ମା’ର ମୃତ୍ୟୁ ପରେ ପରିବାର ବେସାହାରା, ଆର୍ଥିକ ସହାୟତାକୁ ଅପେକ୍ଷା

ଅପରାଧଓଡ଼ିଶାବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ। ଡାକ୍ତର ବିରୋଧରେ ସଙ୍ଗୀନ ଅଭିଯୋଗ। ଭୁଲ ଅପରେସନ ଯୋଗୁଁ ଚାଲିଗଲା ଜଣେ ମହିଳାଙ୍କ ଅମୂଲ୍ୟ ଜୀବନ। ମୃତକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ବଡ଼ ଉଡେନ ଗାଁର ଶ୍ରୀମତୀ ବାଘେଲ। ତାଙ୍କ ମୃତ୍ୟୁ ନେଇ ଡାକ୍ତରଙ୍କୁ ଦାୟୀ କରିଛନ୍ତି ପୀଡିତ ପରିବାର। ଶ୍ରୀମତୀଙ୍କ ମୃତ୍ୟୁ ଘଟଣାକୁ ମାସେ ପୁରି ଥିବା ବେଳେ ଏଯାଏ ମା’ଛେଉଣ୍ଡ ୫ ପୁଅଝିଅ ଆଖିରୁ ଶୁଖିନି ଲୁହ। ମା ଚାଲିଯିବା ପରେ ପୁଅ ଝିଅ ବେସାହାରା ହେଇ ଯାଇଥିବାରୁ ଡାକ୍ତରଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ପୀଡିତ ପରିବାର।

ଅଭିଯୋଗ ଅନୁସାରେ, ଗତ ଜୁନ ମାସରେ ଶ୍ରୀମତୀ ବାଘେଲଙ୍କ ପେଟ ଯନ୍ତ୍ରଣା ହେବାରୁ ତାକୁ ବଲାଙ୍ଗିର ସ୍ୱରାଜ ହସ୍ପିଟାଲରେ ଚିକତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତର ସୁଜ୍ଞାନୀ ମିଶ୍ରଙ୍କ ପରମର୍ଶ ଅନୁସାରେ ନିୟମିତ ଚିକିତ୍ସା ସହ ଔଷଧ ଜାରି ରହିଥିଲା। ପରେ ଜୁଲାଇ ୩ ତାରିଖରେ ଶ୍ରୀମତୀ ବାଘେଲଙ୍କ ସ୍ବରାଜ ହସ୍ପିଟାଲରେ ଅସ୍ତ୍ରୋପଚାର କରିଥିଲେ ଡାକ୍ତର ସୁଜ୍ଞାନୀ ଓ ତାଙ୍କ ଟିମ୍। ଏହାପରେ ମଧ୍ୟ ରୋଗୀର ସ୍ଥିତିରେ ସୁଧାର ଆସି ନଥିଲା। ପୂର୍ବପରି ରୋଗୀର ସେମିତି ରକ୍ତସ୍ରାବ ଲାଗି ରହିଥିଲା। ଏବଂ ଅସ୍ତ୍ରୋପଚାରର ୩ ମାସ ପରେ ଗତ ଅକ୍ଟୋବର ୩ ତାରିଖରେ ଶ୍ରୀମତୀ ବଘେଲଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏବଂ ଏଥିପାଇଁ ଡାକ୍ତର କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି।

