ନବନୀତା ବ୍ୟୁରୋ। କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଅଚାନକ ମେଡିକାଲ୍ ପରିଦର୍ଶନ। ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସରପ୍ରାଇଚ୍ ଭିଜିଟ୍ କରି ସ୍ଵାସ୍ଥ୍ୟ ସେବା ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଥିଲେ ସାଂସଦ ଅଚ୍ୟୁତ ସାମନ୍ତ। ହେଲେ ମେଡିକାଲର ଅନ୍ତଃବିଭାଗର ବେଡରେ ବେଡ୍ ସିଟ୍ ପଡିନଥିବା ଦେଖି ସାଂସଦ ଉଦବେଗ ପ୍ରକାଶ କରିଥିଲେ। ଏ ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଡ. ସାମନ୍ତଙ୍କୁ ଅନୁରୋଧ କରିଥିଲେ।
ଏହାପରେ ସାଂସଦ ମେଡିକାଲ୍ ଆଗରେ ଥିବା ଚା ଦୋକାନରେ ଚା ପିଇଥିଲେ। ଜଣେ ସାଧାରଣ ଲୋକଙ୍କ ପରି ସେଠାରେ ସାଂସଦ ଚା ପିଇଥିବା ଦେଖିବାକୁ ମିଳିଥିଲା। ତେବେ ଚା ପିଆ ସମୟରେ ସ୍ଥାନୀୟ ଅଂଚଳର ସମସ୍ୟା ସଂପର୍କରେ ସେଠାରେ ଉପସ୍ଥିତ ଲୋକଙ୍କୁ ପଚାରି ବୁଝିଥିଲେ। ଏ ସମୟରେ ଡ୍. ସାଂସଦଙ୍କ ସହ ଘୁ. ଉଦୟଗିରି ବିଧାୟକ ସଲୁଗା ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଡ୍. ସାଂସଦ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଫୁଲବାଣୀରେ ମେଡିକାଲ୍ କଲେଜ ସ୍ଥାପନା, ଏମଡିଏଚ୍ କମ୍ପାନୀର ବୃହତ୍ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ ସହ ସଂସଦୀୟ କ୍ଷେତ୍ରରେ ବର୍ଷ ବ୍ୟାପି ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଲୋକଙ୍କ ଆହୁରି ନିକଟତର ହେବାକୁ ଉଦ୍ୟମ ଚଳାଇଛନ୍ତି ଡ. ସାମନ୍ତ। ତେବେ ଲୋକପ୍ରିୟତା ହାସଲ ପାଇଁ ଏଭଳି କାର୍ଯ୍ୟକ୍ରମ କେତେ ଫଳପ୍ରଦ ହେଉଛି ତାହା ଆଗାମୀ ଦିନରେ ଜଣା ପଡ଼ିବ।
