ନବନୀତା ବ୍ୟୁରୋ। ବିଶ୍ୱସ୍ତରର କଳ୍ପନା ରଖୁଥିବା ସ୍ଥାନ ବଲାଙ୍ଗିର ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏହାର ଏନ୍ତୁଡିଶାଳ। କାରଣ ରାଜେନ୍ଦ୍ର କଲେଜ ହେଉଛି ବୌଦ୍ଧିକ ଜାଗରଣର ପେଣ୍ଠସ୍ଥଳ। ଯେ ପର୍ଯ୍ୟନ୍ତ ରାଜେନ୍ଦ୍ର କଲେଜ ଆଗକୁ ବଢିବ ନାହିଁ ସେ ପର୍ଯ୍ୟନ୍ତ ବଲାଙ୍ଗିର ଆଗକୁ ବଢିବ ନାହିଁ। ବଲାଙ୍ଗିର ଆଗକୁ ନବଢିଲେ ଓଡିଶାର ବିକାଶ ହେବ ନାହିଁ । ତେଣୁ ବଲାଙ୍ଗିରକୁ ବିକାଶ କରିବାର ଦାୟିତ୍ୱ ସମସ୍ତଙ୍କର ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ୧୯୪୪ରେ ଇଂରେଜ ଶାସନ କାଳରେ ବଲାଙ୍ଗିରର ଜନପ୍ରିୟ ପ୍ରତିନିଧି ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନାମରେ ନାମିତ ହୋଇଛି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ। ଏହି ଶିକ୍ଷାନୁଷ୍ଠାନ ଲମ୍ବା ସମୟ ଧରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ମୁଖ୍ୟ ଭୂମିକା ନିଭାଇ ଆସୁଛି।

ଏପରିକି ଦୀର୍ଘ ୭୫ ବର୍ଷ ଯାତ୍ରାରେ ଏହି ଶିକ୍ଷାନୁଷ୍ଠାନ ନିଶ୍ଚିତ ଭାବରେ ପଶ୍ଚିମ ଓଡିଶାର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ଅନେକ କ୍ଷେତ୍ରରେ ସଫଳ ହୋଇଛି । ଏଥିପାଇଁ ରାଜ୍ୟ ସରକାର ଏହାକୁ ବିଶ୍ୱବିଦ୍ୟାଳୟ ପାଇଁ ସ୍ୱୀକୃତି ପ୍ରଦାନ କରିଥିବା ବେଳେ କଲେଜର ଉନ୍ନତି ପାଇଁ ସମସ୍ତଙ୍କର ଆବଶ୍ୟକତା ଅଛି। ତେଣୁ ରାଜେନ୍ଦ୍ର କଲେଜ ସମେତ ସରକାରୀ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ପଡୁଥିବା ଅଧ୍ୟାପକ ପଦବୀ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର।

ବାଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୭୫ତମ ବର୍ଷ ତଥା ପ୍ଲାଟିନମ୍ ଜୁବୁଲି ସମାରୋହର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ, ଆଲୁମିନି ବା ପୁରାତନ ଛାତ୍ର ସଂଘ, ଅଧ୍ୟାପକ, ଅଧ୍ୟାପିକା ଏବଂ ଶିକ୍ଷାନୁଷ୍ଠାନ ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ଆଗାମୀ ଦିନରେ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ଉଚ୍ଚ ସ୍ତରକୁ ଯାଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମାଁ ସମଲେଶ୍ୱରୀଙ୍କ ନିକଟରେ କାମନା କରିଥିଲେ ଧର୍ମେନ୍ଦ୍ର ।

ଉଦଘାଟନୀ ସମାରୋହରେ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ ସାହୁ, ସ୍ଥାନୀୟ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଜୁବିଲି ସଭାପତି ଲଳିତ ନାୟକ, ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ଓ କଲେଜ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ଡିସେମ୍ବର ୨୭ ରୁ ଆରମ୍ଭ ହୋଇଥିବା ଏହି ସମାରୋହ ଆସନ୍ତା ୩୧ ତାରିଖ ଯାଏ ଚାଲିବ। କାର୍ଯ୍ୟକ୍ରମର ବିଭିନ୍ନ ଦିନରେ ବିଭିନ୍ନ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
