ନବନୀତା ବ୍ୟୁରୋ। ରାଜ୍ୟର ଘରୋଇ ଉପଭୋକ୍ତାଙ୍କ ବିଜୁଳି ଟାରିଫ୍ ବୃଦ୍ଧି ନେଇ ଓଇଆରସିରେ ଶୁଣାଣି ଚାଲିଥିବା ବେଳେ ଅନ୍ୟପଟେ ବିଦ୍ୟୁତ୍ ବିତରକ କମ୍ପାନୀମାନେ ପର୍ଯ୍ୟାପ୍ତ ସମୟ ନଦେଇ ଉପଭୋକ୍ତାଙ୍କ କନେକ୍ସନ୍ କାଟି ଦେବା ଘଟଣାକୁ ଦୃଢ଼ ପ୍ରତିବାଦ କରୁଛି ବିଜେପି। ଏନେଇ ବିଜେପି ନେତା ଏକ ପ୍ରେସ ମିଟ୍ କରି କହିଛନ୍ତି ଯେ, ବିଜୁଳି ବିଲ୍ ଆଦାୟ ମାମଲାରେ ରାଜ୍ୟ ସରକାର ଝିଂଟିକା ମାରି ବଣି ପୋଷିବା ନୀତି ଅବଲମ୍ବନ କରୁଛି।
ଗୋଲକ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ୟୁନିଟ୍ ପିଛା ବିଜୁଳି ଦର ପାଖାପାଖି ୫୦ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ବିଭିନ୍ନ ବିତରଣକାରୀ ଓ ଉତ୍ପାଦନକାରୀ କମ୍ପାନୀ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ସାମ୍ନାରେ ରଖିଥିବା ଦାବିକୁ ନେଇ ସାଧାରଣ ଗରିବ ଖାଉଟିମାନେ ଚିନ୍ତାରେ ଅଛନ୍ତି। ତେବେ ଦାୟିତ୍ୱ ସମ୍ପନ୍ନ ମୁଖ୍ୟ ବିରୋଧୀ ଦଳ ଭାବରେ ରାଜ୍ୟରେ ଆସନ୍ନ ଉଚ୍ଚ ବିଜୁଳି ଟାରିଫ୍ ବୃଦ୍ଧି ଅବ୍ୟବହିତ ପୂର୍ବରୁ ଏଥିରୁ କ୍ଷାନ୍ତ ରହିବାକୁ ରାଜ୍ୟ ସରକାରଙ୍କୁ ବିଜେପି ଚେତାବନୀ ଦେଇଛି।
ସେ ଆହୁରି କହିଛନ୍ତି ଯେ, ରାଜ୍ୟର ବଡ ଶିଳ୍ପାନୁଷ୍ଠାନ ଓ ବିଜୁଳି ଉତ୍ପାଦନକାରୀ କମ୍ପାନୀକୁ ରାଜ୍ୟର ଗରିବ ଜନସାଧାରଣଙ୍କ ଝାଳବୁହା ଟିକସ ଟଙ୍କାରୁ ରିହାତି ତଥା ବିଭିନ୍ନ ଆଳରେ ପଡି ରହିଥିବା ମୋଟା ବିଲ୍ ଆଦାୟ ନକରି ‘କାଉ ଖାଇଲା ପଣସ ବଗ ମୁଣ୍ଡରେ ଅଠା’ ପରି ସାଧାରଣ ଲୋକଙ୍କ ଉପରେ ଜୋର ଜବରଦସ୍ତି ରାଜ୍ୟ ସରକାର ବୋଝ ଲଦି ଦେଉଛନ୍ତି। ଏପରିକି ରାଜ୍ୟର ୨୬ଟି ବଡ ଶିଳ୍ପ ସଂସ୍ଥା ଉପରେ ୧୮୭୪ କୋଟି ଟଙ୍କାର ବିଜୁଳି ବିଲ୍ ବକେୟା ପଡିରହିଛି। ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡଯନ୍ତ୍ରରେ ଏହି କମ୍ପାନୀଗୁଡ଼ିକ କୋର୍ଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ଋଗ୍ଣ କରିଥିବା କହିଛନ୍ତି ଗୋଲକ ମହାପାତ୍ର।
ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ତଥ୍ୟନୁସାରେ ବାହାର ରାଜ୍ୟକୁ ଓଡିଶା ସରକାର ୟୁନିଟ୍ ପିଛା ୩ ଟଙ୍କା ୨୧ପଇସାରେ ବିଜୁଳି ଵିକୁଛି। ହେଲେ ବାହାର ରାଜ୍ୟରୁ ରାଜ୍ୟ ସରକାର ୟୁନିଟ୍ ପିଛା ୩ ଟଙ୍କା ୮୧ ପଇସା ଦରରେ ବିଜୁଳି କିଣୁଛି। କିଣାବିକାରେ ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ କରି କେଉଁମାନେ ଏଥିରୁ ଲାଭ ଉଠାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗୋଲକ।
ଏକ ଆରଟିଆଇ ଉତ୍ତରରେ ରାଜ୍ୟ ସରକାରଙ୍କର ଖାଉଟି ମାରଣ କମ୍ପାନୀ ପ୍ରୀତିର ଉଦାହରଣ ପଦାରେ ପଡ଼ିଛି। ରାଜ୍ୟରେ ୩୩୨ଟି କମ୍ପାନୀ ଉପରେ ଜଳ କର ବାବଦରେ ୫୧୫ କୋଟିରୁ ଅଧିକ ଟଙ୍କା ଦୀର୍ଘ ଦିନରୁ ପଡିରହିଛି। ହେଲେ ରାଜ୍ୟ ସରକାର କୋହଳ ଭାବ ପୋଷଣ କରି ଏହି କମ୍ପାନୀ ପଡିରହିଥିବା ଟିକସ ଆଦାୟ କରୁନାହାନ୍ତି। କେବଳ ଏତିକି ନୁହେଁ, ରାଜ୍ୟ ସରକାର ଯେଉଁ ବିତରକ କମ୍ପାନୀ ପାଇଁ ସାଧାରଣ ଖାଉଟିଙ୍କୁ ବଳି ଦେବାକୁ ଚାହୁଁଛନ୍ତି, ସେ କମ୍ପାନୀ ରାଜ୍ୟ ସରକାରଙ୍କ ଅଧିନସ୍ଥ ଗ୍ରୀଡକୋକୁ ହଜାର ହଜାର କୋଟି ଟଙ୍କା ପୈଠ କରୁନାହାନ୍ତି। ସେହିପରି ବିଭିନ୍ନ ବିଦ୍ୟୁତ ବଂଟନ କମ୍ପାନୀ ଉପରେ ମୋଟ ୩୯୩୭.୪୮ କୋଟି ଟଙ୍କା ବକେୟା ରହି ଥିବା କହିଛନ୍ତି ଗୋଲକ ମହାପାତ୍ର।
ବିଧାନସଭାରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଉତ୍ତରରେ ୪ଟି ବିତରକ କମ୍ପାନୀ ଉପରେ ମାର୍ଚ୍ଚ ୨୦୧୯ ସୁଦ୍ଧା ଗ୍ରୀଡକୋର ବକେୟା ୩୯୩୭.୪୮ କୋଟି ଟଙ୍କା ପଡି ରହିଛି। ଏହାସହ ଏହି କମ୍ପାନୀ ପାଇଁ ବିଶ୍ୱ ବ୍ୟାଙ୍କ ଓ ସରକାର ୨୯୦୮.୫୫ କୋଟି ଟଙ୍କା ଋଣ ଯୋଗାଇଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ,ଏତେ ସୁବିଧା ଦିଆଯିବା ପରେ ବି ବିତରକ କମ୍ପାନୀ ପାଇଁ ବିଜୁୁଳି କାଟିବା ଓ ବିଜୁଳି ଟାରିଫ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ତତ୍ପର କାହିଁକି?
