। ଏଭଳି ସ୍ଥିତିରେ ଦଳ ସହ ରହି ମଧ୍ୟ କିଛି କାର୍ଯ୍ୟ ନକରି ପରିବା ଆଶଙ୍କାରେ ୯ ଜିଲ୍ଲା ପରିଷଦ ସଦସ୍ୟ ବିଜେପି ଛାଡି ବିଜେଡିରେ ମିଶିଲେ।
ଯଦି ଦଳ ବଦଳ ଆଇନ୍ ଲାଗୁ ହେଲେ ଏମାନଙ୍କ ଭାଗ୍ୟ କଣ ହେବ। ଧୋବୀକା କୁତ୍ତା ନା ଘରକା, ନା ଘାଟକା ସଦୃଶ ହେବା ସୁନିଶ୍ଚିତ। ବିଜେପି ଦଳ ବଦଳ ଆଇନ୍ ଲାଗୁ କଲେ ଏମାନଙ୍କ ସଭ୍ୟ ପଦ ରଦ୍ଦ ହେବ। ଯଦି ଦୁଇ ତୃତୀୟାଂଶ ସଦସ୍ୟ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ୍ ହେବେ ସେପରି ସ୍ଥଳେ ସଭ୍ୟ ପଦ ରଦ୍ଦ ହେବ ନାହିଁ । ଏବେ ବିଜେପିରୁ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ ଦଳ ଛାଡ଼ିଛନ୍ତି। ଏମାନଙ୍କ ସଭ୍ୟ ପଦ ଅଯୋଗ୍ୟ ନ ହେବା ପାଇଁ ଆଉ ୯ ଜଣ ସଦସ୍ୟକୁ ନିଜ ସପକ୍ଷରେ ଟାଣିବାକୁ ପ୍ରୟାସ କରିବ କି ବିଜେଡ଼ି!
ଅନ୍ୟପଟେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିବାକୁ ଉଦ୍ୟମ ଚଳାଇଛି ବିଜେପି। ଦଳ ଛାଡିଥିବା ସଦସ୍ୟଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ଉଦ୍ୟମ କରିବ ନିଶ୍ଚିତ। ତେବେ ସଫଳତା କେତେ ମିଳିବ ତାହା ଆଶା ଆଶଙ୍କା ଭିତରେ ରହିଛି। ଦଳ ଛାଡ଼ି ଥିବା ସଦସ୍ୟଙ୍କୁ ଫେରି ଆଣିବ ନା ଦଳ ଛାଡ଼ିବା ଆଶଙ୍କା ଥିବା ସଦସ୍ୟକୁ ମନାଇବାରେ ସଫଳ ହେବ ତାହା ଆଗାମୀ ଦିନରେ ଜଣା ପଡ଼ିବ।