ଶ୍ରୀମତୀଙ୍କ ମୃତ୍ୟୁ ପରେ ଏବେ ସ୍ବାମୀ ଗୋବର୍ଦ୍ଧନ ଉପରେ ପରିବାରର ବୋଝ। ସ୍ତ୍ରୀ ଚାଲିଯିବା ପରେ ସ୍ଵାମୀ ଗୋବର୍ଦ୍ଧନ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ତାଙ୍କ ୫ ପୁଅ ଝିଅ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ବଡ଼ ଝିଅର ବୟସ ୧୫ ହୋଇଥିବାବେଳେ ଅନ୍ୟ ଭଉଣୀ ଭାଇଙ୍କ ବୟସ ୧୦ ବର୍ଷ ମଧ୍ୟରେ ରହିଛି। ସମସ୍ତେ ମା’କୁ ଝୁରି ଝୁରି ଦିନ କାଟୁଛନ୍ତି। ଏଥିପାଇଁ କ୍ଷତିପୂରଣ ସେବାକୁ ଡାକ୍ତର ସୁଜ୍ଞାନୀଙ୍କ ନିକଟରେ ଗୁହାରି ମଧ୍ୟ କରିଛନ୍ତି। ହେଲେ ସେ ପ୍ରତିଶ୍ରୁତି ଅନୁସାରେ କ୍ଷତିପୂରଣ ରାଶି ଦେଇନଥିବା କହିଛନ୍ତି ପୀଡିତ ପରିବାର। ଏନେଇ ଡାକ୍ତରଙ୍କୁ ନିବେଦନ କରିଥିଲେ ବି ସେ ତାଙ୍କ କଥା ଶୁଣୁ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ଭୁଲ ଅପରେସନ ଅଭିଯୋଗ ଘଟଣାକୁ ଅସ୍ବୀକାର କରିଛନ୍ତି ସ୍ବରାଜ ହସପିଟାଲ ମାଲିକ ତଥା ଡାକ୍ତର ସୁଜ୍ଞାନୀ ମିଶ୍ର। ରୋଗୀ ମୃତ୍ୟୁ ନେଇ ଓଲଟା ପୀଡିତ ପରିବାର ଉପରେ ଦୋଷ ଦେଇଛନ୍ତି। ଅପରେସନ ସମୟରେ ରୋଗୀର କ୍ୟାନ୍ସର ଥିବା ଜଣା ପଡ଼ିଥିବା କହିଛନ୍ତି ଡାକ୍ତର। ହେଲେ ଏହା ଜାଣି ସୁଦ୍ଧା ସେ ରୋଗୀର ଅପରେସନ ମଧ୍ୟ କରିଥିଲେ। ଏବଂ ଅପରେସନ ପରେ କିଛି ଅସୁବିଧା ହୋଇପାରେ ବୋଲି ପରିବାର ଲୋକଙ୍କୁ ସତର୍କ କରାଇଥିଲେ। ଏବଂ ସତକୁ ସତ ସେଇୟା ହିଁ ହେଲା। ଅପରେସନ ପରେ ରୋଗୀର ସେମିତି ରକ୍ତସ୍ରାବ ଲାଗି ରହିଲା। ଏବଂ ୩ ମାସ ପରେ ରୋଗୀର ମୃତୁ ହୋଇଗଲା। ଯେହେତୁ ରୋଗୀର ମୃତ୍ୟୁ ବିଳମ୍ବରେ ଘଟିଛି ତେଣୁ ବୀମା କିମ୍ବା କ୍ଷତିପୂରଣ ରାଶି ମିଳିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ସୁଜ୍ଞାନୀ। ଅବଶ୍ୟ ମାନବିକତା ଦୃଷ୍ଟିରୁ ସେ ପରିବାର ସମ୍ପର୍କୀୟଙ୍କୁ ଲକ୍ଷେ ୧୦ ହଜାର ଟଙ୍କା ଦେଇଥିବା କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଚିକିତ୍ସାରେ ଯଦି ତାଙ୍କର ଅବହେଳା ନଥିଲା ତାହେଲେ ଲକ୍ଷାଧିକ ଟଙ୍କା ପୀଡିତ ପରିବାର ଲୋକଙ୍କୁ ଦେଉଥିଲେ କାହିଁକି ? ଦେଖାଯାଉ ମାନବିକତା ଦୃଷ୍ଟିରୁ ପୀଡିତ ପରିବାର ଲୋକଙ୍କୁ ଆଉ କେତେ ଦରଦ ଦେଖାଉଛନ୍ତି ଡାକ୍ତର।