ଭୁବନେଶ୍ୱରର ଜଣାଶୁଣା ଲେଖକ ବିଚିତ୍ରାନନ୍ଦ ସାହୁଙ୍କ ଲଘୁଉପନ୍ୟାସ ତାଲାବନ୍ଦର ଦେବକୀ(୩), ପଢନ୍ତୁ।

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ଭୁବନେଶ୍ୱର ରେଲୱେ ଷ୍ଟେସନ ଯେଉଁଠି ଦିନରାତି ଭିଡ ଲାଗିଥାଏ। ପ୍ଲାଟଫର୍ମ, ଓ଼ଭେରବ୍ରିଜ, ବୁକିଂ କାଉଣ୍ଟର, ୱେଟିଂ ହଲ ସବୁଠି ଭିଡ। ଷ୍ଟେସନ ବାହାରେ ଅଟୋ ଵାଲା, ଟାକ୍ସି ବାଲାଙ୍କର ଭିଡ କିନ୍ତୁ ଏବେ ସବୁ ଶୂନଶାନ। କେତେଜଣ ପୋଲିସ ପହରା ଦଉଛନ୍ତି।
– “କୋଉଠୁ ଆସିଲ?” ଜଣେ ପୋଲିସ ବାବୁ ପଚାରିଲେ।
– “ବିଳାସପୁରରୁ।” କାହ୍ଣୁଆ କହିଲା।
– “ବିଳାସପୁର ରୁ ! ଚାଲି ଚାଲି ଆସିଲ? କୋଉଠି କି ଯିବ?”
– “ମାଣିକପୁର।”
– “ସେଇଟା କୋଉଠି?”
– “ନିମାପଡା ରାସ୍ତାରେ।”
-“ଏବେ ଯାଇପାରିବନି। ତମେ ତା ଜଣ ସରକାରଙ୍କର କ୍ଵାରେଣ୍ଟାଇନ ସେଣ୍ଟରରେ ଚଉଦ ଦିନ ପାଇଁ ରହିବ। ତମର ରକ୍ତ ନମୁନା ପରୀକ୍ଷା ହେବ। ଯଦି ନେଗେଟିଭ ଆସିଲା ତେବେ ଘରକୁ ଯିବ।”
– “ଚଉଦ ଦିନ?”
– “ହଁ। ତମର ଖାଇବା, ପିଇବା, ଔଷଧ ପତ୍ର, ଚିକତ୍ସା ସବୁ ବ୍ୟବସ୍ଥା ସରକାର କରିଛନ୍ତି। ଯାଅ ସେ ଗାଡ଼ିରେ ବସ।”
କାହ୍ଣୁଆ ଆଉ ସବନମ ଗାଡ଼ିରେ ବସିଲେ। ଆଉ କିଛି ଲୋକ ମଧ୍ୟ ସେ ଗାଡ଼ିରେ ବସିଥିଲେ। ଗାଡି ଯାଇ ପହଁଚିଲା ଗୋଟେ କଲେଜ ପାଖରେ। ସେଠି ଏବେ ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ କ୍ଵାରେଣ୍ଟାଇନ ସେଣ୍ଟର କରିଯାଇଛି। କାହ୍ଣୁଆ ଆଉ ସବନମ ସେଠି ରହିଲେ। ରକ୍ତ ନମୁନା ଗଲା। ଅପେକ୍ଷା କେବେ ଆସିବ ରିପୋର୍ଟ ?
ମାଣିକପୁର ଗାଁରେ ଦେବକୀ କୁଡ଼ିଆ ଆଗରେ ଦଶ ବାର ଜଣ ଗାଁ ଵାଲା ଛିଡା ହେଇଛନ୍ତି। ସମସ୍ତଙ୍କ ମୁହଁରେ ମାସ୍କ, ନ ହେଲେ ଗାମୁଛା। ଦୂର ଗାଁ ଦାଣ୍ଡରେ କିଛି ସ୍ତ୍ରୀ ଲୋକ ଲୁଗା କାନିରେ ନିଜ ମୁହଁକୁ ଢାଙ୍କି ଦେଇ ପିଣ୍ଡାରେ ଠିଆ ହେଇଛନ୍ତି। ସରପଞ୍ଚ ବାବୁ ବି ଅଛନ୍ତି। ସରପଞ୍ଚ କହିଲେ – “ଆରେ ବୁଢ଼ୀର ତ ରକ୍ତ ନମୁନା ନେଇଥିଲେ। ତାକୁ କରୋନା ହେଇନି। ତମେ ସବୁ ଡରୁଚ କାହିଁକି?” ମୁଁ ଥାନାରୁ ଅନୁମତି ଆଣିଛି। ଅତିବେଶିରେ ଦଶ ଜଣ ଲୋକ ତା ଶବ ସଂସ୍କାର କରିପାରିବେ। “ହେଲେ ବୁଢ଼ୀ ତ ଏବେ ମରିନି ତାର ଚେତା ନାହିଁ। ଯଦି ବଞ୍ଚିଯିବ?” – ଜଣେ ଗାଁ ଲୋକ କହିଲା।
