କଣ ପାଇଁ ଦଳ ଛାଡ଼ିଲେ ପାଟଣାଗଡ଼ର ବିଜେଡ଼ି ନେତା?

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ୨୦୧୯ ସାଧାରଣ ନିର୍ବାଚନରେ ପାଟଣାଗଡରେ ବିଜେପିର ରେକର୍ଡ଼ ଭାଙ୍ଗିଲା ବିଜେଡ଼ି। ଦୀର୍ଘ ୨୫ ବର୍ଷ ଧରି ବିଜେପି ଦଖଲରେ ଥିବା ପାଟଣାଗଡ଼ ବିଧାନସଭାକୁ ହାତେଇ ବିଜେଡ଼ି ଇତିହାସ ରଚିଛି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କେଭି ସିଂହଦେଓଙ୍କୁ ପରାସ୍ତ କରି ଗଡ ଦଖଲ କଲେ ଯୁବ ବିଜେଡ଼ି ନେତା ସରୋଜ ମେହେର। ହେଲେ ବିଧାୟକ ଭାବେ ଜିତିବା ପରେ ହିଁ ଆଉ ଏକ ଇତିହାସ ସୃଷ୍ଟି କଲେ ବିଧାୟକ ସରୋଜ। ନିମ୍ନମାନର ରାସ୍ତା କାମ ଅଭିଯୋଗରେ ଜଣେ ଜେଇଙ୍କୁ କାନ ଧରି ବସଉଠ କରାଇବା ସହ ମାଡ଼ ମାରିବା ପାଇଁ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦେଇଥିଲେ ସରୋଜ ମେହେର।

ପ୍ରଥମ କରି ନିର୍ବାଚନୀ ମଇଦାନକୁ ଓହ୍ଲାଉ ଓହ୍ଲାଉ ଜିତାପଟ ହେବା ପରେ ଏହା ଥିଲା ବିଧାୟକ ସରୋଜଙ୍କ ପ୍ରଥମ ଦବଂ ଗିରି । ତେବେ ଏହି ଘଟଣା ଉଗ୍ର ରୂପ ନେବା ପରେ ସରୋଜ ମେହେରଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା। ବିଧାୟକ ହେଉ ହେଉ ପ୍ରଥମେ ଜେଲର ହାୱା ଖାଇ ପାଟଣାଗଡ଼ ରାଜନୀତିରେ ନୂଆ ଇତିହାସ ସୃଷ୍ଟି ହେଲା।

ଏହି ଘଟଣାର କିଛି ମାସ ପରେ ଅର୍ଥାତ୍ ଚଳିତ ମାସ ପିସି କାରବାର ଷଡ଼ଯନ୍ତ୍ରର ଏକ ଭିଡିଓ ଭାଇରାଲ ହେଲା। ଯେଉଁଥିରେ ବିଧାୟକ ସରୋଜ ମେହେରଙ୍କ ସହ ଜିଲ୍ଲା ବିଜେପି ସଭାପତି ତଥା ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତ ବନ୍ଧୁ ନାୟକ, ଜିଲ୍ଲା ବିଜେପି ଉପ ସଭାପତି ତଥା ବେଲାପଡା ବ୍ଲକ ଅଧ୍ୟକ୍ଷା ବୈଜୟନ୍ତୀ ପାଣିଗ୍ରାହୀଙ୍କ ପତି ନୀଳ ପାଣିଗ୍ରାହୀ ଏବଂ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣମାସି ସିଂ ବରିହା ପତି ରଘୁବିର ସିଂ ବରିହା ପିସି ଭାଗ ବଣ୍ଟା ନେଇ ଗୁପ୍ତ ମନ୍ତ୍ରଣା କରୁଥିବା ଭିଡିଓ ଭାଇରାଲ୍ ହୋଇଛି। ଏପରିକି ରାଜପରିବାର ସହ ରହିଲେ ପକେଟକୁ କିଛି ଫାଇଦା ହେବ ନାହିଁ ଏମିତି ଅନେକ ପ୍ରଲୋଭନ ଦେଖାଇ ବିଜେପି ନେତାଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ପ୍ରଥମେ ବିଧାୟକ ହେଉ ହେଉ ସରୋଜ ମେହେର ଯେଉଁ ରୋଖ୍ ଦେଖାଇଥିଲେ ତାହା ଗଲା କୁଆଡେ। ପାଟଣାଗଡ଼ରେ ପିସି କାରବାର ବନ୍ଦ ନେଇ କଡ଼ା ଅଭିମୁଖ୍ୟ ଗ୍ରହଣ କରିଥିବା ବିଧାୟକ ନିଜ ନିଷ୍ପତ୍ତିରୁ ଓହରିବା ପଛର ରହସ୍ୟ କଣ? କୁଆଡେ ଗଲା ସଚ୍ଚୋଟପଣିଆ? ପିସି ବନ୍ଦ ହେବ କଣ ଓଲଟା ପିସି ଡ଼ିଲ୍ ଲାଗି ପାଟଣାଗଡ ବ୍ଲକ ଅଧ୍ୟକ୍ଷ, ବେଲପଡା ଓ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କୁ ଡାକି ଗୁପ୍ତ ବୈଠକ କରିଥିବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯଦି ଏହି ଭିଡିଓଟି ସତ୍ୟ ହୋଇଥାଏ ତାହେଲେ ଘଟଣା ସାଙ୍ଘାତିକ। ପିସି କାରବାର ଡିଲ୍ ଗୁପ୍ତ ମନ୍ତ୍ରଣାରେ ନିଜେ ଫସିବେ କି ବିଧାୟକ।

