‘ମୋ ସରକାର’ କାର୍ଯ୍ୟକ୍ରମ ଚାର୍ଟର: ମିଳିବ ଭଲ ପ୍ରଦର୍ଶନ ଅଧିକାରୀଙ୍କୁ ୫ ପ୍ରତିଶତ ୱେଟେଜ୍ !

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ସରକାରୀ ଅଧିକାରୀଙ୍କ ମୁଣ୍ଡରେ ଝୁଲିଲା ୫ଟି ଖଣ୍ଡା। ଲୋକଙ୍କ ନିକଟତର ଓ ଆସ୍ଥାଭାଜନ ହେବା ଲକ୍ଷ୍ୟରେ ‘ମୋ ସରକାର’ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ତେବେ ଏହି କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରୁଥିବା ଅଧିକାରୀଙ୍କୁ ସେମାନଙ୍କ ବାର୍ଷିକ ପରର୍ଫମାନ୍ସ ଆପ୍ରାଇଜାଲ୍ ରିପୋର୍ଟ(ପିଏଆର)ରେ ୫% ୱେଟେଜ୍ ମିଳିବ। ଏପରିକି ଯେଉଁ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହୋଇଛି ସେ ବିଭାଗର କର୍ମଚାରୀଙ୍କୁ ୫ ପ୍ରତିଶତ ୱେଟେଜ୍ ମିଳିବା ନେଇ ସ୍ପଷ୍ଟ କରାଯାଇଛି।

ଏନେଇ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଜିସି ପାତ୍ର ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏବଂ ୨୦ ପ୍ରତିଶତ ୱେଟେଜ୍ ବାବଦରେ ସୂଚନା ଦେଇଛନ୍ତି। କର୍ମଚାରୀଙ୍କ ବାର୍ଷିକ ପିଏଆରରେ ‘ଫାଇଭ-ଟି’ ପାଇଁ ୨୦ ପ୍ରତିଶତ ୱେଟେଜ୍ ବ୍ୟବସ୍ଥା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ହେଲେ ‘ଫାଇଭ୍-ଟି’ ଅଧୀନରେ ଥିବା ‘ମୋ ସରକାର’ ଲାଗି ୫ ପ୍ରତିଶତ ୱେଟେଜ୍ ମିଳିବ। ଏବେ ଡାକ୍ତରଖାନା ଓ ଥାନାରେ ଫୋକସ୍ ରହିଥିବା ଏହି କାର୍ଯ୍ୟକ୍ରମ ପରବର୍ତ୍ତୀ ସମୟରେ ସମସ୍ତ ବିଭାଗରେ ଲାଗୁ କରାଯିବ।

ବାର୍ଷିକ ପିଏଆରରେ ‘ଫାଇଭ-ଟି’ ଲାଗି ରହିଥିବା ୨୦ ପ୍ରତିଶତ ୱେଟେଜ ମଧ୍ୟରୁ ଅଫିସରମାନଙ୍କୁ ବିଭାଗରେ ଫାଇଭ-ଟି ଚାର୍ଟରକୁ ସଠିକ୍ ଭାବେ ଲାଗୁ କରିବା ପାଇଁ ୧୦ ପ୍ରତିଶତ ୱେଟେଜ୍ ମିଳିବ। ତାସହ ସରକାରରେ ଫାଇଭ-ଟି ଚାର୍ଟର ଲାଗୁ ଲାଗି ୫ ପ୍ରତିଶତ ଏବଂ ମୋ ସରକାର ଲାଗି ୫ ପ୍ରତିଶତ ୱେଟେଜ୍ ମିଳିବ। ହେଲେ ସର୍ବଭାରତୀୟ ସେବା ଅଫିସରଙ୍କୁ ବାର୍ଷିକ ପିଏଆରରେ ୧୦ ମାର୍କ ଉଦ୍ଧିଷ୍ଟ ରହିଛି। ‘ଫାଇଭ-ଟି’ ଓ ‘ମୋ ସରକାର’ର ପ୍ରଦର୍ଶନ ଆଧାରରେ ୨ ମାର୍କ, ବିଭାଗରେ ଫାଇଭ-ଟି ଲାଗୁ ଲାଗି ୧ ମାର୍କ, ସରକାରରେ ଫାଇଭ-ଟି ପାଇଁ ୦.୫ ମାର୍କ ଓ ମୋ ସରକାର ପାଇଁ ୦.୫ ମାର୍କ ମିଳିବ। ଏନେଇ ସ୍ପଷ୍ଟ କରିଛି ସାଧାରଣ ପ୍ରଶାସନ ବିଭାଗ।