ପୂର୍ବତଟ ରେଳପଥ ପକ୍ଷରୁ ଆର୍ଟ ଗ୍ୟାଲେରୀ ଅଭିକ୍ଷା ଉଦଘାଟିତ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ପୂର୍ବତଟ ରେଳପଥ ପକ୍ଷରୁ ଆର୍ଟ ଗ୍ୟାଲେରୀ ଓ ଆର୍ଟ ଷ୍ଟୁଡିଓ “ଅଭିକ୍ଷା” ଉଦଘାଟିତ ହୋଇଯାଇଛି। ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳ ପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହ ଓ ଅନ୍ୟ କର୍ମଚାରୀ ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଆର୍ଟ ଗ୍ୟାଲେରୀ ଓ ଆର୍ଟ ଷ୍ଟୁଡିଓ “ଅଭିକ୍ଷ୍ୟା” କୁ ଆଜି ଉଦଘାଟନ କରିଛନ୍ତି।
ଏ ଅବସରରେ ମହାପ୍ରବନ୍ଧକ ବିଦ୍ୟାଭୂଷଣ କହିଛନ୍ତି ଯେ, ଏହି ଆର୍ଟ ଗ୍ୟାଲେରୀ ଓ ଆର୍ଟ ଷ୍ଟୁଡିଓ ରେଳବାଇ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କର କଳାକୃତୀ ଦକ୍ଷତାକୁ ପ୍ରତିପାଦନ କରିବ। ରେଳବାଇ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କ ଦ୍ୱାରା ଅଙ୍କିତ ଚିତ୍ର କଳା ସହିତ କେତେକ ବିଶିଷ୍ଟ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ତୈଳଚିତ୍ର ଏବଂ କଳାକୃତି ଏହି ଆର୍ଟ ଗ୍ୟାଲେରୀ ମଧ୍ୟ ସ୍ଥାନିତ କରାଯାଇଛି।
ରାଷ୍ଟ୍ରୀୟ ସ୍ତରର ଚିତ୍ର ଶିଳ୍ପୀ ପି ଶ୍ୟାମ ସୁନ୍ଦର ଗିନିଜ ବୁକରେ ସ୍ଥାନ ପାଇଥିବା ଡକ୍ଟର ମାଲ୍ଲ ଶିବା ଏବଂ ମିନିଏଚର ଆର୍ଟିଷ୍ଟ ବିବେକାନନ୍ଦ ନାୟକଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ଓ କାରୁକାର୍ଯ୍ୟ ଏହି ଆର୍ଟ ଗ୍ୟାଲେରୀ ଓ ଆର୍ଟ ଷ୍ଟୁଡିଓ ଶୋଭା ବୃଦ୍ଧି କରୁଛି। ଉପରୋକ୍ତ ସମସ୍ତ ଚିତ୍ରଶିଳ୍ପୀ ପୂର୍ବତଟ ରେଳପଥର କର୍ମଚାରୀ ଅଛନ୍ତି I ଆର୍ଟ ଷ୍ଟୁଡିଓରେ ଚିତ୍ରକଳା କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ପରବର୍ତୀ ସମୟରେ ଏହାକୁ ଗ୍ୟାଲେରୀ ରେ ପ୍ରଦର୍ଶିତ କରାଯିବ। ମହାପ୍ରବନ୍ଧକ କହିଛନ୍ତି ଯେ, ଭବିଷ୍ୟତରେ ଏଠାରେ ଚିତ୍ରକଳା ପ୍ରଦର୍ଶନୀ କରାଯିବା ସହିତ ଯୁବ କଳାକାରମାନଙ୍କର ଦକ୍ଷତାକୁ ପ୍ରତିପାଦନ କରାଯିବ।

 

ୱାଲ ମାଗାଜିନ ଅତସୀ କୁସୁମ ମଧ୍ୟ ଏହି ଅବସରରେ ରେଳସଦନଠାରେ ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ଏ ଅବସରରେ ମହାପ୍ରବନ୍ଧକ ରେଳବାଇ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ଓ କଳାକୃତି ଏବଂ ସାହିତ୍ୟକୁ ଭୁୟସୀ ପ୍ରଶଂସା କରିବା ସହିତ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଏହି ମାଗାଜିନ ଏକ ମାଧ୍ୟମ ହେବ ବୋଲି କହିଥିଲେ। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ବରିଷ୍ଠ ଉପମହାପ୍ରବନ୍ଧକ ଏଚ କେ ଦତ୍ତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।  ଆର୍ଟ ଗ୍ୟାଲେରୀ ଅଭିକ୍ଷ୍ୟା ଏବଂ ଆର୍ଟ ଗ୍ୟାଲେରୀ ଓ ଆର୍ଟ ଷ୍ଟୁଡିଓୱାଲ ମାଗାଜିନ ଅତସୀ କୁସୁମ ଏଭଳି ଦୁଇଟି ସ୍ଥାନ ଯେଉଁଥିରେ ରେଳବାଇର କର୍ମଚାରୀ ମାନଙ୍କର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରାଯାଇପାରିବ।

ମହାପ୍ରବନ୍ଧକ ମଧ୍ୟ କହିଛନ୍ତି ଯେ, ରେଳବାଇ ପରିବାରରୁ ଅନେକ ଦକ୍ଷ କଳାକାରମାନେ ସେମାନଙ୍କର ଦକ୍ଷତାକୁ ବିଭିନ୍ନ କ୍ଷେତ୍ରରେ ଦର୍ଶାଇଛନ୍ତି।  ଆର୍ଟ ଗ୍ୟାଲେରୀ ଅଭିକ୍ଷ ଏବଂ ୱାଲ ମାଗାଜିନ ଅତସୀ କୁସୁମ ଯୁବ କଳାକାର ଓ ସାହିତ୍ୟ ପ୍ରେମୀ ମାନଙ୍କୁ ପ୍ରୋତ୍ସାହିତ କରିବ। ପୂର୍ବତଟ ରେଳପଥର ଉପ ମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।