-“ଆରେ ସେ ଆଉ ନାହିଁ। କାହ୍ଣୁଆ ତା ଆସିଲାନି। ଯଦି ଚାଲିଯାଏ ଆମେ ତା କାମ ବଢ଼େଇ ଦେବା।” ସରପଞ୍ଚ କହିଲେ।
ନଈବନ୍ଧରେ କାହ୍ଣୁଆ ଆଉ ସବନମ। କାହ୍ଣୁଆ ଦେଖୁଚି ତା ଘର ଆଗରେ ଗାଁ ଲୋକଙ୍କ ଭିଡ । ‘ବୋଉ କଣ ଚାଲିଗଲେ . . .’ ତା ମନକୁ ପାପ ଛୁଇଁଲା। ସେ ଘର ଆଡେ ଧାଇଁଲା। “ଏ ରହ ରହ, ତୁ ପରା ବିଳାସପୁରରେ ଥିଲୁ। ତୁ ଗାଁ କୁ ଯାଇପାରିବୁନି। ଆଗେ ୧୦୪ ନମ୍ବର କୁ ଫୋନ କରେ। ତୋ ନାଁ ପଞ୍ଜିକରଣ ହେବ।” – ମାଧିଆ କହିଲା। କାହ୍ଣୁଆ କହିଲା – “ମୁଁ ପନ୍ଦର ଷୋହଳ ଦିନ ହେଲା ଭୁବନେଶ୍ୱରରେ ପହଂଚିଲାଣି। ଆମ ଦି’ ଜଣକ ରକ୍ତ ନମୁନା ବି ପରୀକ୍ଷା କରାଯାଇଛି। ଏ ଦେଖୁନ ଆମ ମେଡିକାଲ ରିପୋର୍ଟ।”
“ହଉ ଯା ଯା, ବେଗି ଯା, ବୁଢ଼ୀ କୁ ନିର୍ମାଲ୍ୟ ପାଣି ଟିକେ ଦେ। ସେ ତୋତେ ପରା ଅନେଇଛି” – ଜଣେ ବୃଦ୍ଧଲୋକ କହିଲେ।
କାହ୍ଣୁଆ ସବନମକୁ ନେଇ ସେ ଘର ଭିତରକୁ ପଶିଗଲା। ଲୋକେ କେତେ କଥା କୁହା କୁହୀ ହଉଥିଲେ। “କାହ୍ଣୁଆ ଟା ସିଆଡେ ବାହା ହେଇ ପଡିଲା” “ବୋଧେ ସେଥିପାଇଁ ଆସୁନଥିଲା” – କିଏ ଜଣେ କହିଲା। “ନାହିଁବେ, ସେ ଝିଅଟା ତା ସ୍ତ୍ରୀ ନୁହେଁ। ସେ ତ ଆମ ହିନ୍ଦୁ ଘର ର ଝିଅ ଭଳି ଲାଗୁନି। ତା ମୁଣ୍ଡରେ ସିନ୍ଦୁର ନାହିଁ ।”

“ବୋଉ!” କାହ୍ଣୁଆ ଡାକରେ ଦେବକୀ ଆଖି ଖୋଲିଲା। “ତୁ ଆଇଚୁ? ମୋ କାହ୍ଣୁଆ! ମୋ କଳା କହ୍ନେଇ! ମୋ ଧନରେ।” ଦେବକୀ ଉଠିବାକୁ ଚେଷ୍ଟା କରୁଥିଲା। କାହ୍ଣୁଆ ତାକୁ କୋଳରେ ଧରିକି କହିଲା – “ତୋର କିଛି ହବନି ଲୋ ବୋଉ! ମୁଁ ପରା ଆସିଗଲାଣି।”
କାହ୍ଣୁଆ ପାଖରେ ଲକ୍ଷ୍ମୀ ପ୍ରତିମା ପରି ଝିଅଟି। “ଇଏ ମୋ ବୋହୁ ନା?” ବୋଉର ପ୍ରଶ୍ନରେ କାହ୍ଣୁଆ କହିଲା – “ନା ନା ସେ ତୋ ବୋହୁ ନୁହଁ। ମୁଁ ତାକୁ ବାହା ହେଇନି।” – “ନା ନା ସେ ମୋ ବୋହୁ। ଏ ମା! ସେ ଠଣାରେ ଭାଗବତ ବହିଟା ଅଛି, ଦି ପଦ ପଢି ଦେଲୁ।” ଦେବକୀର କଥା ଶୁଣି ସବନମ କାହ୍ଣୁଆକୁ ଚାହିଁଲା। କାହ୍ଣୁଆ କହିଲା – “ବୋଉ ସେ ପାଠ ପଢିନି।”
– “ହଉ ତୁ ତ ପଢିଛୁ। ତୁ ଦି ପଦ ପଢିଦେ। ଆଲୋ ମା ଇଶାଣ ପାଖରେ ଗୋଟାଏ କାଚରେ ଗଙ୍ଗା ପାଣି ଅଛି। ମୋ ପାଟିକୁ ଟିକେ ଦେଲୁ।”
