ନବନୀତା ବ୍ୟୁରୋ। ସାକାର ହେବାକୁ ଯାଉଛି ବିଜେପୁରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ବୁଧବାର ଅନୁଷ୍ଠିତ ୪୮ ତମ କ୍ୟାବିନେଟ୍ ବୈଠକରେ ବରଗଡ଼ ଜିଲ୍ଲା ବିଜେପୁରରେ ହେବାକୁ ଥିବା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଆହ୍ବାନ ଟେଣ୍ଡର ଅନୁମୋଦନ ଲାଭ କରିଛି। ଏହାଦ୍ବାରା ବିଜେପୁର ଅଞ୍ଚଳକୁ ନିଶ୍ଚିତ ଜଳସେଚନ ଯୋଗାଇବା ପାଇଁ ଆଶା ଉଜ୍ଜୀବିତ ହୋଇଛି।

ମରୁଡି ପ୍ରପୀଡିତ ଭାବେ ଜଣାଶୁଣା ବିଜେପୁର ଅଞ୍ଚଳକୁ ନିଶ୍ଚିତ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି। ୧୧୩୮.୬୩ କୋଟି ଟଙ୍କାର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏହାଦ୍ବାରା ମୋଟ ୧୨୪ ଟି ଗାଁର ୨୫ ହଜାର ୬ଶହ ହେକ୍ଟର ଚାଷ ଜମିକୁ ଜଳସେଚନ ହେବା ସହ ଚାଷୀର ଉନ୍ନତି ହୋଇ ପାରିବ।
ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ୭୭ ଟି ଗାଁର ୧୫, ୨୦୦ ହେକ୍ଟର, ସୋହେଲା ବ୍ଲକର ୨୩ ଟି ଗାଁର ୬,୪୦୦ ହେକ୍ଟର, ବରପାଲି ବ୍ଲକର ୧୯ ଟି ଗାଁର ୩,୮୪୦ ହେକ୍ଟର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ୫ ଟି ଗାଁର ୧୬୦ ହେକ୍ଟର ଚାଷ ଜମି ଜଳସେଚିତ ହେବ। ସମୁଦାୟ ୧୨୪ ଟି ଗାଁର ୨୫,୬୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ହୋଇ ପରିବା ସହ ଚାଷୀଙ୍କ ଅଭିବୃଦ୍ଧି ହୋଇ ପାରିବ ବୋଲି କୁହାଯାଉଛି। ଏଥିସହ ବିଜେପୁରବାସୀଙ୍କୁ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ସାକାର ହେବାକୁ ଯାଉଛି।
ତେବେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଯାନ୍ତ୍ରିକ, କ୍ରୟ ଓ ନିର୍ମାଣ ପଦ୍ଧତିରେ କରାଯାଇ ୩୦ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ୩୦ ପ୍ରତିଶତ ସେଚାଞ୍ଚଳରେ ସ୍ୱୟଂଚାଳିତ ଅଣୁ ଜଳ ସେଚନ କରିବା ପାଇଁ ବ୍ୟବସ୍ଥା ରହିଛି। ଏହି ପଦ୍ଧତି ଦ୍ଵାରା କୃଷକ ମାନେ ସ୍ୱଚ୍ଛ ଜଳ ବ୍ୟବହାର କରି କୃଷି ଉତ୍ପାଦନ ବୃଦ୍ଧି କରିବା ଦିଗରେ ବିଶେଷ ସହାୟକ ହେବ।

ସେପଟେ କଥା ଦେଇ କଥା ରଖିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉଦ୍ୟମ ଯୋଗୁଁ ଏହା ସଫଳ ହେବାକୁ ଯାଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ କରାଯାଇଛି।
