ନବନୀତା ବ୍ୟୁରୋ। ବରପାଲି ମାରୱାଡ଼ି ଧର୍ମଶାଳାରେ ସ୍ଵୟଂସିଦ୍ଧା ଫାଉଣ୍ଡେସନର ଦ୍ଵିତୀୟ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। କୌସ୍ତଭ ବୁଦ୍ଧିଆଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ବିଶିଷ୍ଟ ସମାଲୋଚକ ଗଣେଶରାମ ନାହାକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାଧ୍ୟାପକ ଡ. ପ୍ରଦୀପ ହୋତା, ଚଳଚ୍ଚିତ୍ର ଅଭନେତ୍ରୀ ଡ୍. ତପସ୍ୱିନୀ ଗୁରୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଆଡମିନିଷ୍ଟ୍ରେସନର ଅଧ୍ୟାପକ ଡ୍. ସୁଜିତ୍ ପୃଷେଠ୍ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଡ. ସୁଶୀଳ କୁମାର ବାଗ୍ ବିବରଣୀ ପଠନ କରିଥିବା ବେଳେ ଡ. ଶେଷ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏ ଅବସରରେ ବିଶିଷ୍ଟ କବି ଦିବ୍ୟ କିଶୋର ଦେବତାଙ୍କୁ ସ୍ଵୟଂସିଦ୍ଧା ସମ୍ମାନ, ବୃନ୍ଦାବନ ବିହାରୀ ଦାଶଙ୍କୁ ସ୍ଵୟଂସିଦ୍ଧା ସମାଜସେବୀ ସମ୍ମାନ, କ୍ଷେତ୍ର ମୋହନ ମେହେର ଓ ଭାଗବତ ପ୍ରଧାନଙ୍କୁ ସ୍ଵୟଂସିଦ୍ଧା କଳା ସମ୍ମାନ, ସମ୍ପୂର୍ଣ୍ଣ ଭୋଇଙ୍କୁ କ୍ରିଡ଼ା ସମ୍ମାନ ଓ ରକ୍ଷାକାରି ବିଶିଙ୍କୁ ସ୍ଵୟଂସିଦ୍ଧା ସାମ୍ବାଦିକତା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡ. ମଣୀନ୍ଦ୍ର ମେହେରଙ୍କ ଦ୍ବାରା ଲିଖିତ ଆଲୋକର ପଥେ ଓ କିଏ ଗୋ ତୁ ଜ୍ୟୋତିର୍ମୟୀ, ଅଧ୍ୟାପକ ସତ୍ୟଜିତ୍ ଦାଶଙ୍କ ରଚିତ ନାଟ୍ୟକାର ମଙ୍ଗଳୁ ଚରଣ ବିଶ୍ଵାଳ ଓ ପ୍ରାମାଣିକ ଚଳଚ୍ଚିତ୍ର ‘ଧନୁଯାତ୍ରା’କୁ ଉନ୍ମୋଚନ କରାଯାଇଥିଲା।
ସେହିପରି ଦ୍ବିତୀୟ ଅଧିବେଶନରେ ଅଧ୍ୟାପକ ଲକ୍ଷ୍ମଣ ପ୍ରଧାନଙ୍କ ସଭାପତିତ୍ବରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବରଗଡ ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସଂଘମିତ୍ରା ମିଶ୍ର, ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ହୋତା ସମ୍ମାନିତ ଅତିଥି ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ସମୀର ଭୋଇ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅଧ୍ୟାପକ ଚିନ୍ମୟ ସାହୁ ଓ ବିଶ୍ଵନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ କବି ସ୍ବରଚିତ କବିତା ପାଠ କରିଥିଲେ।
