ନବନୀତା ବ୍ୟୁରୋ। କାମ ଧନ୍ଦା ଅଭାବ ଯୋଗୁଁ ବଲାଙ୍ଗିର ଅଞ୍ଚଳର ଲୋକେ ରାଜ୍ୟ ତଥା ରାଜ୍ୟ ବାହାରକୁ ଦାଦନ ଖଟି ଯାଉଛନ୍ତି। ଆଉ କେତେଦିନ ବଲାଙ୍ଗିର ଅଂଚଳର ଯୁବକ ବାହାରକୁ କାମ ପାଇଁ ଯିବେ? ତେଣୁ ଚାକିରି କରିବା ପାଇଁ ନହେଁ ଚାକିରି ଖଣ୍ଡିଏ ଯୋଗାଇ ଦେବାର ଚିନ୍ତାଧାରା ସ୍ଵତଃସ୍ଫୁର୍ତ ଭାବେ ସମସ୍ତଙ୍କ ମନରେ ଆସିବା ଆବଶ୍ୟକ। ହେଲେ ବଲାଙ୍ଗିରରେ ତାର ଓଲଟା ଦେଖା ଦେଇଛି। ଏଠାରେ ଯୋଜନାର କ୍ରିୟାନ୍ୱୟନ କରିବା ଓ ଇଚ୍ଛାଶକ୍ତିର ଢେର୍ ଅଭାବ ଅଛି। ତେଣୁ ଏହାର ମୂଳ ବିଷୟ ଏବଂ ଏଥିପାଇଁ ସମାଧାନର ରାସ୍ତା ବାହାର କରିବା ପାଇଁ ସଠିକ୍ ଯୋଜନା ହେବା ଜରୁରୀ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବଲାଙ୍ଗିର ବରକାନୀଠାରେ ବିପିସିଏଲ୍ ଏଲପିଜି ବଟଲିଂ ପ୍ଲାଂଟର ଲୋକାର୍ପଣ ଉତ୍ସବରେ ସାମିଲ ହୋଇ ନିଜକୁ ଆନନ୍ଦିତ ମନେ କରିବା ସହ ଏହାଦ୍ବାରା ପ୍ଲାଣ୍ଟ ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲାରେ ଉପୁଜୁଥିବା ଏଲପିଜିର ଚାହିଦାକୁ ପୂରଣ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବଲାଙ୍ଗିର ଏଲପିଜି ବଟଲିଂ ପ୍ଲାଂଟ ହେଉଛି ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନା। ସେହି ଶୃଙ୍ଖଳାରେ ଉଦଘାଟିତ ହୋଇଥିବା ଏହି ପ୍ଲାଣ୍ଟ ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲା ଯଥା ବଲାଙ୍ଗିର, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, କଳାହାଣ୍ଡି,ନୂଆପଡା,ମାଲକାନଗିରି,ନବରଙ୍ଗପୁର,କୋରାପୁଟ ଓ ବୌଦ୍ଧ ଅଂଚଳର ଏଲପିଜି ଚାହିଦାକୁ ପୂରଣ କରିବ । ତେଣୁ ଆକାଂକ୍ଷୀ ଜିଲ୍ଲା ଭାବେ ପରିଗଣିତ ବଲାଙ୍ଗିର ଅଂଚଳକୁ ଭାରତବର୍ଷର ଅଗ୍ରଣୀ ଅଂଚଳ କରିବାରେ ଏହି ପ୍ଲାଂଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ପୂର୍ବରୁ ମହିଳାମାନେ କାଠ ଜାଳି ରୋଷେଇ କରୁଥିବାରୁ ଭାରତବର୍ଷରେ ଘରୋଇ ଧୂଆଁରେ ୫ ଲକ୍ଷ ମହିଳାଙ୍କ ଜୀବନ ଯାଉଥିଲା। ହେଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମାଧ୍ୟମରେ ୮ କୋଟି ମାଆ ଭଉଣୀଙ୍କ ଘରେ ମାଗଣାରେ ଗ୍ୟାସ ପହଁଚାଇ ସେମାନଙ୍କ ସ୍ୱାସ୍ଥ୍ୟ ରକ୍ଷା କରିଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କେବଳ ଏତିକି ନୁହେଁ, ପଶ୍ଚିମ ଓଡ଼ିଶାରେ ଏଲପିଜି ଉପୁଜୁଥିଲା। ତେଣୁ ଏହାର ଚାହିଦା ପୂରଣ ପାଇଁ ବରକାନିରେ ଏଲପିଜି ବଟଲିଂ ପ୍ଲାଣ୍ଟ ସ୍ଥାପନ କରାଯାଇଛି।

ଏହି ପ୍ଲାଣ୍ଟ ବାର୍ଷିକ ୪୨ ଲକ୍ଷ ଏଲପିଜି ବଟଲିଂର କ୍ଷମତା ରହିଛି। ଏହାଦ୍ବାରା ସ୍ଥାନୀୟ ଅଂଚଳରେ ଅର୍ଥନୈତିକ ସମ୍ଭାବନା ସୃଷ୍ଟି କରିବା ସହ ଯୁବକଙ୍କୁ ରୋଜଗାର ଦେବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ମୋଦି ସରକାରଙ୍କ ପୂର୍ବରୁ ଭାରତବର୍ଷରେ ସମୁଦାୟ ୧୩ କୋଟି ଏଲପିଜି ଗ୍ରାହକ ଥିଲେ। ପୂର୍ବରୁ ଓଡିଶାର ୧ କୋଟି ପରିବାରରେ ୨୨ ଲକ୍ଷ ତଥା ବଲାଙ୍ଗିରରେ ୪୦ ହଜାର ଉପଭୋକ୍ତାଙ୍କ ପାଖରେ ଏଲପିଜି ଥିଲା । ହେଲେ ମୋଦି ସରକାର ଆସିବା ପରେ ଗତ ୫ ବର୍ଷରେ ଏହି ସଂଖ୍ୟା ୧୩ କୋଟିରୁ ବୃଦ୍ଧି ପାଇଁ ୨୭ କୋଟି ବା ୯୫ ପ୍ରତିଶତରେ ପହଁଚିଛି । ଏବେ ଓଡିଶାରେ ୮୮.୧୦ ଲକ୍ଷ ଏଲପିଜି ଉପଭୋକ୍ତା ହୋଇସାରିଥିବା ବେଳେ ସେମଧ୍ୟରୁ ବଲାଙ୍ଗିରରେ ୪୦ ହଜାର ଏଲପିଜି ଉପଭୋକ୍ତା ସଂଖ୍ୟା ବୃଦ୍ଧି ପାଇ ସାଢେ ୩ ଲକ୍ଷରେ ଛୁଇଁଲାଣି।

ବଲାଙ୍ଗିର ବିପିସିଏଲ୍ ଏଲପିଜି ବଟଲିଂ ପ୍ଲାଂଟ ଲୋକାର୍ପଣ ଅବସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଧାୟକ ନରସିଂହ ମିଶ୍ର, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ମନ୍ତ୍ରୀ ଅରୁଣ ସାହୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
