ରେଳ ବଜେଟରେ ଓଡ଼ିଶାକୁ ୪୩୭୩ କୋଟି: ମୋଦୀ, ପୀୟୂଷଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଓଡ଼ିଶାଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଓଡିଶାର ରେଳ ଭିତିଭୂମିର ବିକାଶ ପାଇଁ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୪ ହଜାର ୩୭୩ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ୨୪୧ କିମି ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ୨୯୫୭ କୋଟି ଅନୁଦାନ ଦିଆଯାଛି। ଏହା କେବଳ ଜନଜାତି ଅଂଚଳରେ ରେଳ ସଂଯୋଗ ସ୍ଥାପନ କରିବ ନାହିଁ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ତେବେ ଏଥର ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପକୁ ଫୋକସ୍ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପ ପାଇଁ ୫୨୦ କୋଟି ଟଙ୍କା ଅନୁଦାନ ଦେଇ ଓଡିଶା ତଥା ପୂର୍ବ ଭାରତର ବିକାଶକୁ ଅଧିକ ଧ୍ୟାନ ଦେଉଛନ୍ତି। ମିଶନ ପୂର୍ବଦୋୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ବେଳେ ଦେଶର ବିକାଶ ପୂର୍ବ ଭାରତର ନେତୃତ୍ୱ ଦ୍ୱାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଥିବା ଟୁଇଟରରେ ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ରେଳ ବଜେଟରେ ଓଡ଼ିଶାକୁ ୪୩୭୩ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ବଜେଟରେ ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପକୁ ଫୋକସ୍ କରାଯାଇଥିବା ବେଳେ ସମ୍ବଲପୁର- ଗୋପାଳପୁର- ଫୁଲବାଣୀ ନୂଆ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ୨୪୧ କିମି ବିଶିଷ୍ଟ ରେଳ ଲାଇନ ପାଇଁ ୨୯୫୭ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ତେବେ ଆୟୋଗର ଚୂଡାନ୍ତ ଅନୁମୋଦନ ପାଇବା ପରେ ଏହା କାର୍ଯ୍ୟକାରୀ ହେବ।

ସେହିପରି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପକୁ ୫୨୦ କୋଟି ଟଙ୍କା ମିଳିଛି। ଗତ ବଜେଟ ଠାରୁ ୧୭୦ କୋଟି ଟଙ୍କା ଅଧିକ ମିଳିଛି। ଗତ ବର୍ଷ ରେଳ ବଜେଟରେ ଏହି ପ୍ରକଳ୍ପକୁ ୩୫୦ କୋଟି ଟଙ୍କା ମିଳିଥିଲା। ଅନୁଗୁଳ-ସୁକିନ୍ଦା ପ୍ରକଳ୍ପ ପାଇଁ ୪୫୦ କୋଟି, ହରିଦାସପୁର-ପାରଦୀପ ପ୍ରକଳ୍ପ ଶହେ କୋଟି ଟଙ୍କା ମିଳିଥିବା ବେଳେ ଦ୍ୱିତୀୟ ରେଳ ଲାଇନ୍‌ ପାଇଁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ସମ୍ବଲପୁର-ତାଳଚେର, ସମ୍ବଲପୁର-ଟିଟିଲାଗଡ଼, ଟିଟିଲାଗଡ଼-ରାୟଗଡ଼ା ଓ ଟିଟିଲାଗଡ଼-ରାୟପୁର ଦ୍ୱିତୀୟ ଲାଇନ ପାଇଁ ଅଧିକ ଅନୁଦାନ ଦିଆଯାଇଛି।

ତେବେ ସମ୍ବଲପୁର ମାନେଶ୍ୱରରେ ନୂଆ ୱାଗନ୍‌ ରିପ୍ୟାରିଂ ୱାର୍କସପ୍‌ ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତାସହ ସୁରକ୍ଷାକୁ ନଜରରେ ରଖି ରୋଡ୍‌ ଓଭରବ୍ରିଜ୍‌ ଓ ରୋଡ୍‌ ଅଣ୍ଡରବ୍ରିଜ୍‌ ନିର୍ମାଣ ପାଇଁ ୧୧୬୫ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛି ରେଳ ମନ୍ତ୍ରାଳୟ।