ଏନ୍ଏନ୍ ବ୍ୟୁରୋ। କଲିକେଶ ସିଂଦେଓଙ୍କୁ ନୂଆ ଦାୟିତ୍ଵ ପରେ ରାଜ ପରିବାର ଗୋଷ୍ଠୀ ମଧ୍ୟରେ ଚଳଚଞ୍ଚଳ। ଦୀର୍ଘ ଦିନରୁ ସୁପ୍ତ ହୋଇ ବସିଥିବା କର୍ମୀ ହଠାତ୍ ସକ୍ରିୟ ହୋଇ ଉଠିବା ସହ କଲିକେଶ ବଲାଙ୍ଗିର ଜିଲ୍ଲାକୁ ପ୍ରବେଶ ବେଳେ ବଏଁରାସର ଠାରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ସମିତି ସଭ୍ୟ ଶ୍ରୀପତି ବାଗଙ୍କ ନେତୃତ୍ୱରେ ପୁଇନ୍ତଳା ବିଜେଡ଼ି ପକ୍ଷରୁ କଲିକେଶଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଓଏସଏଚବି ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ ପରେ କଲିକେଶ ନାରାୟଣ ସିଂଦେଓ ବଲାଙ୍ଗିର ଫେରିବା ବେଳେ ବଏଁରାସରରେ ତାଙ୍କୁ ଦଳ ପକ୍ଷରୁ ପାଛୋଟି ନିଆଯାଇଥିଲା। ବଏଁରାସର ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ପ୍ୟାକ୍ସ ଅଫିସ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ତାଙ୍କୁ ଦଳ ପକ୍ଷରୁ ଫୁଲମାଳ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ନେତା ଓ କର୍ମୀ। ସ୍ଵାଗତ ସମ୍ବର୍ଦ୍ଧନା ଅବସରରେ ବିଜେଡ଼ି ରାଜ ପରିବାର ଗୋଷ୍ଠୀର ସମାଗମ ହୋଇଥିଲା। ଦଳର ଶତାଧିକ କର୍ମୀ ସାମିଲ ହୋଇ ଏହି ସମାରୋହ ଆଭୂତପୂର୍ଣ୍ଣ ଭାବେ ସଫଳ ହୋଇଥିବା ଦଳୀୟ କର୍ମୀ କୁହାକୁହି ହେଉଛନ୍ତି। ଯେଉଁଥିପାଇଁ ରାଜ ପରିବାର ବିରୋଧୀ ଗୋଷ୍ଠୀ ମଧ୍ୟରେ ନିରାଶା ଖେଳି ଯାଇଛି।
ପୁଇନ୍ତଲା ବିଜେଡ଼ି ନେତା ତଥା ରାଜ ପରିବାରର ଦୃଢ଼ ସମର୍ଥକ ଶ୍ରୀପତି ବାଗଙ୍କ ନେତୃତ୍ୱରେ ଏହି ଭବ୍ୟ ସ୍ଵାଗତ ସମାରୋହ ଆୟୋଜନ କରାଯାଇଥିଲା। ଦୀର୍ଘ ଦିନରୁ ନୀରବ ରହିଥିବା ଦଳୀୟ କର୍ମୀ ହଠାତ ଏକଜୁଟ ହୋଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ରାଜ ପରିବାର ବିରୋଧୀ ଗୋଷ୍ଠୀକୁ ଛନକା ପଶିଛି। ଅବଶ୍ୟ ବିନା ନିମନ୍ତ୍ରଣରେ ରାଜ ପରିବାର ବିରୋଧୀ ଗୋଷ୍ଠୀର ଅନେକ ନେତା କର୍ମୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ। କେବଳ ଏତିକି ନୁହେଁ, ରାଜ ପରିବାରର ଉପର ଠାଉରିଆ କର୍ମୀ କୁହାଯାଉଥିବା କିଛି ନେତା ବି ସମାରୋହରେ ଉପସ୍ଥିତ ରହିଥିଲେ। ଭବ୍ୟ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡ଼ି ନେତା ଦେବରାଜ ଅମାତ, କୁନାଲ ସରକାର, ସୀତାକାନ୍ତ ସାଏ, ଭରତ ଭୂଷଣ ପ୍ରଧାନ, ରୋହିତ ସାହୁ, ପ୍ରହଲ୍ଲାଦ ସୁନା, ପାଣ୍ଡବ କୁମ୍ଭାର, ଦାମୋଦର ଦୋରାଙ୍କ ସହ ଦଳର ଶତାଧିକ କର୍ମୀ ସାମିଲ ହୋଇଥିଲେ।
ତେବେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅବସରରେ ମଲମଣ୍ଡା ସମିତି ସଭ୍ୟ ସତ୍ୟାନନ୍ଦ ରାଉତ୍, ପୁଇନ୍ତଲା ସରପଞ୍ଚ ଦେବକୀ ସେଠ୍ ଓ ତାଙ୍କ ସ୍ଵାମୀ ସଞ୍ଜୀବ ରଞ୍ଜନ ସେଠ୍ ଦଳରେ ସାମିଲ ହୋଇଥିଲେ। ବିଜେଡ଼ି ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଲିକେଶ ସିଂଦେଓଙ୍କ ଗହଣରେ ଦଳରେ ମିଶିଥିଲେ। ଅନ୍ୟପଟେ ରାଜ ପରିବାର ବିରୋଧୀ ଗୋଷ୍ଠୀର କିଛି ନେତା ଏବେ କଲିକେଶଙ୍କ ନିକଟତର ହେବା ପାଇଁ ଉଦ୍ୟମ ଚଳାଇଛନ୍ତି। କାରଣ ଆଗକୁ ବିରୋଧୀ ଗୋଷ୍ଠୀ ଭୁଷୁଡି ପଡିବାର ଆଭାସ ପାଇ ଏବେଠାରୁ ଗୋଠ ଛାଡ଼ିବା ଆରମ୍ଭ କରି ଦେଲେଣି।
