ସ୍ୱାଧୀନତା ଦିବସରେ ଫିଲ୍ମ ଫେରିଆ କମ୍ ବ୍ୟାକ୍

ଓଡ଼ିଶାବଡ଼ ଖବରମନୋରଞ୍ଜନ

ନବନୀତା ବ୍ୟୁରୋ। ସ୍ୱାଧୀନତା ଦିବସରେ ପ୍ରମେୟ ନ୍ୟୁଜ ସେଭେନରେ ଆସିବ ଓଡ଼ିଆ ଫିଲ୍ମ ଫେରିଆ କମ୍ ବ୍ୟାକ୍। ଏକ ସମ୍ବାଦ ଧର୍ମୀ ଫିଲ୍ମ ଭାବେ ତିଆରି ହୋଇଥିବା ଏହି ଫିଲ୍ମଟିରେ ପ୍ରଥମ ସୋ ଦେଖିବାକୁ ମିଳିବ ନ୍ୟୁଜ ସେଭେନରେ। ରାଜ୍ୟ ସରକାରଙ୍କ ଦ୍ବାରା ପୁରସ୍କୃତ ତଥା ଦେଶ ବିଦେଶର ବିଭିନ୍ନ ସ୍ଥାନରେ ପ୍ରଶଂସିତ ହୋଇଛି ଫେରିଆ । ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ର ଗତବର୍ଷ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସର୍ବାଧିକ ଆଠଟି ବିଭାଗରେ ପୁରସ୍କୃତ ହୋଇଥିଲା ।


ଫେରିଆ କମ୍ ବ୍ୟାକର କାହାଣୀ କୋରାପୁଟ ଜିଲ୍ଲାର ଏକ ଆଦିବାସୀ ବହୁଳ ଅପହଞ୍ଚ ଗାଁରେ ଜଣେ ପଢୁଆ ଏନଆରଆଇ ପ୍ରକାଶ ଉପରେ ପର୍ଯ୍ୟବଶିତ। ଗାଁରୁ ଅନ୍ଧବିଶ୍ବାସ ଦୂର କରିବା ଏବଂ ଗାଁର ଚିତ୍ର ବଦଳାଇବା ପାଇଁ ନେତୃତ୍ବ ନିଏ ପ୍ରକାଶ। କିନ୍ତୁ ସ୍ଥିତି ସେମିତି ରୁହେନା ଯେମିତି ସେ ଭାବିଥାଏ । ହଠାତ ଦିନେ ତାର ଜୀବନର ମୋଡ଼ ବଦଳିଯାଏ । ପ୍ରକାଶର ସଂଘର୍ଷ ଏବଂ ତାର ପତ୍ନୀ ପୁଅର ସାମାଜିକ ଅବସ୍ଥା ଭିତରେ କାହାଣୀ ଗତିଶୀଳ ହୁଏ। ଏବଂ ଏମିତି ଏକ ସ୍ଥାନରେ ପହଞ୍ଚିଯାଏ ଯେଉଁଥିରେ ପ୍ରକାଶର ପତ୍ନୀକୁ ସବୁ କିଛି ପଛକୁ ଭାବିବା ପାଇଁ ବାଧ୍ୟ କରେ।
ଯେହେତୁ ଫିଲ୍ମଟି ବର୍ତ୍ତମାନ ସମୟର ଆଭ୍ୟନ୍ତରୀଣ ଓଡ଼ିଶାର ସାମାଜିକ ଚଳଣି ଏବଂ ସ୍ଥିତିର ଏକ ନିଚ୍ଛକ ପ୍ରତିଫଳନ ଏବଂ ଅନ୍ଧବିଶ୍ବାସ ହଟାଇବା ଲାଗି ଏକ ଆନ୍ଦୋଳନ ଭାବେ ତିଆରି ହୋଇଛି, ତେଣୁ ସ୍ବାଧୀନତା ଦିବସ ଅବସରରେ ଏହାକୁ ସମସ୍ତ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରୟାସ କରାଯାଇଛି ବୋଲି ପ୍ରଯୋଜକ ସୁନୀଲ ଦାସ କହିଛନ୍ତି । ଆସନ୍ତା ଅଗଷ୍ଟ ୧୫ ତାରିଖ ଅପରାହ୍ନ ୨ଟା ୩୦ରେ ଏହି ଫିଲ୍ମ ପ୍ରସାରିତ ହେବ। ଏବଂ ସାଧାରଣ ଦର୍ଶକ ଏବଂ ନିଚ୍ଛକ ଓଡ଼ିଆ ଫିଲ୍ମ ଦେଖିବାରେ ଅପେକ୍ଷା କରିଥିବା ଦର୍ଶକଙ୍କ ହୃଦୟଙ୍କୁ ଏହି ଫିଲ୍ମ ଛୁଇଁବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


