ନବନୀତା ବ୍ୟୁରୋ। ବଲାଙ୍ଗିରରେ ତିନି ଦିନିଆ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କୋଭିଦ୍ ମହାମାରୀ ସମୟରେ ରାଜ୍ୟରେ ରକ୍ତର ଅଭାବ ଆଶଂକାକୁ ଦୂର୍ କରିବା ଲକ୍ଷ୍ୟରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏଭଳି ମହତ ଅଭିଯାନ ହାତକୁ ନିଆ ଯାଇଛି। ସାରା ରାଜ୍ୟରେ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଆରମ୍ଭ ହୋଇଥିବା ଏହି ରକ୍ତ ଦାନ ଶିବିର ଆସନ୍ତା ୧୫ ତାରିଖ ଯାଏ ଚାଲିବ।

ଟିଟିଲାଗଡ଼, ପାଟଣାଗଡ଼ରେ ଜୀବନ ବିନ୍ଦୁ ସଫଳତାର ସହ ଶେଷ ହେବା ପରେ ବଲାଙ୍ଗିର ହେଡ୍ କ୍ୱାର୍ଟରରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି। ପେଲେସ୍ ଲାଇନ୍ ସ୍ଥିତ ମୀନା ଟେଣ୍ଟ ହାଉସ ପରିସରରେ ଆୟୋଜିତ ଏହି ତିନି ଦିନିଆ କାର୍ଯ୍ୟକ୍ରମର ଉଦଘାଟନୀ ଦିବସରେ ବିଜେଡ଼ି ନେତା ଅରୂପ ପଟନାୟକ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାନେତ୍ରୀ ଟୁକୁନି ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଅନେକ ସ୍ଵେଚ୍ଛାକୃତ ରକ୍ତଦାତା ସାମିଲ ହୋଇ ରକ୍ତଦାନ କରିଥିଲେ। ଉଦଘାଟନୀ ଦିନରେ ରାଜପରିବାର ପକ୍ଷରୁ କେହି ସାମିଲ ହୋଇନଥିବା ବେଳେ ଦ୍ଵିତୀୟ ଓ ତୃତୀୟ ଦିନରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ନେତା ଲକ୍ଷ୍ମଣ ମେହେର, ପ୍ରଦୀପ ଗୁରୁ, ସତ୍ୟ ନାରାୟଣ ଭୋଇ, ନିହାର ରଞ୍ଜନ ବେହେରା, ମହେନ୍ଦ୍ର ବାଗ୍, ଟିମା ମହାନ୍ତି, ଲୋଟସ୍ ଷଡ଼ଙ୍ଗୀଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।
