ନବନୀତା ବ୍ୟୁରୋ। ବାଂଲାଦେଶ ଟିମ୍ ସେମିଫାଇନାଲରେ ନ୍ୟୁଜଲ୍ୟାଣ୍ଡ ଦଳକୁ ହରାଇ ପ୍ରଥମ କରି ଅଣ୍ଡର ୧୯ ବିଶ୍ୱକପ୍ ଫାଇନାଲରେ ନିଜ ଜାଗା ପକ୍କା କରିଛି। ଅକବର ଅଲ୍ଲୀଙ୍କ ଅଧିନାୟକତ୍ୱରେ ଟିମ୍ ଐତିହାସିକ୍ ଜିତ ସହ ଇତିହାସ ରଚିଲା।
ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଯୁବକଙ୍କ ବିଶ୍ୱକପରେ ଗୁରୁବାର ଦ୍ବିତୀୟ ସେମି ଫାଇନାଲରେ ବାଂଲାଦେଶ ଓ ନ୍ୟୁଜଲାଣ୍ଡ ମଧ୍ୟରେ ମୁକାବିଲା ଚାଲିଥିଲା। ବାଂଲାଦେଶର ମହମୁଦୁଲ ହସନ୍ ଜୟଙ୍କ ଶତକୀୟ ପାରି ବଳରେ ୬ ୱିକେଟରେ ବିଜୟୀ ହେବା ସହ ଇତିହାସ ରଚିଛି। ଏଥିସହ ପ୍ରଥମ କରି ଅଣ୍ଡର ୧୯ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି।
ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବାଂଲାଦେଶ ଅଧିନାୟକ ଆକବର ଅଲ୍ଲୀ। ଆକବରଙ୍କ ନିଷ୍ପତି ସଫଳ ସାବିତ ହେବା ସହ କିୱି ଟିମକୁ ୨୧୧ ରନ କରିବାରେ ସକ୍ଷମ ହୋଇଥିଲା। ନ୍ୟୁଜଲାଣ୍ଡ ପକ୍ଷରୁ ଜହାଁ ହ୍ୱିଲର୍ ଗ୍ରୋନାଲ୍ ନାବାଦ ୭୫ ରନ କରିଥିବା ବେଳେ ଲିଡଷ୍ଟୋନ ୪୪ ରନ୍ ସଂଗ୍ରହ କରିଥିଲେ। ବାଂଲାଦେଶ ପକ୍ଷରୁ ଶୋରିଫୁଲ ଇସଲାମ ସର୍ବାଧିକ ୩ଟି ୱିକେଟ ନେଇଥିଲେ।
ଜବାବରେ ୨୧୨ ରନ୍ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବାଂଲାଦେଶ। ମହମୁଦୁଲ୍ ହସନ ଜୟଙ୍କ ଶତକୀୟ ପାରି, ଶହାଦତ୍ ହୋସୈନ ୪୦, ହୃଦୋୟ ୪୦ ରନ ବଳରେ ୩୫ ବଲ ବାକି ଥାଇ ଐତିହାସିକ ଜିତ ହାସଲ କରିଥିଲେ।
ରବିବାର ଭାରତ ଓ ବାଂଲାଦେଶ ମଧ୍ୟରେ ଟାଇଟଲ ଲଢ଼େଇ ହେବ।