ଏହା ବ୍ୟତୀତ ବିଗତ ଦିନରେ ରାଜ୍ୟ ସରକାରଙ୍କ ତରଫରୁ ଓଏଚପିସିକୁ କମ୍ ଦରରେ ବିଜୁଳି ଉତ୍ପାଦନ ପାଇଁ ୫୨୨୫ କୋଟି ଟଙ୍କା ଛାଡ କରାଯାଇଛି। ଏହା ପରେ ବି ବିଦ୍ୟୁତ ନିୟାମକ ଆୟୋଗ ସାମ୍ନାରେ ଓଏଚପିସି ତରଫରୁ ବିଜୁଳି ଟାରିଫ୍ରେ ବଡ ବୃଦ୍ଧି ପାଇଁ ଦାବି କରାଯାଇଛି।ଏତେ ପରିମାଣର ପାଣି ବିଲ୍ ଛାଡ କଲା ପରେ ବି ଏହି ସରକାରୀ କମ୍ପାନୀ ଖାଉଟି ମାନଙ୍କ ଉପରେ ବୋଝ ଲଦିବା ପାଇଁ କାହିଁକି ଦାବୀ କରୁଛି ଓ ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ୱୀକୃତି ନେଇଛି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଗୋଲକ।
ସେହିପରି ତାମିଲନାଡୁ ଭଳି ରାଜ୍ୟରେ ୧୦୦ ୟୁନିଟ ଯାଏଁ ବିଜୁଳି ମାଗଣା ବ୍ୟବସ୍ଥା ରହିଛି। ହେଲେ ଓଡିଶାରେ ଘରୋଇ ବିଦ୍ୟୁତ ଟାରିଫ ୟୁନିଟ ପିଛା ପ୍ରଥମ ୫୦ ୟିନିଟ୍ ପର୍ଯ୍ୟନ୍ତ ୨ ଟଙ୍କା ୫୦ ପଇସା ରହିଥିବା ବେଳେ ସିକିମରେ ୟୁନିଟ୍ ପିଛା ୧ ଟଙ୍କା ୨୦ ପଇସା, ଆନ୍ଧ୍ର ଓ ତେଲେଙ୍ଗାନାରେ ୧ ଟଙ୍କା ୪୫ ପଇସା, ଗୋଆରେ ୧ ଟଙ୍କା ୪୦ ପଇସା ଓ ଛତିଶଗଡରେ ୨ ଟଙ୍କା ୪୦ ପଇସା ରହିଛି। ଏଥିସହ ଆନ୍ଧ୍ର ଓ ଗୁଜୁରାଟରେ ଅଣୁ କ୍ଷୁଦ୍ର ଶିଳ୍ପ ପାଇଁ ବିଶେଷ ରିହାତି ସହ ୟୁନିଟ୍ ପିଛା ମୂଲ୍ୟ ୨ ଟଙ୍କା ୬୦ ପଇସା ରଖାଯାଇଛି। ଓଡିଶାର ଶିଳ୍ପ ବିକାଶ ପାଇଁ ଏହି ଶିଳ୍ପ ଅଗ୍ରଣୀ ରାଜ୍ୟର ପଦକ୍ଷେପକୁ ରାଜ୍ୟ ସରକାର ଅନୁସରଣ କରନ୍ତୁ ବୋଲି ଗୋଲକ ମହାପାତ୍ର କହିଛନ୍ତି।
ତେଣୁ ଖାଉଟିମାନଙ୍କର ବିଜୁଳି ଟାରିଫ୍ ଅପରିବର୍ତ୍ତିତ ରଖିବା ସହ ରାଜ୍ୟର କୃଷକଙ୍କୁ ଶାସକ ଦଳର ପ୍ରତିଶ୍ରୁତି ଅନୁସାରେ ମାଗଣା ବିଜୁଳି ଯୋଗାଇବା ବ୍ୟବସ୍ଥା କରାଯାଉ। ଏଥିସହ ରାଜ୍ୟରେ ଶିଳ୍ପ ବିକାଶ ପାଇଁ ପ୍ରଚଳିତ ୟୁନିଟ୍ ପିଛା ୫ଟଙ୍କା ୭୦ପଇସାର ଟାରିଫ୍ ବଦଳରେ ଦେଶର ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜୁରାଟ ପରି ୪ଟଙ୍କା ୫୦ ପଇସାକୁ ରାଜ୍ୟ ସରକାର ହ୍ରାସ କରନ୍ତୁ ବୋଲି ସେ କହିଛନ୍ତି। ସେପଟେ ବିଜେପିର ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିନି।