ବିଧାୟକଙ୍କ ପିସି ଡ଼ିଲ୍ ମନ୍ତ୍ରଣା ଘଟଣା ପଦାକୁ ଆସିବାର କିଛି ଦିନ ପରେ ବିଜେଡ଼ିର ଅନେକ ନେତା ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ଭୁବନେଶ୍ବରରେ ବରିଷ୍ଠ ବିଜେପି ନେତା କେଭି ସିଂହଦେଓଙ୍କ ଉପସ୍ଥିତିରେ ପାଟଣାଗଡ ଅଞ୍ଚଳର ଅନେକ ବିଜେଡ଼ି ନେତା ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ସାମିଲ ହୋଇଥିବା ନେତାମାନେ ହେଲେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅଇଁଠୁ ସାହୁଙ୍କ ପୁଅ ମାଣିକ୍ୟ ସାହୁ, ପାଟଣାଗଡର ପୂର୍ବତନ କାଉନସିଲର ସନ୍ତୋଷ ମେହେର, ଜିଲ୍ଲା ବିଜେଡ଼ି ସମ୍ପାଦକ ପ୍ରଦୀପ ପୁରୋହିତ, ପାଟଣାଗଡ ବ୍ଲକ ଯୁବ ସଭାପତି ଆଲୋକ ପାଣିଗ୍ରାହୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ସ୍ଥିତିପଙ୍କ ପାଣିଗ୍ରାହୀ ।

ତେବେ ପରିସ୍ଥିତି କଣ ହେଲା ଯେ, ପାଟଣାଗଡରେ ବିଜେଡ଼ି ବିଧାୟକ ହେବାର ୬ ମାସ ପରେ ଦଳ ଛାଡ଼ିଲେ ଅନେକ ନେତା। ସେମାନଙ୍କ ଅଭିଯୋଗ ବିଜେଡ଼ି ବିଧାୟକଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଦଳ ଛାଡିଛନ୍ତି। ଗୋଟିଏ ପଟେ ବିଧାୟକ ସରୋଜ ମେହେର ବିଜେପି ଦଳର ନେତାଙ୍କୁ ପ୍ରଲୋଭିତ କରି ନିଜ ଆଡକୁ ଟାଣିବାକୁ ପ୍ରୟାସ ଚଳାଇଥିବା ବେଳେ ଅନ୍ୟପଟେ ନିଜ ଦଳର ନେତା ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି। ଅନ୍ୟ ଦଳକୁ ଭାଙ୍ଗିବାକୁ ଚକ୍ରାନ୍ତ ଚଳାଇଥିବା ବିଧାୟକ ନିଜ ନେତାଙ୍କୁ ହାତ ମୁଠାରେ ରଖିବାକୁ ଅସମର୍ଥ। କଥାରେ ଅଛି ଯିଏ ଯେଉଁ ଗାତ ଖୋଲେ ସିଏ ସେ ଗାତରେ ପଡେ। ଏବେ ବିଧାୟକ ସରୋଜ ମେହେରଙ୍କ ଏଭଳି ପରିସ୍ଥିତି। ଯଦି ସ୍ଥିତିରେ ସୁଧାର ନ ଆସେ ତାହେଲେ ଆଗାମୀ ଦିନରେ ପରିସ୍ଥିତି ଜଟିଳ ରୂପ ଧାରଣ କରିବ ନିଶ୍ଚିତ ଏଥିରେ କୌଣସି ସନ୍ଦେହ ନାହିଁ।