MPର ପୂର୍ବତନ CM କୈଳାଶ ଯୋଶୀଙ୍କ ନିଧନ, ମୋଦୀଙ୍କ ଶୋକ ପ୍ରକାଶ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ବରିଷ୍ଠ ବିଜେପି ନେତା ତଥା ମଧ୍ୟ ପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାଶ ଯୋଶୀଙ୍କ ଦେହାନ୍ତ ହୋଇଛି। ଦୀର୍ଘ ସମୟ ଧରି ସେ ରୋଗରେ ପୀଡିତ ଥିଲେ।ଗତ ମାସ ଦେହ ଆହୁରି ବିଗିଡିବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ୯୧ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି। ଚଳିତ ମାସ ତାଙ୍କ ପତ୍ନୀ ତାରା ଦେବୀଙ୍କ ମଧ୍ୟ ପରଲୋକ ହୋଇଥିଲା

କୈଳାଶ ଯୋଶୀଙ୍କ ଦେହାନ୍ତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, କୈଳାଶ ଯୋଶୀ ଏମିତି ଏକ ନେତା ଥିଲେ ଯିଏ ମଧ୍ୟପ୍ରଦେଶକୁ ବିକଶିତ କରିବା ପାଇଁ ତାଙ୍କର ବହୁ ଅବଦାନ ରହିଛି। ମୋଦୀ ଆହୁରି ଲେଖି କହିଛନ୍ତି ମଧ୍ୟ ଭାରତ ଓ ଜନସଂଘ ଶ ବିଜେପିକୁ ମଜବୁତ୍ କରିବା ଲାଗି ସେ କଠିନ ପରିଶ୍ରମ କରିଥିଲେ। କେବଳ ଏତିକି ନୁହେଁ ସେ ପ୍ରଭାବୀ ବିଧାୟକ ଭାବେ ନିଜ ପରିଚିତି ସୃଷ୍ଟି କରି ପାରିଥିଲେ। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୋଦୀ।
ଭୋପାଲର ଏକ ପ୍ରାଇଭେଟ୍ ମେଡ଼ିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କୁ ମେଡ଼ିକାଲରେ ଦେଖିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଓ ଶିବରାଜ ସିଂହ ହସ୍ପିଟାଲକୁ ଯାଇଥିଲେ। ଏହା ପୂର୍ବରୁ ବି ଯୋଶୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବା ଖବର ଆସୁଥିଲା। ତେବେ ସୁଗର ବଢିବା କାରଣରୁ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା।

କୈଳାଶ ଯୋଶୀ ଭୋପାଲରୁ ସାଂସଦ ମଧ୍ୟ ରହିଥିଲେ । ତାଙ୍କ ପୁଅ ଦୀପକ୍ ଯୋଶୀ ବିଜେପି ସରକାରରେ ମନ୍ତ୍ରୀ ଥିଲେ।

୨୯୨୯ ଜୁଲାଇ ୨୪ ତାରିଖରେ ଦେବାସ ଜିଲ୍ଲାର ହାଟପିପଲ୍ୟା ତହସିଲରେ ଜନ୍ମ ଗ୍ରହଣ କରିଥିଲେ କୈଳାଶ ଯୋଶୀ। ସେ ୧୯୫୧ ରେ ପ୍ରତିଷ୍ଠା ହୋଇଥିବା ଜନସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ। ଏହାପରେ ୧୯୫୪ ରୁ ୧୯୬୦ ପର୍ଯ୍ୟନ୍ତ ଜିଲ୍ଲାର ଜନସଂଘର ମନ୍ତ୍ରୀ ଦାୟିତ୍ଵ ତୁଲାଇଥିଲେ।

୧୯୫୫ ମସିହାରେ କୈଳାଶ ଯୋଶୀ ହାଟପିପଲ୍ୟା ନଗରପାଳିକାର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।୧୯୬୨ରୁ ଲଗାତାର ସପ୍ତମ ଥର ଯାଏ ବଙ୍ଗାଳୀ କ୍ଷେତ୍ରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କୈଳାଶ ଯୋଶୀ ୧୯୭୨ରୁ ୧୯୭୭ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ବିପକ୍ଷ ନେତା ଥିଲେ। ଜରୁରୀକାଳିନ ପରିସ୍ଥିତିରେ ଏକ ମାସ ଅଣ୍ଡରଗ୍ରାଉଣ୍ଡ ରହିବା ପରେ ୧୯୭୫ ଜୁଲାଇ ୨୮ ତାରିଖରେ ତାଙ୍କୁ ବିଧାନସଭା ଫାଟକରୁ ଗିରଫ ହୋଇ ୧୯ ମାସ ଯାଏ ନାଜରବନ୍ଦି ରହିଥିଲେ। ଏବଂ ୧୯୭୭ ଜୁନ୍ ୨୪ ତାରିଖରେ ସେ ମଧ୍ୟ ପ୍ରଦେଶ ଇତିହାସରେ ପ୍ରଥମ ଥର ଅଣ କଂଗ୍ରେସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ୧୯୭୮ ମସିହାରେ ସ୍ଵାସ୍ଥ୍ୟଗତ କାରଣରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।