ନବନୀତା ବ୍ୟୁରୋ। ଚୀନ୍ ବୁହାନ ସହରରୁ ବ୍ୟାପିଥିବା କୋରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସୁଛି। ହେଲେ ଏହି ଭାଇରସରୁ ବ୍ୟାପୁଥିବା ବେମାର ନେଇ ଏବେ ଏକ ନୂଆ ରିପୋର୍ଟ ସାମନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ, କୋରୋନା ଭାଇରସ ବାଦୁଡ଼ି ଯୋଗୁଁ ବ୍ୟାପୁଛି। ପୂର୍ବରୁ କୁହାଯାଉଥିଲା ଯେ, କୋରାେନା ଭାଇରସ ସାପ ଜରିଆରେ ମଣିଷ ଶରୀରକୁ ପ୍ରବେଶ କରିଛି। ଏବଂ ସଂକ୍ରମଣ ଯୋଗୁଁ ବ୍ୟାପିବା ସହ ମହାମାରୀର ରୂପ ଧାରଣ କରିଛି। ଏହା ସଂକ୍ରମିତ ହୋଇ ଜଣଠୁ ଅନ୍ୟ ଜଣକୁ କ୍ଷୀପ୍ର ଗତିରେ ବ୍ୟାପିଗଲା।

ସିଏନ୍ଏନ୍ ଅନୁସାରେ ପରିବେଶ ଓ ସ୍ବାସ୍ଥ୍ୟ ସମ୍ପର୍କରେ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା ସହ ଜଡ଼ିତ ଜଣେ ଡାକ୍ତର କହିଛନ୍ତି ଯେ, କୋରୋନା ଭାଇରସର ଜେନେଟିକ୍ ସିକ୍ଵେନସକୁ ଦେଖିଲେ ବାରି ହେଇ ପଡୁଛି ଯେ ଏହା ବାଦୁଡି ଭଳି ଦେଖା ଯାଉଛି। ବୁଧବାର ଚାଇନିଜ୍ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରୋବେଶନ୍ ଷ୍ଟଡିରେ ଉଲ୍ଲେଖ କରାଯାଇଛି ଯେ, ଏବେ ସୁଦ୍ଧା ଯେଉଁ ତଥ୍ୟ ମିଳିଛି, ସେ ଅନୁସାରେ କୋରୋନା ଭାଇରସ ପ୍ରଥମେ ବାଡୁଡ଼ିରୁ ଦେଖିବାକୁ ମିଳିଛି।

ବାଡୁଡ଼ିରୁ ବ୍ୟାପୁଥିବା ବେମାର ନେଇ ଚୀନ୍ କ୍ରମାଗତ ଭାବେ ରିସର୍ଚ୍ଚ ଚଳାଇଛି। ଏପରିକି ଚୀନ୍ ଦେଶର ବୈଜ୍ଞାନିକମାନେ ବାଦୁଡି ମାଧ୍ୟମରେ କୋରୋନା ଭାଇରସ ବ୍ୟାପିବା ଆଶଙ୍କା ନେଇ ଏକ ବର୍ଷ ଆଗରୁ ଚେତାବନୀ ଦେଇଥିଲେ। ବିଶେଷ କରି ଏହି ଚେତାବନୀ ବୁହାନର ବୈଜ୍ଞାନିକମାନେ ଏକା ଜାରି କରିଥିଲେ।