ରାଜ୍ୟ ଚଳଚ୍ଚିତ୍ର ଉତ୍ସବରେ ଫେରିଆ କମ୍ ବ୍ୟାକ୍ ଶ୍ରେଷ୍ଠ ସଂଗୀତ ପାଇଁ ଶାନ୍ତିରାଜ ଖୋସଲା, ଶ୍ରେଷ୍ଠ ପାର୍ଶ୍ବଗାୟକ ପାଇଁ କରୁଣାକର, ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ପାଇଁ ଶିବାନୀ ଖରା, ଶ୍ରେଷ୍ଠ ଶିଶୁ କଳାକାର ଭାବେ ସାର୍ଥକ ହୋତା, ଶ୍ରେଷ୍ଠ ସଂପାଦନା ପାଇଁ ଅମରେନ୍ଦ୍ର ମହାପାତ୍ର, ଶ୍ରେଷ୍ଠ କଳା ନିର୍ଦ୍ଦେଶନା ପାଇଁ ସଂଗ୍ରାମ ମହାରଣା, ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନ ପାଇଁ ପ୍ରସନ୍ନ ଶତପଥୀ (ମାମା) ପୁରସ୍କୃତ ହୋଇଥିଲେ। ଏଥିସହିତ ମୁମ୍ବାଇର କଳାସମୃଦ୍ଧି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଏବଂ କୋଲକାତାର ୟୁନିକର୍ଣ୍ଣ ଫିଲ୍ମ ଫେଷ୍ଟିଭାଲରେ ଫେରିଆ କମ୍ ବ୍ୟାକ୍ ପୁରସ୍କୃତ ହେବା ସହ ଏହାକୁ ଆର୍କାଇଭ୍ କରାଯାଇଛି । ସେହିପରି ପୁରୀ ବାୟୋଫ ଫିଲ୍ମ ଫେଷ୍ଟିଭାଲରେ ଏହା ପ୍ରଦର୍ଶିତ ହେବା ସହ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ପ୍ରିତିରାଜ ଶତପଥୀ, ଜିନା ସାମଲ, ଦେବୀଦତ୍ତ ପ୍ରଧାନ ଏବଂ କୋରାପୁଟର ଜଣାଶୁଣା ଥିଏଟର ଆର୍ଟିଷ୍ଟ ଜୟନ୍ତ ସାନ୍ତରା , ଆତ୍ମାନନ୍ଦ ନାୟକ ଏବଂ କଳାହାଣ୍ଡିର ଲୋକଗାୟକ ସର୍ବେଶ୍ବର ଭୋଇ ଅଭିନୟ କରିଛନ୍ତି । ଡକ୍ଟର ନିର୍ମଳ ନାୟକ ଫିଲ୍ମର ଗୀତ ଲେଖିଥିବା ବେଳେ ଏହାର ସଂଳାପ ମଧ୍ୟ ଲେଖିଛନ୍ତି।
ମିହିର ରଞ୍ଜନ ଆଚାର୍ଯ୍ୟଙ୍କ ମୌଳିକ କାହାଣୀ ଓ ନିର୍ଦ୍ଦେଶନାରେ ଏହି ଫିଲ୍ମଟି କୋରାପୁଟର ଏକଦମ ବାସ୍ତବ ପୃଷ୍ଠଭୂମିରେ ସୁଟିଂ କରାଯାଇଥିଲା । ଯାହାର କ୍ୟାମେରା ପରିଚାଳନା କରିଥିଲେ ଫିଲ୍ମ ଓ ଟିଭି ଦୁନିଆର ଜଣାଶୁଣା କ୍ୟାମେରାମ୍ୟାନ ଅମରଜିତ ମହାନ୍ତି । କରୋନା ସମୟରେ ହଲ୍ ବନ୍ଦ ହେବା ଯୋଗୁଁ ଏହାକୁ ଟେଲିଭିଜନରେ ଗ୍ରାଣ୍ଡ ପ୍ରିମିୟର କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ମ୍ୟାଟିନି ସୋରେ ଟିଭିରେ ଓଡ଼ିଆ ଫିଲ୍ମ ଦେଖିବା ଲାଗି ଅପେକ୍ଷା କରିଥାନ୍ତି ଦର୍ଶକ। ଅଗଷ୍ଟ ୧୫ ଦିନ ୨ଟା ୩୦ରେ ନ୍ୟୁଜ ସେଭେନ ଏକ ନିଆରା ମନୋରଞ୍ଜନର ସ୍ବାଦ ପାଇପାରିବେ ଦର୍ଶକ ।

Leave a Reply