ନବନୀତା ବ୍ୟୁରୋ। ମହାରାଷ୍ଟ୍ରରେ ଦୀର୍ଘ ମାସେ ଧରି ଚାଲି ଆସୁଥିବା ରାଜନୈତିକ ସଙ୍କଟ ପାଇଁ ଶିବସେନା ଉପରେ ଅଧିକ ଦୋଷ ଦିଆଯାଉଛି। କାରଣ ଶିବସେନା ଓ ବିଜେପି ଗଠବନ୍ଧନକୁ ପୂର୍ଣ୍ଣ ବହୁମତ ମିଳିଥିଲା। ତା ସତ୍ବେ ଶିବସେନା ମୁଖ୍ୟମନ୍ତ୍ରୀ ପଦ ଲାଗି ଅଡି ବସିବାରୁ ଦୀର୍ଘ ୩୫ ବର୍ଷର ପୁରୁଣା ଗଠବନ୍ଧନ ଭାଙ୍ଗିଗଲା।
ହେଲେ ମୁଖ୍ୟମନ୍ତ୍ରୀ ହେବା ଆଶା ଛାଡିନ ଥିଲା ଶିବସେନା। ଏନସିପି ଓ କଂଗ୍ରେସ ସହ ହାତ ମିଳାଇ ପ୍ରୟାସ ଆରମ୍ଭ କଲା। ଗଠବନ୍ଧନ ହେଲା ସତ ହେଲେ କେହି କାହା ସହ ତାଳମେଳ ରହୁନ ଥିଲା। ଅନେକ ଦିନ ବୈଠକ ବସିବା ପରେ ମଧ୍ୟ ତିନି ଦଳ ସରକାର ଗଠନ ପାଇଁ ନିଷ୍କର୍ଷ ବାହାରି ପାରିନଥିଲା। ସରକାର ଗଢ଼ିବା ତ ଦୂରର କଥା,ତିନି ଦଳ ନିଜ ନିଜ ମଧ୍ୟରେ ମତଭେଦ ବି ଦୂର କରି ପାରିନାହାଁନ୍ତି। ଏପରିକି ଶନିବାର ଅଜିତ୍ ପାୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବା ପରେ ବି ତିନି ଦଳ ମଧ୍ୟରେ ଥିବା ମତଭେଦ ସାମନାକୁ ଆସିଛି।
ମତଭେତ ଏଭଳି ଅଛି ଯେ, ଯଦି ଏନସିପି, କଂଗ୍ରେସ ଏବଂ ଶିବସେନା ରାଜ୍ୟରେ ଗଠବନ୍ଧନ ଗଢେ,ତାହେଲେ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୁରା କରିବା ମୁସ୍କିଲ ହୋଇଥାନ୍ତା। ଏପରିକି ଗଠବନ୍ଧନ କରିବା ଆଗରୁ ଏନସିପି ଓ କଂଗ୍ରେସ ପକ୍ଷରୁ ଶିବସେନା ସାମନାରେ ହିନ୍ଦୁତ୍ୱକୁ ଏଜେଣ୍ଡା ବାହାରେ ରଖିବାକୁ ସର୍ତ୍ତ ରଖିଥିଲେ। ଏହା ସତ୍ତ୍ଵେ ଶିବସେନା ଚାହୁଁ ଥିଲା ଗଠବନ୍ଧନର ନାମ ମହାଶିବ ଅଘାଡି ରଖିବାକୁ। ଏହାକୁ ଏନସିପି ଓ କଂଗ୍ରେସ ବିରୋଧ କରିଥିଲେ କାରଣ ୟେ ନାମ ନେଇ ହିନ୍ଦୁତ୍ବବାଦୀର ଗନ୍ଧ ବାରିଥିଲେ। ପରିଶେଷରେ ଉଭୟ ଦଳର ଚାପରେ ଶିବସେନାକୁ ମହାବିକାଶ ଅଘାଡି ନାଁରେ ପ୍ରସ୍ତୁତ ହେବାକୁ ପଡ଼ିଥିଲା।
ଶିବସେନା ଜିଦ୍ ଧରି ଥିଲା ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ହିଁ ହେବ। ଏହାକୁ ନେଇ ଏନସିପି ପେଞ୍ଚ ଫସାଇ ଥିଲା। ଉଦ୍ଧବ ଠାକରେ ଚାହୁଁ ଥିଲେ ମୁଖ୍ୟମନ୍ତ୍ରୀ ପଦ ତାଙ୍କ ପୁଅ ଆଦିତ୍ୟ ଠାକରେ ନହେଲେ ଗଠବନ୍ଧନର ଯେକୌଣସି ବରିଷ୍ଠ ନେତାଙ୍କୁ ଦିଆଯାଉ। ହେଲେ ତା ଓଲଟା