ଡୁଙ୍ଗୁରିପାଲିରେ କାମ ଦେଉନି ଏଟିଏମ୍, କେଉଁଠି ବନ୍ଦ ତ କେଉଁଠି ଟଙ୍କା ନାହିଁ, ଲୋକେ ହଇରାଣ

ଓଡ଼ିଶାବଡ଼ ଖବରବ୍ୟବସାୟ

ନବନୀତା ବ୍ୟୁରୋ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ଥିବା ପ୍ରାୟ ସମସ୍ତ ଏଟିଏମ୍ ଅଚଳ। କେଉଁ ଏଟିଏମରେ ବି ଟଙ୍କାଟିଏ ନାହିଁ। ଅଧିକାଂଶ ଏଟିଏମ୍ ଖୋିଲା ରହିଛି ସତ୍ ହେଲେ ସେଥିରୁ ଟଙ୍କା ବାହାରୁ ନାହିଁ। ଏପରିକି ଦୁଇ ଦିନ ପୂର୍ବରୁ ଉଦଘାଟିତ ହୋଇଥିବା ଏଟିଏମ୍ ବି ଲୋକଙ୍କ କାମରେ ଆସୁନି। ଫଳରେ ଅଞ୍ଚଳର ହଜାର ହଜାର ଚାଷୀ ଓ ସାଧାରଣ ଲୋକେ ବହୁ ହଇରାଣ ହେଉଛନ୍ତି।

ଡୁଙ୍ଗୁରିପାଲି ଚାଷ ଓ ଚାଷୀ ଅଞ୍ଚଳ ଭାବେ ଜଣାଶୁଣା। ଏବେ ଅମଳ ପରେ ମଣ୍ଡିରେ ଧାନ ବିକୁଛି ଚାଷୀ। ହେଲେ ଟଙ୍କା କାଢ଼ିବାକୁ ଆସିବା ବେଳେ ଚାଷୀକୁ ନିରାଶ ହେବାକୁ ପଡୁଛି। କେବଳ ଏତିକି ନୁହେଁ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଡୁଙ୍ଗୁରିପାଲି ଶାଖାରେ ଦରକାର ମୁତାବକ ଦିଆ ଯାଉନି। ବ୍ୟାଙ୍କରେ କମ୍ ଟଙ୍କା ଥିବା ଦର୍ଶାଇ ଚାଷୀ ପିଛା ୧୦ ରୁ ୩୦ ହଜାର ଟଙ୍କା ଦିଆଯାଉଛି। ଫଳରେ ଧାନ ବିକ୍ରି ଟଙ୍କା ଉଠାଇ ପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।

ଟଙ୍କା ଉଠାଇବାରେ ସମସ୍ୟା ନେଇ ଜଣେ ଚାଷୀଙ୍କ କହିବା କଥା ହେଲା, ଅମଳ କରି ଧାନ ମଣ୍ଡିରେ ବିକ୍ରି କରିଥିଲୁ। ହେଲେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଆସିବା ବେଳେ ଆବଶ୍ୟକ ଅନୁସାରେ ଟଙ୍କା ମିଳୁନି। ଏପରିକି ଜଣକୁ ୧୦ ରୁ ୨୦ ହଜାର ମଧ୍ୟରେ ଟଙ୍କା ଦିଆଯାଉଛି। ଫଳରେ ମଜୁରୀ ଓ ଚାଷବାସରେ ଖର୍ଚ୍ଚ ଟଙ୍କା ଦେବାରେ ଅସୁବିଧା ହେଉଥିବା ଚାଷୀ ଅଭିଯୋଗ କରୁଛନ୍ତି।

ଅନ୍ୟପଟେ ଦୁଇ ତିନି ଦିନ ହେଲା ବସ୍ ଷ୍ଟାଣ୍ଡ ନିକଟରେ ଥିବା ଏସବିଆଇ ଏଟିଏମ୍ ଅଚଳ ହୋଇ ପଡ଼ିଛି। ଶହ ଶହ ଲୋକ ଟଙ୍କା କାଢ଼ିବାକୁ ଆସୁଛନ୍ତି। ହେଲେ ଏଟିଏମ୍ ଅଚଳ ହୋଇ ପଡ଼ିଥିବା ଦେଖି ଲୋକେ ନିରାଶ ହୋଇ ଫେରୁଛନ୍ତି। ଏପରିକି ଏଟିଏମ୍ ଅଚଳ ନେଇ ସେଠାରେ କୌଣସି ସୂଚନା ଦିଆଯାଇନଥିବାରୁ ଲୋକେ ସୁରକ୍ଷା କର୍ମୀଙ୍କୁ ପଚାରି ଫେରି ଯାଇଛନ୍ତି। ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ ଗତ ଦୁଇ ତିନି ଦିନ ହେଲା ଏଟିଏମରେ ଟଙ୍କା ନାହିଁ। ଟଙ୍କା ଭର୍ତ୍ତି କରାଯାଇନଥିବାରୁ ଲୋକେ ଏଟିଏମରୁ ଟଙ୍କା ଉଠାଇ ନ ପାରି ଫେରୁଛନ୍ତି।

କେବଳ ଏତିକି ନୁହେଁ, ଡୁଙ୍ଗୁରିପାଲିରେ ଥିବା ପ୍ରାୟ ସମସ୍ତ ଏଟିଏମର ଅବସ୍ଥା ଏମିତି। କୌଣସି ଏଟିଏମରେ ଟଙ୍କା ନ ଥିବାରୁ ଲୋକେ ବହୁ ହଇରାଣ ହେଉଛନ୍ତି। ଡୁଙ୍ଗୁରିପାଲି ସହ ପଣ୍ଡକିଟାଲ, ରାମପୁର ଓ ଗଜବନ୍ଧରେ ଥିବା ଏଟିଏମର ବି ଅନୁରୂପ ପରିସ୍ଥିତି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଟଙ୍କା କାଢି ନ ପାରି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପଟେ ଡୁଙ୍ଗୁରିପାଲିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କକୁ ଇଫକୋ ଅଫିସ୍ ଆଗକୁ ସ୍ଥାନାନ୍ତରିତ କରାଯାଇଛି। ଦୁଇ ଦିନ ତଳେ ବ୍ୟାଙ୍କର ନୂଆ କୋଠା ସହ ଏଟିଏମ୍ ଉଦଘାଟିତ କରାଯାଇଛି। ଏଟିଏମ୍ ଉଦଘାଟନ ହୋଇଛି ସତ ହେଲେ ଏଯାଏ ଏଟିଏମର ଗେଟ ଖୋଲା ନଯାଇ ବନ୍ଦ ପଡ଼ିଛି। ଲୋକଙ୍କ ସୁବିଧା ପାଇଁ କରାଯାଇଥିବା ଏଟିଏମ୍ କାମରେ ଆସୁନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ତେବେ ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।