ଏନ୍ଏନ୍ ବ୍ୟୁରୋ । ପଦଯାତ୍ରା ଶେଷ ସମୟରେ ସାମିଲ ହେଲେ ସୁଶାନ୍ତ। ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ବଲାଙ୍ଗିର ବିଜେଡ଼ି ପକ୍ଷରୁ ଆୟୋଜିତ ପଦଯାତ୍ରା ସରିବା ସମୟରେ ଯୋଗ ଦେଇଥିଲେ। ଓଏସଏସବି ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଜନ ସଂପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା। ରୁଗୁଡ଼ିପଡା ସ୍ଥିତ ଶିଶୁ ଉଦ୍ୟାନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ପଦଯାତ୍ରା ଆରମ୍ଭ ହୋଇଥିଲା। ପଦଯାତ୍ରା ସହର ପରିକ୍ରମା କରିବା ପରେ ପୁଣି ଶିଶୁ ଉଦ୍ୟାନ ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା। ଏଥିରେ କଲିକେଶଙ୍କ ସହ ବିଜେଡ଼ି ନେତା ଓ ହଜାର ହଜାର କର୍ମୀ ସାମିଲ ହୋଇଥିଲେ।
ତେବେ ପଦଯାତ୍ରା ଶେଷ ସମୟରେ ବଲାଙ୍ଗିର ବିଜେଡ଼ି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ସାମିଲ ହୋଇଥିଲେ। ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଏହି ପଦଯାତ୍ରା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ସୁଶାନ୍ତ। ଅକ୍ଟୋବର ୨ ରୁ ଆରମ୍ଭ ହୋଇଥିବା ଏହି ଜନ ସଂପର୍କ ପଦଯାତ୍ରା ଆସନ୍ତା ୧୫ ତାରିଖରେ ଶେଷ ହେବ ବୋଲି ସେ କହିଛନ୍ତି। ଏ କ୍ରମରେ ଆଜି ବଲାଙ୍ଗିର ସହରରେ ମଧ୍ୟ ପଦଯାତ୍ରା ଆୟୋଜନ କରାଯିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା।
ପଦଯାତ୍ରାରେ କଲିକେଶ ସିଂଦେଓଙ୍କ ସହ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବିଜେଡ଼ି ନେତା ନିହାର ରଞ୍ଜନ ସ୍ବାଇଁ, ଗୋଲାପ ବାଗ, କୈଳାସ ମହାନ୍ତି, ମହେନ୍ଦ୍ର ବାଗ, ବିମଳ ମେହେର, ପୂର୍ବତନ ପୌରାଧ୍ୟକ୍ଷା ସନ୍ତୋଷିନି ବେହେରାଙ୍କ ସହ ଦଳୀୟ ନେତା ଓ ହଜାର ହଜାର କର୍ମୀ ଯୋଗ ଦେଇଥିଲେ।
