ନବନୀତା ବ୍ୟୁରୋ। ନବରତ୍ନ କଂପାନୀ ନାଲକୋରେ କୋଇଲା ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ପ୍ରଭାବରେ ସ୍ମେଲ୍ଟର ପ୍ଲାଣ୍ଟର ଉତ୍ପାଦନରେ ବାଧା ଉପୁଜିଛି। ଏପରିକି ୧୨୦୦ ମେଗାଓ୍ୱାଟ ବିଦ୍ୟୁତ ଉତ୍ପାଦନ କରୁଥିବା CPPର ୧୦ ଟି ୟୁନିଟ୍ ମଧ୍ୟରୁ ୩ଟି ୟୁନିଟ ବନ୍ଦ ଥିବା ଜଣା ପଡ଼ିଛି। ତେବେ କୋଇଲା ସଙ୍କଟ ଯୋଗୁ ଆଉ ଗୋଟିଏ ୟୁନିଟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ ଯେ, ଅନୁଗୋଳ ନାଲକୋ CPP ପାଇଁ ଦୈନିକ ୧୭ ହଜାର ଟନ୍ କୋଇଲା ଦରକାର ପଡ଼ିଥାଏ। ଏଥିପାଇଁ ଏମ୍ସିଏଲ୍ କୋଇଲା ଉପରେ ପୁରା ନିର୍ଭର କରିବାକୁ ପଡେ। ତେବେ ଏଠାରୁ ୭ ସପ୍ତାହ ହେଲା ଆବଶ୍ୟକତାଠାରୁ କମ୍ କୋଇଲା ପାଉଛି ନାଲକୋ। ଦୈନିକ ଆବଶ୍ୟକତା ପଡୁଥିବା ୧୭ ହଜାର ଟନ୍ କୋଇଲାରୁ ମାତ୍ର ୮୦୦୦ ରୁ ୯୦୦୦ ଟନ୍ କୋଇଲା ମିଳୁଛି। ଫଳରେ ନାଲକୋରେ ବିଜୁଳି ଉତ୍ପାଦନରେ ବାଧାପ୍ରାପ୍ତ ଦେଖାଦେଇଛି।
ବାର୍ଷିକ ପ୍ରାୟ ୪ ଲକ୍ଷ ୬୦ ହଜାର ମେଟ୍ରିକ ଟନ୍ ଆଲୁମିନିୟମ ଉତ୍ପାଦନର କ୍ଷମତା ରହିଛି। ହେଲେ କୋଇଲା ସଙ୍କଟ ଲାଗି ସ୍ମେଲ୍ଟର ପ୍ଲାଣ୍ଟ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ଉତ୍ପାଦନ କରୁଛି। ତେବେ କୋଇଲା ଯୋଗାଣରେ ସୁଧାର ନା ଆସିଲେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇପାରେ।