ସବନମ କ’ଣ କରିବ କିଛି ବୁଝିପାରୁନଥିଲା। କାହ୍ଣୁଆ ଗଙ୍ଗା ପାଣି ଆଣି ଦେଲା। ସବନମ ଦେବକୀକୁ ନିଜ କୋଳରେ ଆଉଜାଇ ଧରିଲା। ତା ପାଟିରେ ଟିକେ ପାଣି ଦେଲା। କାହ୍ଣୁଆ ଠଣାରୁ ଭାଗବତ ବହିଟା ବାହାର କରୁଚି, ବାହାରେ ପାଟିତୁଣ୍ଡ ଶୁଭିଲା। ସେ ଭାଗବତ ବହିଟା ରଖିଦେଇ ବାହାରକୁ ଆସି ଦେଖିଲା। କିଛି ଲୋକ କହୁଛନ୍ତି – “ସେ ଝିଅଟା ମୁସଲିମ! ସେ ଏଠି କେମିତି ରହିବ? ଆମେ ତାକୁ ବିଦା କରିଦେବା।” ଆଉ କିଛି କହୁଛନ୍ତି – “ଆମେ ଆଉ ସେ ଝିଅ କୁ ନବୁନି ସେ ବିଧର୍ମୀ ହେଇଯାଇଚି।” କାହ୍ଣୁଆ ଦେଖୁଚି ଏ ଘଟଣା କୁ ନେଇ ଦୁଇ ସମ୍ପ୍ରଦାୟ ଭିତରେ ଦଙ୍ଗା ଲାଗିଯାଇପାରେ। ସେ କ’ଣ କରିବ କିଛି ଚିନ୍ତା କରିପାରୁନଥିଲା। ପାଟିତୁଣ୍ଡ ଶୁଣି ଦେବକୀ ଆସି ତା ପାଖରେ ଠିଆ ହେଇଚି। ତା ସହିତ ସବନମ ବି। ତାକୁ ଦେଖି ସମସ୍ତେ ଚୁପ ହେଇଗଲେ। ଦେବକୀ କହିଲା – “ହଇରେ ଅଳପଇସେ! ମୋ ଦୁଆରେ କାହିଁ ପାଟି କରୁଛ? ମୋ ପାଇଁ କୋକେଇ ବାନ୍ଧିବାକୁ ଯାଉଥିଲ। ଶୁଣ, ମୋ ବୋହୁ ଆସି ଗଲାଣି। ମୁଁ ଏବେ ମରୁନି। ବୋହୂ ହାତ ପରସା ଖାଇବି। ନାତି କି ନାତୁଣୀ କୋଳରେ ଧରିବି। ତା ପରେ ଯାଇ ମରିବି।”
ଜଣେ କହିଲା – “ସେ ଝିଅଟା ଆମ ଜାତିର ନୁହଁ କି ଧର୍ମର ନୁହଁ। ତୋ ବୋହୂ ହବ କେମିତି?”
ଦେବକୀ କହିଲା – “ଜାତି! ଧର୍ମ? କୋଉ ଜାତି ଧର୍ମ କଥା କହୁଚ ତୁମେ ମାନେ? ଆରେ କରୋନା ପରି ମହାମାରୀ ଆଇଚି ଯେ, ତା ଆଗରେ ଜାତି ଧର୍ମ କିଛି ନାହିଁ। ଧନୀ ଗରିବ କିଛି ନାହିଁ। ହିନ୍ଦୁ ମରୁଛନ୍ତି, ମୁସଲମାନ ମରୁଛନ୍ତି, ଧନୀ ମରୁଚି, ଗରିବ ମରୁଚି, ହାକିମ ବି ମରୁଚି, ମୁଲିଆ ବି ମରୁଚି। ଆରେ ମଣିଷର ଜୀବନ ନେଇଥିବା ମହାମାରୀ ତ ଜାତି ଧର୍ମ ବାଛ ବିଚାର ରଖୁନି। ତମେ ସବୁ ମଣିଷ ହେଇ ମଣିଷ କୁ ଭଲ ପାଇବା ବଦଳରେ ଏତେ ଘୃଣା କରୁଚ? ଜାତି ଧର୍ମ ବାଛ ବିଚାର ରଖୁଛ? ତମ ମାନଙ୍କର କ’ଣ ମଣିଷ ପଣିଆ ନାହିଁ? ଶୁଣ ମୁଁ ତାଲାବନ୍ଦର ଦେବକୀ କହୁଛି। ସେ ଝିଅଟା ଯୋଉ ଜାତିର ହେଇଥିଲେ ବି, ଯୋଉ ଧର୍ମର ହେଇଥିଲେ ବି ସେ ମୋର ବୋହୂ!”
କାହ୍ଣୁଆ ଆଉ ସବନମ କୁ ନେଇ ଦେବକୀ ଘର ଭିତରକୁ ଚାଲିଗଲା। ସମସ୍ତେ ଅବାକ ହେଇ ଚାହିଁ ରହିଥିଲେ।