ଏନସିପି ଗୋଟିଏ ସର୍ତ୍ତ ଉପରେ ଅଡି ବସିଥିଲା କି ଶିବସେନାର ମୁଖ୍ୟମନ୍ତ୍ରୀ କେବଳ ଉଦ୍ଧବ ଠାକରେ ହିଁ କରାଯାଉ। ଉଦ୍ଧବ ଠାକରେ ଚାହୁଁ ଥିଲେ ଯେ, ସେ ବାଲା ସାହେବ୍ ଠାକରେ ଭଳି ସକ୍ରିୟ ରାଜନୀତିରୁ ବାହାରେ ରହି ଶାସନର ଚାବି କାଠି ନିଜ ହାତରେ ରଖିବାକୁ। ନିଜକୁ କିଂ ନୁହଁ, କିଙ୍ଗମେକର୍ ଦେଖାଇବାକୁ ଚାହୁଁ ଥିଲେ। ହେଲେ ଏନସିପି ଚାପରେ ଉଦ୍ଧବଙ୍କୁ ଏଠି ମଧ୍ୟ ବୁଝାମଣା କରିବାକୁ ପଡ଼ିଥିଲା। ଏହି କାରଣରୁ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଉଦ୍ଧବଙ୍କ ନାମ ଘୋଷଣା ହେବା ପରେ ବି ଖୋଦ୍ ଏ ବିଷୟରେ ମିଡ଼ିଆ ଆଗରେ କହିବାକୁ ଦୂରେଇ ରହିଥିଲେ।
ଏହା ପରେ ବି ତିନି ଦଳ ମଧ୍ୟରେ ମତଭେଦ ତୁଟି ପାରିଲା ନାହିଁ ବରଂ ଶନିବାର ତିନି ଦଳ ଭିତରେ ଥିବା ମତଭେଦ ସାମନାକୁ ଆସିଥିଲା। ପ୍ରଥମେ କଂଗ୍ରେସ ସାଢ଼େ ବାର ବଜେ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀ କରିଥିଲା। କିଛି ସମୟ ପରେ କଂଗ୍ରେସ ନେତା ଅହମଦ ପଟେଲ ଅଲଗା ଭାବେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହା ପୂର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କଗ୍ରେସ ନେତା ସଂଜୟ ନିରୁପମ୍ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଉପରେ ହମଲା କରିଥିଲେ। ସେ କହିଥିଲେ ପାୱାର ହିଁ ନୁହେଁ, ପାୱାର ବି ପଇଜନ୍। କେବଳ ଏତିକି ନୁହେଁ, ସଂଜୟ ମହାରାଷ୍ଟ୍ରରେ ଦଳର ନେତାଙ୍କ ଉପରେ ମଧ୍ୟ ବର୍ଷି ଥିଲେ। ସେପଟେ ଶପଥ ଗ୍ରହଣ କରିବା ପରେ ଅଜିତ୍ ପାୱାରଙ୍କ ବୟାନ ନେଇ ଶରଦ ପାୱାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ଶପଥ ନେବା ପରେ ଅଜିତ୍ ମିଡ଼ିଆ ଆଗରେ ମନ୍ତବ୍ୟ ଦେଇଥିଲେ ଯେ, ଏନେଇ ପୂର୍ବରୁ ଦଳର ମୁଖ୍ୟ ଶରଦ ପାୱାରଙ୍କୁ ଜଣାଇଛନ୍ତି । ଏହି ମନ୍ତବ୍ୟ ହିଁ ଶରଦ ପାୱାରଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛି। ଅନ୍ୟପକ୍ଷରେ ମିଡ଼ିଆ ସୂଚନା ଅନୁସାରେ ସରକାର ଗଠନରେ ବିଳମ୍ବ ନେଇ କଂଗ୍ରେସ ଦଳର କିଛି ବରିଷ୍ଠ ନେତା ଶରଦ ପାୱାରଙ୍କ ଉପରେ ଦୋଷ ଦେଉଛନ୍ତି।
