ବିଜେପୁର ମହାମୁକାବିଲା: ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହାଇଭୋଲଟେଜ୍ ପ୍ରଚାର

ଅନ୍ୟାନ୍ୟବଡ଼ ଖବରମିଶନ ବିଜେପୁରରାଜନୀତି

ନବନୀତା ବ୍ୟୁରୋ। ଶେଷ ପର୍ଯ୍ୟାୟରେ ବିଜେପୁର ପ୍ରଚାର। ଶନିବାର ବିଜେପୁର ଉପନିର୍ବାଚନ ଲାଗି ପ୍ରଚାରର ଶେଷ ଦିନ। ତେଣୁ କମ୍ ସମୟ ମଧ୍ୟରେ ସମସ୍ତ ଭୋଟରଙ୍କ ପାଖରେ ପହଞ୍ଚି ବାକୁ ପ୍ରୟାସ ଚଳାଇଛନ୍ତି ନେତା ଓ କର୍ମୀ। ଏହି କ୍ରମରେ ଶୁକ୍ରବାର ପ୍ରଚାର ମଇଦାନରେ ମହମୁକାବିଲା ଲାଗି ଦେଖିବାକୁ ମିଳିଥିଲା ହାଇଭୋଲଟେଜ୍ କ୍ୟାମ୍ପେନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ଲାଗି ମାରାଥନ୍ ରୋଡ୍ ସୋ କରିଛନ୍ତି।

ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁର ନିର୍ବାଚନୀ ମଣ୍ଡଳୀର ଗାଇସିଲଟ, କେନ୍ଦୁଭଟା, ଗୌରିମୁଣ୍ଡା, କଠଉମାଲ, ଜଗଦଲପାଟ, ଡାଙ୍ଗବାହାଲ, ସରଧାପାଲି, କୁଣ୍ଡାଖାଇ, ଗୁନ୍ଦେରପାଲି ଆଦି ସ୍ଥାନରେ ରୋଡ୍ ସୋ କରିଥିଲେ ନବୀନ। ହାଇଟେକ ବସରେ ବସି ପ୍ରାର୍ଥୀ ରୀତା ସାହୁଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଅନ୍ୟପଟେ ବିଜେପୁର ଗଡ଼ ବିଜୟ ଲାଗି ମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଠ ନେତା ଓ କର୍ମୀ ସେଠାରେ ଡେରା ପକାଇଛନ୍ତି।

ସେପଟେ ପୁଣି ଥରେ ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାର୍ଥୀ ସନତ ଗଡତିଆଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରାଇବାକୁ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର। ବିଜେପୁର ଏନ୍ଏସି, ବରପାଲିର ବନ୍ଧପାଲି ପଂଚାୟତ, ଗୋପେଇପାଲି ପଂଚାୟତ ଏବଂ ବରପାଲି ଏନ୍ଏଏସିରେ ଧର୍ମେନ୍ଦ୍ର ପ୍ରଧାନ ରୋଡ୍ ସୋ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ଦଳର ଅନେକ ତୁଙ୍ଗ ନେତା ବିଜେପୁରରେ ଆଡ୍ଡା ଜମାଇଛନ୍ତି। ଡେରା ପକାଇଛନ୍ତି ।

ସେହିପରି କଂଗ୍ରେସ ମଧ୍ୟ ପ୍ରଚାର କାର୍ଯ୍ୟକ୍ରମରେ ପଛରେ ପଡିନି। ଦଳୀୟ ପ୍ରାର୍ଥୀ ଦିଲିପ୍ ପଣ୍ଡାଙ୍କୁ ଜିତାଇ କଂଗ୍ରେସ ଗଡ଼ ଫେରାଇ ଆଣିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି ବିଧାୟକ, ବରିଷ୍ଠ ନେତା ଓ କର୍ମୀ। ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ପ୍ରଦୀପ ଦେବତା, ପ୍ରଦୀପ ମାଝୀ, ସୁର ରାଉତରାୟଙ୍କ ଭଳି ଟାଣୁଆ ନେତାମାନେ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀଙ୍କ ଲାଗି ଜୋରସୋର କ୍ୟମ୍ପେନ୍ ଚଳାଇଛନ୍ତି।

ଶନିବାର ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମର ଶେଷ ଦିନ ଥିବାରୁ ତିନି ପ୍ରମୁଖ ଦଳର ନେତାଙ୍କ ଆଖିରୁ ନିଦ ହଜି ଯାଇଛି। କେମିତି ଦଳୀୟ ପ୍ରାର୍ଥୀଙ୍କୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ କରାଇବେ ସେନେଇ ପ୍ରଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ତେବେ ଆସନ୍ତା ୨୧ ତାରିଖରେ ବିଜେପୁରବାସି ନିଜ ମତ ସାବ୍ୟସ୍ତ କରିବେ। ଏବଂ ୨୪ ତାରିଖରେ ଜଣା ପଡ଼ିବ ବିଜେପୁରର ବାଜୀଗର କିଏ?